Unknown

 

 

 

 

 

 

 

 

 

 

 

ଇସ୍‍କା ପାନ ବିବି

ଶ୍ରୀ ଯୋଗୀନ୍ଦ୍ର ପଟ୍ଟନାୟକ

 

ବହୁତବର୍ଷ ତଳର ଘଟଣା । ସେତେବେଳେ ବ୍ରିଟିଶ ଶାସନରପୂର୍ଣ୍ଣ ରାଜତ୍ୱ ଦେଶରେ । ଲୋକମାନେ, ଯେଉଁମାନେ ନିଜକୁ ଶିକ୍ଷିତ ବୋଲି ସମାଜରେ ପ୍ରତିପନ୍ନ କରିବାକୁ ଚାହାନ୍ତି, ସେମାନେ ସାହେବୀ ଢଙ୍ଗରେ ମସ୍‍ଗୁଲୁ । ଏ ଘଟଣାଟି ଘଟେ ଠିକ୍ ସେହି ସମୟରେ ବଙ୍ଗ ଉପସାଗରରେ ।

 

ଅସ୍ତଗାମୀ ସୂର୍ଯ୍ୟର ଆଲୋକରେ ଦେଖାଗଲା ବରିକୁଦ । ବରିକୁଦ ଏକ ଦ୍ଵୀପ । ଛୋଟ ଦ୍ଵୀପ । ବ୍ରହ୍ମପୁର ଷ୍ଟେସନ ବାଲୁଗାଁ ଷ୍ଟେସନରୁ ଓହ୍ଲେଇ ରମ୍ଭା ବା ବାଲୁଗାଁ ରେଳଷ୍ଟେସନଠାରୁ ଜଳପଥରେ ଚିଲିକା ହ୍ରଦ ବକ୍ଷରେ କାଳିଜାଇ ଯିବାବାଟରେ ଯିବାକୁ ପଡ଼େ ବରିକୁଦ ।

 

ସମଦ୍ରକୂଳରୁ ବରିକୁଦ ଦ୍ଵୀପର ସବୁକିଛି ଦେଖାଯାଉ ନ ଥାଏ । ଗୋଟିଏ ଛୋଟ କଳା ପାହାଡ଼ ଦୃଷ୍ଟିକୁ ଆଢ଼ୁଆଳ କରି ରଖିଥିଲା । ଦ୍ୱୀପର ଅଧିକ ବୁଲି ବୋଟ୍‍ ଅଟକିଲା ଦୁଇଟି ବଡ଼ ପଥର ମଝିରେ । ସ୍ଥାନଟି ନିର୍ଜନ, ସୁନ୍ଦର ଓ ନିରାପଦ । ଜାଣିବା ଲୋକ ନିଶ୍ଚୟ ବୁଝିପାରିବ ଯେ ସମୁଦ୍ର ଅଶାନ୍ତ ଥିଲେ ବୋଟ୍‍ ଲଗାଇବା ପ୍ରାୟ ଅସମ୍ଭବ ହୋଇପଡ଼ୁଥିବ ।

 

ବୋଟ୍ ଚାଳକକୁ ଏକଥା ପଚରିବାରେ ସେ କହିଲା–ଆପଣ ଠିକ୍ କହିଛନ୍ତି । ଝଡ଼ବେଳେ ଏଠାକୁ ଆସିବା ଅସମ୍ଭବ । ଏ ମରାଳ-ମାଳିନୀ ଚିଲିକାର କି କରାଳ ରୂପ । ତେଣୁ ଏହି ବରିକୁଦ ଦ୍ଵୀପ ବାହାର ଜଗତରୁ ସେତେବେଳେ ଦିନ ପରେ ଦିନ ବିଚ୍ଛିନ୍ନ ହୋଇ ପଡ଼ିରହେ ।

 

ଜଣକ ପରେ ଜଣେ ବୋଟ୍‍ରୁ ଓହ୍ଲାଇଲେ । ପ୍ରକୃତି ଏ ଦ୍ଵୀପଟିକୁ ସୁନ୍ଦରଭାବରେ ଗଢ଼ିଛି-। ଏହି ଦ୍ଵୀପଟିର ଯେ ମାଲିକ, ସେ ଆହୁରି ସୁନ୍ଦର କରି ଗଢ଼ିଛନ୍ତି ଦ୍ଵୀପଟିକୁ । ଚାରିଆଡ଼େ ଫୁଲଫଳର ଗଛ । କେତେରକମର ଗଛପତ୍ର, ସୁନ୍ଦର ପାମ୍, କୋକନଟ୍ ଗଛର ଶ୍ରେଣୀ । ସୁନ୍ଦର ସୁନ୍ଦର କୁଞ୍ଜ । କୁଞ୍ଜରେ ଯେପରି ସବୁଦିନ ବସନ୍ତ ଅଜାଡ଼ିଛି ରାଶିରାଶି ରଙ୍ଗବେରଙ୍ଗର ଫୁଲ ।

 

ସୁନ୍ଦର ଦ୍ଵିତଳ ପ୍ରାସାଦ । ଚାରିଆଡ଼େ ନୀଳ ସମୁଦ୍ରର ବେଷ୍ଟନୀ ଭିତରେ ପ୍ରାସାଦର ସୌନ୍ଦର୍ଯ୍ୟ କି ଅପୂର୍ବ । ସେସମୟର ଆଧୁନିକତମ ଉଦ୍ଭାବିତ କୌଶଳ, କଳକବ୍‍ଜା ଖଞ୍ଜା ହୋଇଛି-

 

ପ୍ରାସାଦର ସୁରମ୍ୟ ବଗିଚାକୁ ଅତିକ୍ରମ କରିବା ପରେ ଠିକ୍ ପୋର୍ଟିକୋ ପାଖରେ ପ୍ରୌଢ଼ ପରିଚାଳକ ବାହାରିଆସି ଅଭ୍ୟର୍ଥନା କଲା–ଆପଣମାନେ ଦୟାକରି ଆସନ୍ତୁ । ପରିଚାଳକର ପୋଷାକ ସୁନ୍ଦର ଏବଂ ଆଦବ କାଇଦାରେ ଯେ ସେ ନିପୁଣ ଏହା ସ୍ଵୀକାର କରିବାକୁ ପଡ଼ିବ ।

 

ସମସ୍ତେ ହଲ୍ ଘର ଭିତରେ ପ୍ରବେଶ କଲେ । ହଲ୍ ଭିତରେ ଟେବୁଲ୍‍ ସଜା ହୋଇଛି ଧାଡ଼ିକି ଧାଡ଼ି । ତା’ ଉପରେ ପାନୀୟ । ପରିଚାଳକଟି ହାତ ଯୋଡ଼ି କହିଲା–ଆପଣମାନେ ଏଠାରେ ବିଶ୍ରାମ କରନ୍ତୁ । ବରିକୁଦ ରାଜାବାହାଦୁର ଦୁଃଖର ସହିତ ଜଣାଇଛନ୍ତି ଯେ ଅନିବାର୍ଯ୍ୟ କାରଣବଶତଃ ସେ ଆଜି ଆସିପାରୁନାହାନ୍ତି । ଆସନ୍ତା କାଲି ସେ ନିଶ୍ଚୟ ଦେଖାକରିବେ । ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ସେ ଆପଣମାନଙ୍କର କ୍ଷମା ଭିକ୍ଷା କରିଛନ୍ତି । ଆପଣମାନଙ୍କର ଆପ୍ୟାୟନ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ଅପଣମାନଙ୍କର ପ୍ରତ୍ୟେକଙ୍କ ପାଇଁ ଅଲଗା ଘରର ବ୍ୟବସ୍ଥା ହୋଇଛି । ମୋର ନାମ ରଘୁନାଥ । ମୁଁ ଏବଂ ମୋର ସ୍ତ୍ରୀ ଦୁଇ ଜଣ ମିଶି ଆପଣମାନଙ୍କର ଦେଖାଶୁଣା କରିବୁ । ଦୟା କରି ମୋତେ ଅନୁମତି ଦିଅନ୍ତୁ । ଆଠଟାରେ ଡିନର ।

 

କୁମାରୀ ବର୍ଷା ସିଡ଼ିରେ ଉପରକୁ ଉଠୁଥିଲା । ତା’ ଆଗରେ ଯାଉଥିଲା ରଘୁନାଥର ସ୍ତ୍ରୀ-। ଗୋଟିଏ ଘର ଆଗରେ ଠିଆହେଲେ । ରଘୁନାଥର ସ୍ତ୍ରୀ କବାଟ ଖୋଲିଲା, ତା’ପରେ କହିଲା–ଦେଈ, ଏଇଟି ଆପଣଙ୍କର ଘର । କ’ଣ ପସନ୍ଦ ହୋଇଛି ?

 

ସୁନ୍ଦର ଘର, ଘର ସାଙ୍ଗରେ ଲାଗିଛି ଛୋଟ ବାଥ୍‍ରୁମ । ଝରକା ଦେଇ ସମୁଦ୍ର କି ସୁନ୍ଦର ଦେଖାଯାଏ !

 

–ଖୁବ୍ ପସନ୍ଦ ହୋଇଛି ।

 

–ଆପଣଙ୍କର କିଛି ପ୍ରୟୋଜନ ହେଲେ ଘଣ୍ଟା ବଜାଇବେ ।

 

–ଆଚ୍ଛା, ତୁମେ ମୋତେ ଚିହ୍ନି ପାରୁଛ ? ମୁଁ ରାଜାବହାଦୁରଙ୍କର ନୂଆ ସେକ୍ରେଟେରୀ । ମୋ କଥା ନିଶ୍ଚୟ ଶୁଣିଥିବ । ମହାରାଣୀ ତୁମକୁ କିଛି କହିଥିବେ ନିଶ୍ଚୟ ।

 

–ନା, ମୁଁ କିଛି ଜାଣେନାହିଁ । ଆମେ ଗୋଟିଏ ଚିଠି ପାଇଥିଲୁଁ । ସେଥିରେ ଗୋଟିଏ ଲିଷ୍ଟ ଥିଲା ଏବଂ ସେଗୁଡ଼ିକ ସବୁ ନାମ । କେଉଁଠି କିଏ ରହିବେ ଏବଂ କାହାର କ’ଣ ଲୋଡ଼ା, ରାଜାବହାଦୁରଙ୍କର ସେ ଚିଠିରେ ନିର୍ଦ୍ଦେଶ ଥିଲା ।

 

–ମହାରାଣୀସାହେବା କ’ଣ ମୋ କଥା ଅଲଗାଭାବରେ କିଛି ଲେଖିନାହାନ୍ତି ?

 

–ଦେଖନ୍ତୁ, ମାତ୍ର ଦି’ଦିନ ଆଗରୁ ଏଠାକୁ ଚାକିରି ପାଇ ଆମେ ଆସିଛୁଁ । ଏ ଆଖିରେ କାହାକୁ ଏପର୍ଯ୍ୟନ୍ତ ଦେଖିନାହିଁ ।

 

–ଆଚ୍ଛା, ବଡ଼ ଅଦ୍ଭୁତ ! ତମେ ଏଠାରେ କାମ କରିବାପାଇଁ କେତେଜଣ ଅଛ ?

 

–ଆମ ଦି’ଜଣଙ୍କ ଛଡ଼ା ଆଉ କେହି ନାହାନ୍ତି । ତେବେ ରାନ୍ଧବଢ଼ା କାମ ମୁଁ ଭଲଭାବରେ ଜାଣିଛି ଏବଂ ମୋର ସ୍ୱାମୀ ଘରକରଣା ତଦାରଖରେ ଖୁବ୍ ଦକ୍ଷ । ଆପଣମାନଙ୍କର କୌଣସି ପ୍ରକାର ତକଲିଫ୍ ହେବ ନାହିଁ ।

 

–ଆମେ ସବୁ ତ ମିଶି ଦଶ ଜଣ ହେଲୁଣି । ତୁମେ ସମସ୍ତଙ୍କୁ ରନ୍ଧାବଢ଼ା କରି ଦେଇପାରିବ ତ ? ପୁଣି ମହାରାଜା ଓ ମହାରାଣୀ ଆସିଯିବେ ।

 

–ଅସୁବିଧା କ’ଣ ଆଉ ହେବ ? ସମ୍ଭାଳିନେବାକୁ ହେବ । ଆଚ୍ଛା, ମୁଁ ଯାଉଛି । ଧୀରେ ଧୀରେ ପାଦ ପକାଇ ରଘୁନାଥର ସ୍ତ୍ରୀ ଚାଲିଗଲା । ବର୍ଷାକୁ ଖୁବ୍ ଭଲ ଲାଗିଛି । ହେଲେ ମୁହଁଟା କିପରି ଫିକା ପଡ଼ିଛି, ଯେମିତି ଦେହରେ ଟୋପାଏ ହେଲେ ରକ୍ତ ନାହିଁ । ଆଖି ଦିଓଟିରେ ବି ତା’ର ଭୟର ଚିହ୍ନ । ଏ ଭୟ କାହିଁକି ? ଭାବିଲା ବର୍ଷା ।

 

ଘରଭିତରେ ପଦଚାରଣା କଲା ବର୍ଷା । ଘରଟି ସୁରୁଚିସମ୍ପନ୍ନ । ଚଟାଣରେ ସୁନ୍ଦର କାମ-। କାନ୍ଥରେ ହାଲୁକା ରଙ୍ଗ । ଗୋଟିଏ କୋଣରେ ଖଟ, ଆଲଣା, ଫାୟାରପ୍ଳେସ୍ । କାନ୍ଥ ଆଲମାରିରେ ଗୋଟିଏ ଘଡ଼ି । ଶିଙ୍ଗର ଦୁଇଟି ଛୋଟ ହାତୀ । ଯେପରି ସୁନାକଳସ ଢାଳିବାକୁ ଆସୁଛନ୍ତି । ଗୋଟିଏ ଫଟୋ ଷ୍ଟାଣ୍ଡ ଉପରେ ଲେଖାଅଛି ଗୋଟିଏ ପଦ–ଇସ୍‍କା ପାନ ବିବି, ଆମେ ଦଶଜଣ ମେମ୍‍ସାହେବ ବିବି ।

ବଡ଼ ପିଲାଳିଆ ଲେଖାଟି । ବର୍ଷା ଭାବିଲା, ହୁଏତ ବିରାଟ କବିଙ୍କର ପଦଟିଏ ଲେଖାଥିବ ପରା ।

ବଡ଼ଲୋକଙ୍କର ଖିଆଲ ।

ଡାକ୍ତର ଦୁର୍ଗାମାଧବ ବରିକୁଦ ପହଞ୍ଚିଲାବେଳକୁ ପ୍ରାୟ ପାଞ୍ଚଟା ବାଜିସାରିଥିଲା । ଡାକ୍ତର ବଡ଼ କ୍ଳାନ୍ତ । ହୋଲିଡେଇଂ ପାଇଁ ଆସିଛନ୍ତି କଲିକତାରୁ । ତାଙ୍କର ପ୍ରୟୋଜନ ସମୁଦ୍ର ଓ ଶାନ୍ତି । ଏଇ କେତେଦିନ ଏଠାରେ କଟାଇବାକୁ ରାଜାବାହାଦୁର ନିମନ୍ତ୍ରଣ କରିଛନ୍ତି ।

ଅନ୍ଧକାରରେ ଦ୍ଵୀପଟି ମନେହେଉଛି ରହସ୍ୟମୟ । ମନେହେଉଛି ପୃଥିବୀରୁ ବିଚ୍ଛିନ୍ନ ଏହି ଦ୍ଵୀପଟି ତାଙ୍କୁ ଦେବ ଅସରନ୍ତି ବିଶ୍ରାମ ।

ଦ୍ଵୀପରେ ଓହ୍ଲାଇ ପ୍ରାସାଦ ଭିତରକୁ ପଶିଲାବେଳେ ଦେଖିଲେ ବାରଣ୍ଡାରେ ବସିଛନ୍ତି ପାଇପ୍ ଟାଣି ଜଣେ ବୃଦ୍ଧ ବ୍ୟକ୍ତି । ଡାକ୍ତର ଚିହ୍ନିଲେ, ଏ ଯେ ଜଷ୍ଟିସ୍ ମହାଜନ । ଥରେ ତାଙ୍କ ଇଜ୍‍ଲାସରେ ଡାକ୍ତର ସାକ୍ଷୀ ଦେବାକୁ ଯାଇଥିଲେ । ବିଚକ୍ଷଣ ଓ ଦକ୍ଷ ବିଚାରପତି ହିସାବରେ ଖୁବ୍ ସୁନାମ ଥିଲା ଜଷ୍ଟିସ୍ ମହାଜନଙ୍କର । ତେବେ କେହି କେହି କହୁଥିଲେ, ସେ ଖୁବ୍ ନିର୍ଦ୍ଦୟ କନଭିକ୍‍ଟିଂ ଜଜ୍ । ଅଭିଯୋଗ ପ୍ରମାଣିତ ହେଲେ କୌଣସି ଆସାମୀ ତାଙ୍କଠାରୁ କେବେ କରୁଣା ଲାଭ କରିନାହିଁ ।

ଏ ବିଚିତ୍ର ଦ୍ଵୀପରେ ଜଷ୍ଟିସ୍‍ଙ୍କ ସହିତ ଯେ ଦେଖାହେବ କେବେ କଳ୍ପନା କରିନାହାନ୍ତି ଡାକ୍ତର ଦୁର୍ଗାମାଧବ ।

ଏଣେ ଜଷ୍ଟିସ୍ ମହାଜନ ଭାବୁଥିଲେ, ଏ ଲୋକଟିକୁ କେଉଁଠି ଦେଖିଲାପରି ତ ମନେହେଉଛି ।

ହଁ, ସାକ୍ଷୀରୂପେ ଦେଖିଛି–ନାଁ ଦୁର୍ଗାମାଧବ । ଡାକ୍ତର ରହନ୍ତି ପାର୍କ୍‍ଷ୍ଟ୍ରିଟରେ ।

ଜଷ୍ଟିସ୍ ମୁହଁ ଖୋଲି କହିଲେ–ସେହି ହଲ୍ ଘରଟାରେ ବସନ୍ତୁ ।

–କିନ୍ତୁ ରାଜାବାହାଦୁରଙ୍କ ସହିତ ଦେଖାକରିବା ପ୍ରଥମେ ଉଚିତ ।

–ନା, ସମ୍ଭବ ନୁହେଁ ।

–କାହିଁକି ?

–ନାହାନ୍ତି । ବେଶ୍ ଅଜବ ଜାଗା ଏଇଟା ।

ପ୍ରାୟ ମିନିଟିଏ ଡାକ୍ତର ଠିଆହୋଇ ରହିଲେ । ଜଜ୍‍ସାହେବ କଥା ହେଲେ ନାହିଁ । ବୋଧହୁଏ ଶୋଇପଡ଼ିଲେ । ବୁଢ଼ାଲୋକ ତ, ମିଜାଜ୍ ବୋଧହୁଏ ଭଲ ନାହିଁ ।

ଡାକ୍ତର ହଲ୍ ଘର ଆଡ଼କୁ ନିଜ ବେଗ୍ ଧରି ଆଗେଇଗଲେ ।

ପ୍ରବୀଣକୁମାର ସ୍ନାନ କଲେ । ଚମତ୍କାର ଏଇ ଗାଧୁଆଘର । ଏତେଗୁଡ଼ାଏ ରାସ୍ତା ମୋଟର ଚଳାଇ ଆସିବାରେ ଯେଉଁ କ୍ଳାନ୍ତି ଲାଗିଥିଲା, ବାସ୍ତବିକ ବର୍ତ୍ତମାନ ଉପଶମ ହେଲା । ସୁନ୍ଦର ପୋଷାକ ପିନ୍ଧିଲେ ।

 

ଜଗାଟି ମନେହେଉଛି ରହସ୍ୟମୟ । ପ୍ରବୀଣକୁମାରଙ୍କ ଜାତକରେ ଭୟ ବୋଲି କିଛି ନାହିଁ । ମହାରାଜାଙ୍କର ନିମନ୍ତ୍ରଣରେ ସେ ଆସିଛନ୍ତି । ପକ୍ଷୀଶିକାରରେ ତାଙ୍କର ଖୁବ୍ ସଉକ । ଅଥଚ ସାଙ୍ଗରେ ବନ୍ଧୁକ ଆଣିନାହାନ୍ତି ।

 

ଦର୍ପଣ ଆଗରେ ଫଟିକ୍ ଠିଆହୋଇ ଟା’ଇଟା ଠିକ୍‍ଭାବରେ ବାନ୍ଧିଲା । ମୁଣ୍ଡର କେଶ ଉପରେ ହାଲୁକା ଭାବରେ ଚଳାଇଲା ପାନିଆ ।

 

ମନକୁମନ କହିଗଲା ଫଟିକ୍–ଚମତ୍କାର । ଏପର୍ଯ୍ୟନ୍ତ ତା ସହିତ କେହି କଥା ହେଉ ନ ଥିଲେ । କାରଣଟି ହେଲା, ପୋଷାକଟି ଥିଲା ବଡ଼ ମଇଳା ।

 

ପିଲାବେଳେ ଫଟିକ୍ ତା ବାପାଙ୍କ ସଙ୍ଗରେ ଏ ଦ୍ଵୀପକୁ ଆସିଥିଲା । ବାପା ଥିଲେ ବିଖ୍ୟାତ ବେହେଲାବାଦକ । ରାଜାବାହାଦୁର ଆଣିଥିଲେ । ସେସବୁ ଅବଶ୍ୟ ତା’ର କିଛିହେଲେ ମନେନାହିଁ । ଏଥର କିନ୍ତୁ ଆସିବାକୁ ପଡ଼ିଛି ନିମନ୍ତ୍ରଣ ରକ୍ଷାକରିବା ପାଇଁ, ଏବେ ସେ ପୋଲିସ ଗୁଇନ୍ଦାର ଲୋକ । ତଥାପି ରାଜାବାହାଦୁର ସେ ।

 

ମନେମନେ କିନ୍ତୁ ରାଗିଉଠିଥିଲେ ମଥୁରାନନ୍ଦ । ସେ ଜଣେ ପଲିଟିକାଲ ଲିଡର୍ । ନାମକୁ ପେଶା ଆଇନଜୀବୀ । ବକ୍ତୃତା ମାରିବାକୁ ବଡ଼ ଓସ୍ତାଦ୍ ବ୍ୟକ୍ତି । ଚାରିଆଡ଼େ ନୀଳସମୁଦ୍ର । ସମୁଦ୍ରତୀରରେ ଅଜାଡ଼ି ହୋଇ ପଡ଼ୁଛି ରାଶି ରାଶି ତରଙ୍ଗ । ବଡ଼ କଦର୍ଯ୍ୟ ଲଗୁଛି । ଏ ତରଙ୍ଗ-ଢେଉଗୁଡ଼ିକ ଯଦି ସେଇ ଅନ୍ଧ ଜନତା ହୋଇଥାନ୍ତେ ସେ ବକ୍ତୃତା ମାରି କେତେ ହାତତାଳି, କେତେ ଫୁଲହାର ହାସଲ କରିସାରନ୍ତେଣି ।

 

ଇମିତି ଜାଣିଥିଲେ ଜମା ଆସି ନ ଥାନ୍ତେ । ଏଠାରୁ ଚାଲିଯାଇପାରିଲେ ରକ୍ଷା । ମୋଟର ବୋଟ୍‍ଟି ତ ଏବେ ଫେରିଯାଇଛି, ଆଉ ଆସିବାର ଆଶା ନାହିଁ । ତେବେ ରାଜାବାହାଦୁର ଏ ଯେଉଁ ଫ୍ରିଡମ୍ ଷ୍ଟ୍ରଗଲରେ କିଛି ଅର୍ଥ ଗୁପ୍ତରେ ଦେବାକୁ ଚାହାନ୍ତି । କିଛି ବ୍ରିଟିଶ ସରକାରଠାରୁ ଆଦାୟ ଓ ଆଉକିଛି ଏପଟେ ଆଦାୟ କରି ବିପ୍ଳବୀନେତା ମଥୁରାନନ୍ଦ ରାଜକୀୟ ଠାଣିରେ ଚଳିଯାଆନ୍ତି ।

 

ତେବେ ଏଇ ମାଧବ ଲୋକଟିକୁ ତାଙ୍କର ବଡ଼ ସନ୍ଦେହ । ସନ୍ତ୍ରାସବାଦୀ ନ ହେଲେ ରକ୍ଷା । ଲୋକଟିର ହାବଭାବ ଖୁବ୍ ଭଲ ବୋଲି ମନେହୁଏ ନା । ବଡ଼ ସ୍ପଷ୍ଟଭାବରେ କଥା କହିବା ଆରମ୍ଭ କରିଛି ।

 

ଆଠୁଟା ବାଜିଲା । ଡିନର ଘଣ୍ଟା ପଡ଼ିଲା । ଧୀର ପଦକ୍ଷେପପରେ ବହାରିଆସିଲା ମାଧବ । ତା’ ଚାଲିଟି ବାସ୍ତବିକ ସନ୍ଦେହଜନକ । ଦୃଢ଼ ଓ ନିଃଶବ୍ଦ ପଦସଂଚାର ।

 

ସେ ନିଜ ମନରେ ହସୁଛି–ଗୋଟାଏ ସପ୍ତାହ ମଉଜରେ କଟିଯାଉ । ବେଶ୍ ଫୂର୍ତ୍ତିରେ କଟୁ ତ ଦିନଗୁଡ଼ିକ । ଏତେ ଭାବି ଲାଭ କ’ଣ ?

 

ନିଜ ଘରେ ବିରାଟ ଗୀତା, ରାମାୟଣ ଓ ମହାଭାରତ ନେଇ ବସିଛନ୍ତି ମିସ୍ ବିନୋଦିନୀ, ପ୍ରୌଢ଼ା । ଡିନର ଘଣ୍ଟା ଶୁଣି ବହି ବନ୍ଦ କରିପକାଇଲେ । ଓଠଦିଓଟି ଚିପିଧରିଲେ । ଗମ୍ଭୀର ହୋଇଉଠିଲା ମୁଖ । ଧୀରେ ଧିରେ ଓହ୍ଲାଇବାକୁ ଲାଗିଲେ । ଦେହରେ ଗେରୁଆ ରଙ୍ଗର ଶାଢ଼ୀ । ବିଗତ ଜୀବନରେ ମହିଳା କଲେଜର ପ୍ରିନ୍‍ସପାଲ୍ ଥିଲେ ।

 

ଡିନର ଶେଷ ହେଲା ଭଲଭାବରେ ।

 

ଖାଦ୍ୟ ଓ ପାନୀୟ ବେଶ୍ ଭଲ । ରଘୁନାଥ ସୁନ୍ଦରଭାବରେ ପରିବେଷଣ କରିଛି । ଅତିଥିମାନେ ପରିତୃପ୍ତ । ତା’ପରେ ପରସ୍ପର ସହିତ ଖୋଲା ମନରେ କଥାବାର୍ତ୍ତା ଆରମ୍ଭ ହେଲା । ବିଚାରପତି ତାଙ୍କର ବିଚିତ୍ର ଅଭିଜ୍ଞତାର ନାନା କାହାଣୀ କହିବାକୁ ଲାଗିଲେ । ଶ୍ରୋତା ଡାକ୍ତର ଓ ପ୍ରବୀଣକୁମାର । ଏଣେ ରାଜନୈତିକ ନେତା ମଥୁରାନନ୍ଦ ଓ କୁମାରୀ ବିନୋଦିନୀଙ୍କ ଭିତରେ ବେଶ୍ ଆଲୋଚନା ଆରମ୍ଭ ହୋଇଛି । ଅନ୍ୟାନ୍ୟମାନେ ଏ ଆଲୋଚନାରେ ଯୋଗ ଦେଇଛନ୍ତି ।

 

ହଠାତ୍ ପ୍ରବୀଣକୁମାର ହାତ ବଢ଼ାଇ କହିଲେ–ଆଚ୍ଛା, ସେଇ ଗୋଲ ଟେବୁଲ୍‍ର କାଚ ଷ୍ଟାଣ୍ଡରେ ଏଇଟା କ’ଣ ?

 

ବର୍ଷା ଆଗେଇଯାଇ ଦେଖିଲା, ସେଇଟା ଇସ୍‍କା ପାନ ବିବି । ତା’ପରେ କହିଲା–ମୋ ଘରଭିତରେ ଗୋଟାଏ ପଦ ଲେଖାଅଛି, ଇସ୍‍କା ପାନ ବିବି, ଆମେ ଦଶଜଣ ମେମ୍‍ସାହେବ ବିବି-

 

ସମସ୍ତେ କହିଲେ–ଆରେ, ଆମ ସମସ୍ତଙ୍କ ଘରେ ତ ଏଇଆ ଲେଖାହୋଇ ରହିଛି ।

 

–ଏ ତ ଅବାକ୍ କାଣ୍ଡ ହେ ।

 

–‘ନା, ଏଇଟା ବଡ଼ଲୋକଙ୍କର ଖିଆଲ’, କହିଲେ ବିଚାରପତି ମହାଜନ ।

 

ପ୍ରୋଢ଼ା ବିନୋଦିନୀ ଏହାକୁ ସମର୍ଥନ କଲେ ।

 

ତା’ପରେ ସବୁ ଚୁପ୍‍ଚାପ୍ । ଘରଭିତରେ ଘଡ଼ିଟି ଚାଲିଛି; ତେଣୁ ଟିକ୍ ଟିକ୍ ଶବ୍ଦ ଓ ସମୁଦ୍ରର ସ୍ଵର । ଝରକାଦେଇ ପବନ ଆସୁଛି ।

 

ବିନୋଦିନୀ କହିଲେ–ସମୁଦ୍ରର ଶବ୍ଦ ଖୁବ୍ ଭଲ ଲାଗେ ।

 

ବର୍ଷା କହିଲା–ଭୀଷଣ ବିରକ୍ତିକର ।

 

ସମସ୍ତେ ବର୍ଷା ଆଡ଼କୁ ଅନାଇଲେ । କଥାର ମୋଡ଼ଟି ବଦଳାଇ ବର୍ଷା ଆରମ୍ଭ କଲା–ମୁଁ ଭାବୁଥିଲି, ଯଦି ଝଡ଼ ଉଠେ, ଝଡ଼ବେଳେ କ’ଣ ଏଇଟା ଆରାମପ୍ରଦ ହେବ ?

 

ବିନୋଦିନୀ କହିଲେ–ତା’ ସତ । ଏଠାରେ ନିଜ କାମ ପାଇଁ ଲୋକଟିଏ ମିଳିବା କାଠିକର ପାଠ । ତେବେ ଭାଗ୍ୟ ଭଲ, ରଘୁନାଥ ଓ ତା’ର ସ୍ତ୍ରୀ ଭଳି ଭଲ ଲୋକ ମିଳିଛି ।

 

ବର୍ଷା କହିଲା–ବରିକୁଦର ମହାରାଜା ଓ ମହାରାଣୀଙ୍କର ଅପୂର୍ବ ଦୟା ।

 

ବିନୋଦିନୀ କହିଉଠିଲେ–କାହା ସହିତ ମୋର ଏଯାଏଁ ଦେଖା ପର୍ଯ୍ୟନ୍ତ ହୋଇନି ।

 

କଫିରି ଟ୍ରେ ନେଇ ପଶି ଆସିଲା ରଘୁନାଥ । ରାଜାବାହାଦୁର ଓ ଦ୍ଵୀପର ପ୍ରସଙ୍ଗ ଚପା ପଡ଼ିଗଲା । ସମସ୍ତେ କଫି ଆରମ୍ଭ କଲେ । ବାସ୍ତବିକ ଚମତ୍କାର । ଜଜ୍‍ସାହେବ ଓ ବିନୋଦିନୀ ପାଖାପାଖି ବସିଥିଲେ । ନେତା ମଥୁରାନନ୍ଦ ଅନ୍ୟମନସ୍କଭାବରେ ଦାଢ଼ିରେ ହାତ ବୁଲାଉଥିଲେ ଏବଂ ଡାକ୍ତର ଦୁର୍ଗାମାଧବ ଇସ୍‍କା ପାନ ବିବି ଆଡ଼କୁ ଅନାଇ ରହିଥିଲେ । ମାଧବ ଗୋଟାଏ ସଚିତ୍ର ପତ୍ରିକାର ପୃଷ୍ଠା ଲେଉଟାଉଥିଲା ।

 

ରାତି ସାଢ଼େ ଦଶ ।

 

ଘଡ଼ିର ଶବ୍ଦ । ସମୁଦ୍ରର ସ୍ଵର । ନିଃଶବ୍ଦ ଘର । ନରନାରୀ ସମସ୍ତେ ନୀରବ । ପବନରେ ଆର୍ତ୍ତନାଦ ।

 

ହଠାତ୍ ନିସ୍ତବ୍ଧତା ଭାଙ୍ଗିଗଲା । ସମସ୍ତେ ସଚକିତ ହୋଇଉଠିଲେ । ଏକ ଦୃଢ଼କଣ୍ଠର ସ୍ଵର ଶୁଣାଗଲା–

 

ଭଦ୍ରମହିଳା, ଭଦ୍ର ମହୋଦୟମାନେ,

 

ଆପଣମାନଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ । ଆପଣମାନଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗଗୁଡ଼ିକ ଆପଣଙ୍କୁ ଜଣାଇଦିଆଯାଉଛି, ଶୁଣନ୍ତୁ ।

 

ଡାକ୍ତର ଦୁର୍ଗାମାଧବ, ଆପଣ ପ୍ରତିମା ଦେବୀର ମୃତ୍ୟୁର କାରଣ । ତାରିଖ ଏଗାର ଡିସେମ୍ବର...

 

ଶ୍ରୀମତୀ ବିନୋଦିନୀ, ଶେଫାଳୀର ମୃତ୍ୟୁର ଦାୟିତ୍ୱ ଆପଣଙ୍କର । ନଭେମ୍ବର ସାତ...

 

ଫଟିକ୍, ଅକ୍ଟୋବର ଦଶ ତାରିଖ । ଆପଣ ଜେମସ-ଆଂଲୋର ମୃତ୍ୟୁ ଘଟାଇଛନ୍ତି ।

 

ବର୍ଷା, ଜୁଲାଇ ଚାରି ତାରିଖ, ତୁମେ ବୁବୁନ୍‍କୁ ହତ୍ୟା କରିଛ ।

 

ମାଧବ, ଅଗଷ୍ଟ ସାତ ତାରିଖ, ଆପଣ ଆଦିବାସୀଅଧ୍ୟୁଷିତ ମାଳ ଅଞ୍ଚଳରେ ଏକଚାଳିଶ ଲୋକଙ୍କର ମୃତ୍ୟୁପାଇଁ ଦାୟୀ ।

 

ନେତା ମଥୁରାନନ୍ଦ, ତିନି ଜାନୁୟାରୀ, ଚଉଦ ଅଗଷ୍ଟ ଓ ପାଞ୍ଚ ମାର୍ଚ୍ଚ–ଆପଣ ହଜାର ହଜାର ଲୋକଙ୍କର ମୃତ୍ୟୁର କାରଣସ୍ଵରୂପ । ନିଜ ସ୍ତ୍ରୀର ପ୍ରଣୟୀ ସୁରେନ୍ଦ୍ରକୁ ଆପଣ ହତ୍ୟା କରିଛନ୍ତି-

 

ପ୍ରବୀଣକୁମାର, ଆପଣ କୃଷ୍ଣା ହୋଲକାର ଓ ରୀନା ସିନ୍ଧେଙ୍କର ହତ୍ୟା ଅପରାଧରେ ଅଭିଯୁକ୍ତ । ଜୁନ୍ ସାତ ତାରିଖ ।

 

ରଘୁନାଥ ଓ ତା ସ୍ତ୍ରୀ ମାଳତୀ, ଏପ୍ରିଲ ଦୁଇ ତାରିଖ । ତୁମେ ଦି’ଜଣ ସୁନ୍ଦରୀ ଚୌହାନକୁ ହତ୍ୟା କରିଛ ।

 

ଜଜ୍‍ସାହେବ ମହାଜନ, ଜୁନ୍ ଦଶ ତାରିଖ, ଆପଣ ସୌମେନ୍‍ର ହତ୍ୟା ଅପରାଧରେ ଅପରାଧୀ ।

 

ଅଭିଯୁକ୍ତମାନେ, ନିଜ ପକ୍ଷସମର୍ଥନ ପାଇଁ କ’ଣ କହିବାର ଅଛି ?

 

କଣ୍ଠସ୍ୱରଟା ଥମିଗଲା ।

 

ଝନ୍‍ଝଣାତ୍ ଶଦ୍ଦ । ରଘୁନାଥ କମ୍ପିଉଠୁଛି । ଟ୍ରେଟା ତା’ହାତରୁ ଖସିପଡ଼ିଛି । ଘର ବାହାରେ ଏକ ଆର୍ତ୍ତନାଦ ଓ ପତନଜନିତ ଶଦ୍ଦ ।

 

ମାଧବ ବାହାରକୁ ଦୌଡ଼ିଯାଇ ଦେଖେ ଯେ ଅଚେତନ ଅବସ୍ଥାରେ ପଡ଼ିଛି ରଘୁନାଥର ସ୍ତ୍ରୀ ମାଳତୀ । ମାଧବ ଡାକଦେଲା–ପ୍ରବୀଣକୁମାର, ଶୀଘ୍ର ଆସ । ଦି’ଜଣ ତାକୁ ଧରାଧରି କରି ସୋଫା ଉପରେ ଶୁଆଇଦେଲେ ।

 

ଡାକ୍ତର ପରୀକ୍ଷା କରି କହିଲେ–ଅଜ୍ଞାନ ହୋଇଯାଇଛନ୍ତି । ଭୟର କୌଣସି କାରଣ ନାହିଁ । ଠିକ୍ ହୋଇଯିବ । ମାଧବ ରଘୁନାଥକୁ କହିଲା,–ଟିକିଏ ବ୍ରାଣ୍ଡି ନେଇଆସ ।

 

ରଘୁନାଥର ଦେହଟି ଥରୁଛି । ସେ ଘରୁ ଧୀରେ ଧୀରେ ବ୍ରାଣ୍ଡି ଆଣିବାକୁ ବାହାରିଗଲା ।

 

ବର୍ଷା ଚିତ୍କାରସ୍ଵରରେ କହିଲା–କିଏ ଏପରି କହିଲା ? ସେ ଗଲା କୁଆଡ଼େ ?

 

ମଥୁରାନନ୍ଦଙ୍କର କଣ୍ଠ ଦୃଢ଼, କିନ୍ତୁ ଦେହ ଥରୁଛି । କହିଉଠିଲେ–କିଏ ହୁଏତ ଥଟ୍ଟା କରୁଛି-। ବଡ଼ କଦର୍ଯ୍ୟ କିନ୍ତୁ ।

 

ଫଟିକ୍ ରୁମାଲରେ ଝାଳ ପୋଛୁଛି ଥରକୁ ଥର ।

 

ଜଷ୍ଟିସ୍ ମହାଜନ ଯେପରି ଅବିଚଳିତ । ଶ୍ରୀମତୀ ବିନୋଦିନୀଙ୍କୁ ଦେଖିଲେ ମଧ୍ୟ କିଛି ମନେ ହେଉନାହିଁ । ସେମାନେ ଘର ଚାରିପଟେ ଲକ୍ଷ୍ୟ କରିବାକୁ ଲାଗିଲେ ।

 

ସାହସ କରି ମାଧବ ଘରୁ ବାହାରି ଯାଉ ଯାଉ କହିଲା–ଯଦି ଲୋକଟାକୁ ପାଏଁ, ତେବେ ଠିକ୍ ଦେଖିନେବି । ସେ ବାରଣ୍ଡା, ବଗିଚା ବୁଲିଆସିବା ପରେ ଦେଖିଲା ଯେ ଡ୍ରଇଁରୁମରେ ଲାଗିଥିବା ଗୋଟିଏ ଘରର କବାଟ ବନ୍ଦ । ମାଧବ ଜୋରରେ ଠେଲି ଘରଭିତରକୁ ପଶି ଚିତ୍କାର କଲା–ତେବେ ଏଇ କଥା ?

 

ସମସ୍ତେ ସେଠାରେ ପହଞ୍ଚିଗଲେ । ବିନୋଦିନୀ କିନ୍ତୁ ବସିରହିଲେ ତାଙ୍କ ଚେଆରରେ ।

 

ଗୋଟିଏ ଟେବୁଲ୍‍ ଉପରେ ଗୋଟାଏ ପୁରୁଣା ଗ୍ରାମୋଫୋନ, ଗୋଟାଏ ରେକର୍ଡ଼ । ପୁଣି ପିନ୍‍ଟି ରେକର୍ଡ଼ ଉପରେ ରଖି ଚଳାଇବାରେ ଆରମ୍ଭ ହେଲା ସେଇ ପୁରୁଣା କଥା । ବର୍ଷା ଚିତ୍କାର କଲା–ବନ୍ଦ କରନ୍ତୁ । ବଡ଼ ସାଙ୍ଘାତିକ ।

 

ମାଧବ ବନ୍ଦ କଲା ।

 

ସ୍ୱସ୍ତିର ନିଃଶ୍ୱାସ ମାରିଲେ ଡାକ୍ତର । ମଜା କରିବାପାଇଁ କିଏ ଗୋଟାଏ ଏପରି କରିଛି; କିନ୍ତୁ ଏଇଟା ସାଂଘାତିକ ଓ କଦର୍ଯ୍ୟ ।

 

ପ୍ରବୀଣକୁମାର କହିଲେ–ଏଇଟା ଚଳାଇଲା କିଏ ?

 

–ଠିକ୍ କଥା ତ, କିଏ ସେ ?

 

ସମସ୍ତେ ବୈଠକଖାନାକୁ ଫେରିଆସିଲେ । ରଘୁନାଥ ବ୍ରାଣ୍ଡି ନେଇ ଫେରିଲାଣି । ମାଳତୀର ସେବା କରୁଛନ୍ତି ଶ୍ରୀମତୀ ବିନୋଦିନୀ ।

 

ରଘୁନାଥ ଯାଇ ସ୍ତ୍ରୀ ପାଖରେ ଠିଆହେଲା । ତା’ପରେ ଧୀରେ ଧୀରେ କହିଲା–ମାଳତୀ, କିପରି ଅଛ ? ଭୟ କର ନା, ନିଜକୁ ଶକ୍ତ କର ।

 

ମାଳତୀ ଆଖି ଖୋଲିଲା । ଆଖିରେ ସ୍ପଷ୍ଟ ଭୟର ଚିହ୍ନ । ସେ ସମସ୍ତଙ୍କର ମୁହଁ ଆଡ଼କୁ ଥରେ ଅନାଇଲା ।

 

ରଘୁନାଥ ବ୍ୟସ୍ତତାରେ କହିଉଠିଲା–ଭୟ କର ନା ମାଳତୀ ।

 

ଡାକ୍ତର ସାନ୍ତ୍ୱନା ଦେଲେ–ଏବେ ତମେ ସୁସ୍ଥ ହୋଇଉଠିବ, ମାଳତୀ !

 

ମାଳତୀ କହିଲା–ମୁଁ କ’ଣ ଅଜ୍ଞାନ ହୋଇପଡ଼ିଥିଲି ?

 

–ହଁ ।

 

ସେ ସ୍ୱରଟା ଯେପରି…ମାଳତୀ ପୁଣି ଚେତନା ହରାଇଲା । ଡାକ୍ତର ମାଳତୀ କଣ୍ଠରେ ପୁଣି ବ୍ରାଣ୍ଡି ଢାଳିଦେଲେ । ତା’ପରେ ପୁଣି ଚେତନା ଆସିଲା । ସୁସ୍ଥ ହେଲା ସେ । କହିଲା–ମୁଣ୍ଡଟା ଯେମିତି ବୁଲାଇଦେଲା ।

 

ରଘୁନାଥ କହିଲା–ସେତେବେଳେ ମୋ ହାତରୁ ଟ୍ରେଟା ବି ଯେମିତି ଖସିପଡ଼ିଲା । ସବୁ ମିଥ୍ୟା; କିନ୍ତୁ ସାଙ୍ଘାତିକ ।

 

ଗମ୍ଭୀର ଭାବରେ ଜଷ୍ଟିସ୍ ମହାଜନ ପଚାରିଲେ–କିନ୍ତୁ ରେକର୍ଡ଼ଟି ଚଳାଇଲା କିଏ, ତମେ, ରଘୁନାଥ ?

 

ରଘୁନାଥ ମୁହଁଟା ଗାମୁଛାରେ ପୋଛି କହିଲା–ମୁଁ ତ କେବଳ ଆଦେଶ ପାଳନ କରିଛି ।

 

–କାହାର ଆଦେଶ ?

 

–ରାଜାବହାଦୁରଙ୍କ ଆଦେଶ ।

 

–ସ୍ପଷ୍ଟ କରି କୁହ, କି ଆଦେଶ ସେ ଦେଇଥିଲେ ?

 

–ଗ୍ରାମୋଫୋନ ରେକର୍ଡ଼ଟି ବସାଇ ଚଳାଇଦେବାକୁ । ଗୋଟାଏ ଡ୍ରୟାରରେ ରେକର୍ଡ଼ ଥିବ । ମୁଁ କଫି ଦେଲାବେଳେ ମୋ ସ୍ତ୍ରୀ ଚଳାଇଦେବ ରେକର୍ଡ଼ ।

 

–ଚମତ୍କାର ଗଳ୍ପ ଇଏତ !

 

–ସତକଥା କହୁଛି । ବିଶ୍ୱାସ କରନ୍ତୁ, ଟିକିଏ ବୋଲି ମିଛ ନାହିଁ । ମୁଁ ଭାବିଥିଲି, ନାଚ ବା ଗୀତ । ସେଠାରେ ଗୋଟାଏ ଗୀତର ନାମ ବି ଲେଖାହୋଇଛି ।

 

–ଦେଖି ଦେଖି ରେକର୍ଡ଼ଟି ।

 

ଟେବୁଲ୍‍ ଉପରେ ପଡ଼ିଥିବା ରେକର୍ଡ଼ଟି ନିରୀକ୍ଷଣ କଲେ ସମସ୍ତେ । ଲେଖା ଅଛି–ଶେଷ ସଙ୍ଗୀତ ।

 

–ପ୍ରବୀଣକୁମାର ?

 

–ମୋର ଜଣେ ବନ୍ଧୁଠାରୁ ଟେଲିଗ୍ରାମ ପାଇ ଏଠାକୁ ଆସିଛି ।

 

–ଡାକ୍ତର ଦୁର୍ଗାମାଧବ ?

 

–ଆସିବାକୁ କଲ୍ ପାଇଥିଲି ।

 

–ରାଜାବାହାଦୁରଙ୍କୁ ଚିହ୍ନି ନାହାନ୍ତି ?

 

–ନା ।

 

ମାଧବ ଫଟିକ୍ଆଡ଼କୁ ଏକଦୃଷ୍ଟିରେ ଅନାଇରହିଥିଲା । ସେ କହିଉଠିଲା–ମୋର ଗୋଟିଏ କଥା ଅଛି ।

 

ମହାଜନ କହିଲେ–ଅପେକ୍ଷା କରନ୍ତୁ, ଜଣକ ପରେ ଜଣେ । ତା’ ଛଡା ଆମେ ବର୍ତ୍ତମାନ ଜାଣିବାକୁ ଚାହୁଁ ଯେ ଆମେ କାହିଁକି ଏଠାକୁ ଆସିଛୁ । ଅନ୍ୟ କଥା ପରେ ।

 

–ମଥୁରାନନ୍ଦବାବୁ, ଆପଣ ?

 

–ରାଜାବାହାଦୁର ଲେଖିଥିଲେ ଯେ କେତେଜଣ ପୁରୁଣା ବନ୍ଧୁଙ୍କ ସହିତ ମୋର ଏଠାରେ ଦେଖାହେବ । ଅବଶ୍ୟ ସତ କଥାଟି ସେ କହି ନ ଥିଲେ ।

 

–ଆସନ୍ତୁ ମିଷ୍ଟର ମାଧବ, ଆପଣ ?

 

ମାଧବ ଭାବିଲା, ସତ କଥାଟି କ’ଣ କହିବ । ନା ନା, ସେ ସମସ୍ତଙ୍କ ଭଳି କହିଲା ଯେ, ସେ ଏଠାକୁ ଚିଠି ପାଇ ଆସିଛି । ଚିଠିଟି କିନ୍ତୁ ପାଖରେ ରଖିନାହିଁ ।

 

ଜଜ୍‍ସାହେବ କ’ଣ ଟିକିଏ ଭାବିଲେ, ତା’ପରେ ଫଟିକ୍ ଆଡ଼କୁ ଅନାଇ କହିଲେ–

 

ଦେଖନ୍ତୁ, ଆମେ ଏକ ବିଚିତ୍ର ଅଭିଜ୍ଞତା ଅର୍ଜନ କରିଛୁ । ଗୋଟିଏ ଦେହହୀନ କଣ୍ଠସ୍ଵର-। ପ୍ରତ୍ୟେକଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି । କିନ୍ତୁ ମିଷ୍ଟର ଫଟିକ୍, ଆପଣ ?

 

–ମୋର ପରିଚୟ ଶୁଣନ୍ତୁ । ଆପଣ ଇଚ୍ଛା କଲେ ପରୀକ୍ଷା କରିପାରନ୍ତି । ମୁଁ ଏହା ପୂର୍ବରୁ ପୁଲିସ ଗୋଇନ୍ଦା ବିଭାଗରେ ଥିଲି, ଏବେ ପ୍ରାଇଭେଟ୍ ଡିଟେକ୍‍ଟିଭ । ମୋ କାମରେ ଆସିଥିଲି ।

 

–ଆସିବାକୁ କହିଛି କିଏ ?

 

–ରାଜାବାହାଦୁର୍ । ମୋ ପାଖକୁ ଆସିବାକୁ ଟଙ୍କା ମନିଅର୍ଡ଼ର ମଧ୍ୟ କରାହୋଇଥିଲା । ମୋର କାମ ଏଠାରେ ହେଉଛି ଆପଣମାନଙ୍କ ଉପରେ ନଜର ରଖିବା ।

 

–କାହିଁକି ?

 

–କାଳେ ଚୋରିକରି ନେଇଯିବେ । ଆପଣମାନଙ୍କର ନାମର ଗୋଟିଏ ଲିଷ୍ଟ ମଧ୍ୟ ପାଇଥିଲି । ଯାହା ବୁଝିଲିଣି ସବୁ ମିଛ ।

 

ବର୍ଷା କହିଲା–ଲୋକଟା ପାଗଳ, ମାନେ, ମାଲିକସାହେବ ।

 

ବିଚାରପତି ମହାଜନ ଗମ୍ଭୀର ହୋଇ କହିଲେ–ପାଗଳ ହୋଇପାରେ; କିନ୍ତୁ ତାକୁ ଭୟ କରିବାର ଯଥେଷ୍ଟ କାରଣ ଅଛି ।

 

ତା’ପରେ ସେ ତାଙ୍କର ବକ୍ତବ୍ୟ ଆରମ୍ଭ କଲେ–ମୁଁ ଏଇ ଚିଠିଟି କିଛିଦିନ ତଳେ ପାଇଲି-। ଲେଖିଛନ୍ତି ଲେଡି ଡୋରା ସାମଲ । ମୋର ବିଶେଷ ପରିଚିତ । ଅବଶ୍ୟ କେଇବର୍ଷ ହେଲା ତାଙ୍କ ସହିତ ମୋର ଦେଖାସାକ୍ଷାତ ହୋଇନି । ଶୁଣିଲି ଯେ ସେ ପ୍ରାଚ୍ୟର ଦେଶଗୁଡ଼ିକ ଦେଖିବାକୁ ବାହାରିଛନ୍ତି । ସେ ଯା’ହେଉ ଆମେ ସବୁ ନିମନ୍ତ୍ରଣ ପାଇ ଆସିଛୁ । ଏଗୁଡ଼ିକ ମିଥ୍ୟା ବୋଲି ଧରିଲେ ମଧ୍ୟ ଆମେ ନିଶ୍ଚିତ ଯେ, ଯେ ପଠାଇଛି ସେ ଆମ୍ଭମାନଙ୍କ ସମ୍ପର୍କରେ ବହୁ ଗୂଢ଼ ସମ୍ବାଦ ହାସଲ କରିପାରିଛି ।

 

ଲେଡି ଡୋରା ସାମଲଙ୍କର ଚିଠିଲେଖାର ଭଙ୍ଗୀଟି ଯେପରି ଅତି ସୁନ୍ଦର; ଦକ୍ଷତା ସହ ଲେଖିଛନ୍ତି । ତେଣୁ ମୁଁ କହୁଛି ଯେ ଚିଠିଗୁଡ଼ିକର ପ୍ରେରକ ବହୁତ କଥା ଆମ ସମ୍ପର୍କରେ ଜାଣିଛି ।

 

ଟିକିଏ କହି, ଅଳ୍ପ କାଶି ଜଜ୍‍ କହିଲେ–ସେ ଆମ ବିଷୟରେ ଅନେକ କିଛି ଜାଣିଛି । ଜାଣିଛି ବୋଲି ଆମ ବିରୁଦ୍ଧରେ ଏକ ସ୍ପଷ୍ଟ ଅଭିଯୋଗ ଆଣିବାକୁ ସମର୍ଥ ହୋଇଛି ।

 

ମଥୁରାନନ୍ଦ କହିଲେ–ଏସବୁ ମିଥ୍ୟା ଅଭିଯୋଗ ।

 

ଜଜ୍‍ସାହେବ କହିଲେ–ଏହି ଅଜ୍ଞାତ ଲୋକଟି ମୋ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଯେ ମୁଁ ସୌମେନ୍‍ ନାମକ ଏକ ବ୍ୟକ୍ତିର ମୃତ୍ୟୁ ପାଇଁ ଦାୟୀ । ମୋ ଇଜ୍‍ଲାସରେ ତା’ର ବିଚାର ହୋଇଥିଲା । ଏକ ବୟସ୍କା ନାରୀର ହତ୍ୟା ଅଭିଯୋଗରେ ସେ ଅଭିଯୁକ୍ତ । ସୌମେନ୍‍ ତା’ ପକ୍ଷ ଚମତ୍କାର ଭାବରେ ସମର୍ଥନ କଲା । କିନ୍ତୁ ତା’ ବିରୁଦ୍ଧରେ ଯାହା ସାକ୍ଷୀ ପ୍ରମାଣ ଥିଲା, ସେଥିରେ ତା’ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ସମର୍ଥିତ ହେଲା ଏବଂ ମୁଁ ରାୟ ଦେଲି । ମୃତ୍ୟୁଦଣ୍ଡ ପାଇଲା ସେ । ଏ ବ୍ୟାପାରରେ ମୁଁ ମୋ ବିବେକ ନିକଟରୁ ଦାୟମୁକ୍ତ । ମୁଁ କେବଳ ମୋର କର୍ତ୍ତବ୍ୟ ପାଳନ କରିଥିଲି ମାତ୍ର ।

 

ଡାକ୍ତର ଦୁର୍ଗାମାଧବ ଏ ମୋକଦ୍ଦମା କଥା ଶୁଣିଥିଲେ । ସେ ଜଣେ ଆଡ଼ଭୋକେଟ ବନ୍ଧୁଙ୍କଠାରୁ ଶୁଣିଥିଲେ ଯେ...ଜଜ୍‍ର କୌଣସି ଗୁପ୍ତ ବା ତୀବ୍ର ବ୍ୟକ୍ତିଗତ ଆକ୍ରୋଶ ଥିଲା ସୌମେନ୍‍ ବିରୁଦ୍ଧରେ । ତା’ ନ ହେଲେ ସୌମେନ୍‍ ଖଲାସ ହୋଇଯିବାର କଥା ।

 

ଡାକ୍ତର ପଚାରିଲେ–ଆପଣ ଏ ମୋକଦ୍ଦମା ପୂର୍ବରୁ ସୌମେନ୍‍କୁ ଜାଣିଥିଲେ ?

 

ମୁହୂର୍ତ୍ତକ ପାଇଁ ଜଜ୍‍ସାହେବଙ୍କ ଆଖି ଦିଓଟି ଜଳିଉଠିଲା, ତା’ପରେ ପୁଣି ଶାନ୍ତ ହୋଇଗଲା । ଧୀର କିନ୍ତୁ ଦୃଢ଼କଣ୍ଠରେ କହିଲେ–ମୋକଦ୍ଦମା ପୂର୍ବରୁ ସୌମେନ୍‍ର ନାମ ବି ମୁଁ କାନରେ ଶୁଣିନାହିଁ ।

 

ଡାକ୍ତର ଦୁର୍ଗାମାଧବ ମନେ ମନେ ରାଗିଉଠିଲେ–ଜଜ୍‍ସାହେବ, ତମେ ମିଥ୍ୟାବାଦୀ । ମୁଁ ଜାଣେ ତମେ ମିଛ କହୁଛ ।

 

ବର୍ଷା କମ୍ପିତ କଣ୍ଠରେ କହୁଥିଲା । ସେ କହିଲା–ଏହି ଶିଶୁଟିର କଥା ଆପଣ ଶୁଣନ୍ତୁ ।

 

ଶିଶୁଟିର ଡାକ ନାମ ବୁବୁନ୍ । ମୁଁ ତା’ର ଦେଖାଶୁଣାର ଭାର ନେଇଥିଲି–ଗଭର୍ନେସ, ଶିକ୍ଷିକା ଓ ସଙ୍ଗୀ । ହଠାତ୍ ବର୍ଷା କାନ୍ଦିଉଠିଲା । ତା’ପରେ ଟିକିଏ ସମ୍ଭାଳି କହିଲା–କି ସୁନ୍ଦର, ଚଞ୍ଚଳ ଥିଲା ସେ ! ଏହି ଚଞ୍ଚଳତା ହିଁ ତା’ର କାଳ ହେଲା । ଦିନେ ସେ ପାଣିରେ ପହଁରିବାକୁ ଗୋଡ଼ ବଢ଼ାଇ ତା’ର ଗୋଡ଼ ଖସିଗଲା । ମୁଁ ତାକୁ ଉଠାଇଲାବେଳକୁ ସବୁ ଶେଷ ହୋଇଯାଇଛି । ମୁଁ ନିର୍ଦ୍ଦୋଷ । ତଦନ୍ତରେ ନିର୍ଦ୍ଦୋଷ । ମୋର ଯେପରି ଦୋଷ ନ ହେବ ସେଥିପାଇଁ ତା’ ମା ଖୁବ୍ ଚେଷ୍ଟା କରିଥିଲେ । ଅଥଚ ଏଠାରେ ମୋ ନାଁରେ ଅପବାଦ ।

 

କାନ୍ଦିଉଠିଲା ବର୍ଷା ।

 

ମଥୁରାନନ୍ଦ ତା’ ମୁଣ୍ଡ ଉପରେ ହାତ ବୁଲାଇ କହିଲେ–କାନ୍ଦନା । ତମ ବିରୁଦ୍ଧରେ ଅଭିଯୋଗ ଆମେ ବିଶ୍ୱାସ କରୁନା । ଦେଖନ୍ତୁ ମୋ ସ୍ତ୍ରୀଙ୍କ ସହିତ ସୁରେନ୍ଦ୍ରର ନାମ ଜଡ଼ିତ କରିବା ଉଚିତ, ହୋଇନାହିଁ । ସୁରେନ୍ଦ୍ର ଥିଲା ଏକ ସାମାନ୍ୟ ବ୍ୟକ୍ତି । ସମ୍ପୂର୍ଣ୍ଣ ସ୍ଵାଭାବିକଭାବରେ ତା’ର ମୃତ୍ୟୁ ହୋଇଛି । ଫୁଲିସ, ଡାକ୍ତର ରିପୋର୍ଟତ ଅଛି । ମୋ ସ୍ତ୍ରୀ ଥିଲେ ସତୀ ।

 

ମଥୁରାନନ୍ଦ ନିଜର ଚିବୁକଟି ଧରି ବସିପଡ଼ିଲେ । ଏତିକି କହିବାରେ ତାଙ୍କୁ ଯେପରି ପ୍ରଚଣ୍ଡ ମାନସିକ ଶକ୍ତି ବ୍ୟୟ କରିବାକୁ ପଡ଼ିଛି । ଭିତରେ ଗଭୀର କ୍ଳାନ୍ତି ଓ ଅବସାଦ ।

 

ମାଧବ କହିଲା–ଦେଖନ୍ତୁ, ମୋ ବିରୁଦ୍ଧରେ ଯେଉଁ ଅଭିଯୋଗ ହୋଇଛି ତାହା ସମ୍ପୂର୍ଣ୍ଣ ସତ୍ୟ । ନିଜେ ବଞ୍ଚିଲେ ବାପର ନାମ । ମୋର ବାସ୍ତବ ବୁଦ୍ଧିକୁ ଆପଣମାନେ, ଆଶାକରେଁ, ଅସ୍ଵୀକାର, କରିବେ ନାହିଁ । କେତେଟା ସଭ୍ୟ ମଣିଷ ବଦଳରେ କେତୁଟା ବଣର ମଣିଷ ମରିଯିବାରେ ଦୁଃଖ କଣ ?

 

ବର୍ଷା କହିଲା–ଆପଣ ସେମାନଙ୍କୁ ମରଣମୁହଁରେ ପକାଇ ଆସିପାରିଲେ ?

 

–ହ, ମୁଁ ସମର୍ଥ ।

 

ହସିଲା ମାଧବ ।

 

ପ୍ରବୀଣକୁମାର କହିଲେ–ମୋର ଅଭିଯୋଗ କଥା ମୁଁ ଭାବୁଛି । ଏଇ କଲେଜଛକ ପାଖରେ ଯୋଡ଼ାଏ ପିଲା ଥରେ ମୋ ଗାଡ଼ିତଳକୁ ଆସି ପଡ଼ିଗଲେ ।

 

ଜଜ୍ କହିଲେ–ଭୁଲ୍‍ଟା ତ ତମର ।

 

–ମୁଁ ନିଜର କଥା କହୁଛି । ତେବେ ଆପଣ ଭୁଲ୍ କହୁନାହାନ୍ତି । ସେମାନଙ୍କର ଭାଗ୍ୟ ମଧ୍ୟ ମନ୍ଦ ଥିଲା । ଏଇଟା ଗୋଟାଏ ଆକ୍ସିଡେଣ୍ଟ । ତେଣୁ ମୁଁ ଏ ବ୍ୟାପାରରେ ଦାୟୀ ନ ଥିଲି ।

 

ରଘୁନାଥ କହିଲା–ମୋ ନାମରେ ଏବଂ ମୋ ସ୍ତ୍ରୀ ନାମରେ ଯାହା କୁହାଯାଇଛି ତାହା ମିଥ୍ୟା । ସୁନ୍ଦରୀ ଚୌହାନ ଥିଲେ ଆମର ମା’ଭଳି ସ୍ନେହମୟୀ । ସ୍ୱାମୀ ସ୍ତ୍ରୀ ତାଙ୍କର ସେବା କରୁଥିଲୁଁ । ହଠାତ୍ ଦେହ ଖରାପ ହେଲା । ଝଡ଼ ଭିତରେ ଡାକ୍ତର ପାଖକୁ ଯାଇ ଫେରିଲାବେଳକୁ ହାର୍ଟଫେଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଆମେ ଶେଷ ପର୍ଯ୍ୟନ୍ତ ତାଙ୍କର ସେବା କରିଛୁଁ । କେହି ତ ଆମକୁ ଦୋଷ ଦେଇନି ।

 

ଫଟିକ୍ ଫୁଲିସ ଭଙ୍ଗୀରେ କହିଲା–ଆହା, ସେ ତ ଗଲେ; କିନ୍ତୁ ତମକୁ ତ କିଛି ଦେଲେ-?

 

ରୁକ୍ଷ କଣ୍ଡରେ କହିଲା ରଘୁନାଥ–ନ ଦେବାର କାରଣ ନ ଥିଲା ।

 

ମାଧବ କହିଲା–ମିଷ୍ଟର ଫଟିକ୍, ଏବେ ଆପଣଙ୍କ କଥା କହନ୍ତୁ ।

 

–ଓ, ସେହି ବ୍ୟାଙ୍କଲୁଟର ଆସାମୀ ଜେମ୍‍ସ ଆଂଲୋ ?

 

ଜଜ୍ କହିଲେ–ହଁ, ମନେପଡ଼ୁଛି ସେକଥା । କୋର୍ଟକୁ ଅବଶ୍ୟ ମାମଲାଟି ଆସିନାହିଁ । ଆପଣଙ୍କର ମନ୍ତବ୍ୟ ଅନୁଯାୟୀ ଜେମ୍‍ସ ଆଂଲୋ ଶାସ୍ତି ପାଇଲା । ପୁଲିସ ତରଫରୁ ଆପଣ ମକଦ୍ଦମା ଚଳାଉଥିଲେ ନା ?

 

–ଜେଲ୍‍ ହାସପାତାଳରେ ସେ ମରିଗଲା ।

 

–ଆପଣ ପୁରଷ୍କାର ପାଇଥିଲେ କି ?

 

–କର୍ତ୍ତବ୍ୟପାଳନ ପାଇଁ ପଦୋନ୍ନତି ଘଟିଥିଲା ।

 

ଏଥର ଜଜ୍‍ସାହେବ ଡାକ୍ତରଙ୍କୁ ଡାକି କହିଲେ–ଡାକ୍ତର, ଏବେ ଆପଣ ଆପଣଙ୍କର କଥା କହନ୍ତୁ ।

 

ଡାକ୍ତର କହିଲେ–ପ୍ରତିମା ନାମରେ କୌଣସି ରୋଗୀର କଥା ମୁଁ ମନେକରିପାରୁନି । ସେ ମୃତ୍ୟୁ ସହିତ ମୁଁ ଅବା ଜଡ଼ିତ ହେବି କିପରି ? ହାସପାତାଳରେ, ଧରନ୍ତୁ ଗୋଟାଏ ଅପରେସନ୍ କେସ୍ । ଅନେକ ତ ପ୍ରାୟ ଡେରିରେ ଆସନ୍ତି । ମରିଗଲେ ଡାକ୍ତରର ଦୋଷ ହୁଏ ।

 

ମନେ ମନେ କିନ୍ତୁ ଭାବିଲେ ଡାକ୍ତର–ହଁ ହଁ, କଥାଟି ସତ । ନିଶା ଖାଇ ଅପରେସନ୍ କଲି । ହାତ କମ୍ପିଉଠିଲା । ମୁଁ ତାକୁ ମାରିପକାଇଥିଲି । ପ୍ରତିମା ସୁନ୍ଦର ଝିଅଟି । ଅପରେସନ୍‍ର ସାମାନ୍ୟ ଗଣ୍ଡଗୋଳରେ ମରିଗଲା । କିନ୍ତୁ ଏ କଥାଟି ତ କେହି ଜାଣନ୍ତି ନାହିଁ । ସିନିଅର ନର୍ସ କେବଳ ଜାଣିଥିଲେ । ଏତେଦିନ ପରେ ଏକଥା ପୁଣି କିପରି ଜଣାପଡ଼ିଲା ?

 

ଏଥର ଶ୍ରୀମତୀ ବିନୋଦିନୀ । ସମସ୍ତଙ୍କ ଆଡ଼କୁ ସେ ଅନାଇଲେ । ତା’ପରେ କହିଲେ–ମୁଁ ବିବେକ ଅନୁସାରେ ସର୍ବଦା ଚଳିଆସିଛି । ଆଜି ବି ସେଇଆ ।

 

ବିନୋଦିନୀଙ୍କର ମତଟା ବଦଲିଲା ନାହିଁ ।

 

ଏଥର ଜଜ୍ କହିଲେ–ରଘୁନାଥ, ଆମର ତଦନ୍ତ ଶେଷ ହେଲା । ଆଚ୍ଛା, ତମ ଦି’ଜଣଙ୍କ ଛଡ଼ା ଏ ଦ୍ୱୀପରେ ଆଉ କେହି ଅଛନ୍ତି ?

 

–ନା ସାର୍, କେହି ନାହିଁ ।

 

–ସବୁକଥା ବିଚାର କରି, ମନେହେଉଛି, ଯେ ନିମନ୍ତ୍ରଣ କରି ଡାକିଆଣିଛି ସେ ସୁସ୍ଥମସ୍ତିଷ୍କ ଲୋକ ନୁହେଁ । ମୋର ମନେହୁଏ, ଲୋକଟି ବିପଜ୍ଜନକ । ଯେତେଶୀଘ୍ର ଏ ଦ୍ଵୀପ ଗ୍ଥଡ଼ି ଚାଲିଯିବା ସେତେ ମଙ୍ଗଳ । ମୋର ପ୍ରସ୍ତାବ, ଆଜି ରାତିରେ ଚାଲିଯିବା ।

 

–ବୋଟ୍ ତ ନାହିଁ ।

 

–କୂଳ ସହିତ ଯୋଗାଯୋଗ ରଖୁଛ କିପରି ?

 

–ପ୍ରତିଦିନ ସକାଳେ ଗୋଟାଏ ବୋଟ୍ ଆସି ଜିନିଷପତ୍ର, ଚିଠିପତ୍ର ଦେଇଯାଏ ଓ ଫରମାସ ନେଇଯାଏ ।

 

ଚିନ୍ତିତ ମହାଜନ କହିଲେ–ତେବେ କାଲି ସକାଳ ପର୍ଯ୍ୟନ୍ତ, ଆମକୁ ଅପେକ୍ଷା କରିବାକୁ ପଡ଼ିବ ।

 

ସମସ୍ତେ ଏକମତ ହେଲେ କିନ୍ତୁ ପ୍ରବୀଣକୁମାର କହିଲେ–ମୁଁ ଏ ରହସ୍ୟର ଆଭାସ ପାଉଛି । ନିଶ୍ଚୟ ସମାଧାନ କରିବି । ମୁଁ ବିପଦକୁ ଭୟ କରେନା ।

 

ହଠାତ୍ ଟେବୁଲ୍‍ ଉପରେ ଇସ୍‍କା ପାନ ବିବିଟି ଯେପରି ଓଲଟପାଲଟ ଖାଇବାକୁ ଲାଗିଲା ।

 

ମାଧବ ଆଗେଇଯାଇ ତାସ୍‍ମୁଠାଟି ନେଇଆସିଲା । ଟେବୁଲ୍‍କୁ ଘେରି ସମସ୍ତେ ବସିଛନ୍ତି । ରଘୁନାଥର ସ୍ତ୍ରୀ ମାଳତୀ କେବଳ ନାହିଁ ।

 

ତାସ୍‍ଗୁଡ଼ିକ ଦି’ଚାରିଥର ଘୂରାଇ ଫେରାଇ ଓସ୍ତାଦ୍ ଭଙ୍ଗୀରେ ମାଧବ କହିଲା–ନିଜର ତାସ୍ ଟାଣିନିଅନ୍ତୁ । ସମସ୍ତେ ଆଗ୍ରହରେ ତାସ୍‍ଗୁଡ଼ିକ ଟାଣିନେବାକୁ ଲାଗିଲେ, ଏକ ଦୁଇ ତିନି ଚାରି ପାଞ୍ଚ ଛଅ ସାତ ଆଠ ନଅ ।

 

ଫଟିକ୍ କହିଲା–ରଘୁନାଥ ର ସ୍ତ୍ରୀ ମାଳତୀର କାର୍ଡ଼ଗୁଡ଼ିକ ଅଲଗା ରଖ ।

 

ସମସ୍ତେ ନିଜର ତାସ୍‍ଗୁଡ଼ିକ ଦେଖିଲେ । ସମସ୍ତଙ୍କ ଭିତରେ ସନ୍ଦେହର ବହ୍ନି ।

 

ପ୍ରବୀଣକୁମାର ଠିଆହେଲେ । ସେ ସମସ୍ତଙ୍କର ତାସ୍‍ଗୁଡ଼ିକ ନେଇ ପୁଣି ଫେଣ୍ଟି ଟେବୁଲ୍‍ ଉପରେ ରଖି ଟେବୁଲ୍‍ରୁ ଗୋଟାଏ ଗ୍ଲାସ୍ ଟେକିନେଇ ମୁହଁ ପାଖରେ ଧରିଲେ ।

 

ମୁହଁଟା ବିକୃତ ହୋଇଉଠିଲା ।

 

ହାତରୁ ଗିଲାସଟି ଖସିପଡ଼ିଲା । ଚେୟାରରୁ ଖସିପଡ଼ିଲେ ତଳକୁ ସେ । ବାଁ ହାତରେ ଇସ୍‍କା ପାନ ବିବିର ତାସ୍ ।

 

ତାସ୍‍ଟା ମାଧବ ଚଟାପଟ ଉଠାଇ ପୁଣି ଫଟୋ ଷ୍ଟାଣ୍ଡରେ ରଖିଦେଲା ।

 

ଏପରି ଦ୍ରୁତ ଓ ଅପ୍ରତ୍ୟାଶିତ ଭାବରେ ଘଟଣାଟି ଘଟିଲା ଯେ ସମସ୍ତେ ନିର୍ବାକ୍, ନିସ୍ପନ୍ଦ !

 

ତଳେ ଲୁଣ୍ଠିତ ଦେହଟି ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ।

 

ଡାକ୍ତର ପ୍ରଥମେ ଆଗେଇଗଲେ । ଆଣ୍ଠୁମାଡ଼ି ନାଡ଼ି ପରୀକ୍ଷା କଲେ । ତା’ପରେ ଧୀରେ କହିଲେ–ମରିଯାଇଛି ।

 

ସମସ୍ତେ ଯେପରି ବିଶ୍ୱାସ କରିପାରିଲେ ନାହିଁ । ଏଡ଼େ ସୁନ୍ଦର ସ୍ୱାସ୍ଥ୍ୟବାନ୍ ଯୁବକର କି ଶୋଚନୀୟ ପରିଣତି ! ଏହା କ’ଣ ସମ୍ଭବ ?

 

ମଥୁରାନନ୍ଦ କହିଲେ–ଆପଣ କ’ଣ ମନ୍ତବ୍ୟ ଦେଉଛନ୍ତି ଡାକ୍ତର ?

 

–ଶ୍ୱାସରୁଦ୍ଧତା ତାହାର ମୃତ୍ୟୁର କାରଣ ।

 

ଗିଲାସଟି ଉଠାଇନେଲେ ଡାକ୍ତର । ଟିକିଏ ଶୁଙ୍ଘିଲେ । ତଳେ ପଡ଼ିରହିଥିବା ପାଣିରେ ଅଙ୍ଗୁଳି ଦେଇ ନିଜ ଜିଭରେ ଧୀରେ ସ୍ପର୍ଶ କଲେ । ତା’ପରେ ପ୍ରବୀଣକୁମାର ଆଡ଼କୁ ଅନାଇଲେ । ଓଠ ଦିଓଟି ନୀଳ, ବିକୃତ ।

 

ଡାକ୍ତର କହିଲେ–ପ୍ରବୀଣକୁମାରର ମୃତ୍ୟୁ ଅସ୍ୱାଭାବିକ ନୁହେଁ ।

 

ବର୍ଷା ପଚାରିଲା–ଗିଲାସରେ କ’ଣ ଥିଲା କି ଡାକ୍ତର ?

 

–ହଁ, ଠିକ୍ କହିପାରୁନି । ବୋଧହୁଏ ପଟାସିୟମ୍ ସାୟନାଇଡ୍‍ । ଶୀଘ୍ର କାମ କରିଛି ।

 

ବିଚାରପତି ବିସ୍ମୟରେ କହିଲେ–କ’ଣ, ଗିଲାସରେ ଥିଲା ? ହଁ ।

 

ମାଧବ ପଚାରିଲା–ପ୍ରବୀଣକୁମାର କ’ଣ ନିଜେ ମିଶାଇ ପିଇଛି ବୋଲି ଭାବୁଛନ୍ତି ?

 

ଫଟିକ୍ କହିଉଠିଲା–ଆତ୍ମହତ୍ୟା, ଆଶ୍ଚର୍ଯ୍ୟ !

 

ବର୍ଷା ଧୀରେ ଧୀରେ କହିଲା–ନା, ଏହା ଆତ୍ମହତ୍ୟା ନୁହେଁ ।

 

ଡାକ୍ତର କହିଲେ–ଆତ୍ମହତ୍ୟା କ’ଣ ଆଉ ହୋଇପାରେ ?

 

ସମସ୍ତେ ମୁଣ୍ଡ ହଲାଇଲେ । ନା, ଆତ୍ମହତ୍ୟା ଛଡ଼ା ଆଉ କିଛି ହୋଇ ନ ପାରେ । ଟେବୁଲ୍‍ର ଅନ୍ୟ ଗ୍ଲାସର ପାନୀୟ ପରୀକ୍ଷା କରାଗଲା । କିନ୍ତୁ ସେଗୁଡ଼ାକରେ କିଛି ନ ଥିଲା । ସମସ୍ତେ ଲକ୍ଷ୍ୟ କରିଥିଲେ ଯେ ପ୍ରବୀଣକୁମାର ଉଠିଯାଇ ଟେବୁଲ୍‍ର ସେ କଡ଼ର ଗିଲାସଟି ପିଇବାକୁ ନେଇଥିଲେ ।

 

–ତଥାପି, ପ୍ରବୀଣକୁମାର ଆତ୍ମହତ୍ୟା କରିବ କାହିଁକି ? ଫଟିକ୍ କହିଲା–ଡାକ୍ତର, ମୋର ମନେହେଉଛି ଗୋଟାଏ କେଉଁଠି ଅଜଣା ରହସ୍ୟ ରହିଛି । ଆତ୍ମହତ୍ୟା କଲାଭଳି ପିଲା ପ୍ରବୀଣକୁମାର ନ ଥିଲା ।

 

ଡାକ୍ତର ହଁ ଭରିଲେ ।

 

ଡାକ୍ତର ଓ ମାଧବ ପ୍ରବୀଣକୁମାର ମଲା ଦେହକୁ ତା ଘରକୁ ନେଇଯାଇ ରଖି ତା’ ଉପରେ ଧଳା ଚାଦର ଢାଙ୍କିଦେଲେ । ତଳକୁ ଓହ୍ଲାଇଲେ । ଥଣ୍ଡା ନାହିଁ ଅଥଚ ସମସ୍ତେ ଶୀତରେ କମ୍ପିଉଠୁଛନ୍ତି । ପାରସ୍ପରିକ ଏହି ସାନ୍ନିଧ୍ୟ ଟିକକ ଯେପରି ନିରାପତ୍ତା ।

 

ବିନୋଦିନୀ କହିଲେ–ରାତି ଅନେକ ହେଲାଣି, ଏବେ ଶୋଇବାକୁ ଗଲେ ହୁଅନ୍ତା ?

 

ରାତି ବାରଟା, ନା ଟିକିଏ ନିଦ, ବିଶ୍ରାମ ଦରକାର–କହିଲେ ମହାଜନ ।

 

ରଘୁନାଥ କହିଲା–ମୁଁ ତ କିଛି ସଫାସୁତୁରା କରିପାରିନି ଏ ଯାଏଁ । କି ଯେ ବିପତ୍ତି !

 

ଶାନ୍ତ ଭାବରେ କହିଲା ମାଧବ–କାଲି କରିବ ।

 

ଆଚ୍ଛା, ତମର ସ୍ତ୍ରୀ ଭଲ ତ ? ଡାକ୍ତର ପଚାରିଲେ ।

 

–ଟିକିଏ ଦେଖିଆସେଁ । କିଛି ସମୟ ପରେ ଫେରିଆସି କହିଲା–ଖୁବ୍ ଗାଢ଼ ନିଦରେ ଶୋଇଛି ।

 

–ବେଶ୍, ତାକୁ ଉଠାଇବ ନାହିଁ ।

 

–ମୁଁ ଟିକିଏ ପରିଷ୍କାର କରି ଶୋଇପଡ଼ିବି ।

 

–ବେଶ୍ ।

 

ରଘୁନାଥ ଚାଲିଗଲା । ସମସ୍ତେ ଯେଝା ଘରକୁ ଚାଲିଗଲେ । ସମସ୍ତେ ବିସ୍ମୟରେ ଦେଖୁଛନ୍ତି ଜୀବନ୍ତ ଇସ୍‍କା ପାନ ବିବିଟି ପାଟି ମେଲାଇ ହସୁଛି ।

 

ବିଚାରପତି ଶୋଇବାକୁ ଗଲେ । ସେ ଭାବୁଥିଲେ ସୌମେନ୍ଦ୍ରର କଥା । ସୌମେନ୍ଦ୍ରର ଓକିଲ ଅକାଟ୍ୟ ଯୁକ୍ତି ବାଢ଼ିଥିଲେ । ଜଜ୍‍ସାହେବ କାନ୍ଥଘଡ଼ିରେ ଚାବି ଦେଲେ । ସୌମେନ୍ଦ୍ର ଜେରାରେ ଯାହା ଉତ୍ତର ଦେଇଥିଲା ବାସ୍ତବିକ୍ ଖୁବ୍ ଭଲ । ଟିକିଏ ବୋଲି ଉତ୍ତେଜିତ ହୋଇ ନ ଥିଲା । ସମସ୍ତେ ଜାଣିଥିଲେ ସୌମେନ୍ଦ୍ର ଖଲାସ ହୋଇଯିବ ।

 

ପାଟି ଭିତରୁ ବନ୍ଧା ଦାନ୍ତଗୁଡ଼ିକ ଖୋଲି ଗିଲାସ ଭିତରେ ପାଣିରେ ବୁଡ଼ାଇଦେଲେ । କି ବୀଭତ୍ସ ଦିଶୁଛି ତାଙ୍କ ମୁହଁ–ନିଷ୍ଠୁର, ଭୟଙ୍କର !

 

ନା, ସେ ସୌମେନ୍ଦ୍ରକୁ ମୁକ୍ତି ଦେଲେ ନାହିଁ । ଆଲୋକ ନିଭାଇଲେ ମହାଜନ । କିନ୍ତୁ କାହିଁକି ?

 

ମଥୁରାନନ୍ଦଙ୍କର ଆଖିକୁ ନିଦ ଆସୁନାହିଁ । ଅନ୍ଧକାର ଭିତରେ ଯେପରି ଦେଖୁଥିଲେ ସୁରେନ୍ଦ୍ରର ମୁଖଟି । ଏହାକୁ ସେ ଭଲ ପାଇ ପାଖରେ ରଖିଥିଲେ । ଜୁନିଅର ଆଡଭୋକେଟ–ଜୁନିଅର ନେତା । ମଥୁରାନନ୍ଦଙ୍କ ସ୍ତ୍ରୀ ମିନତି ସହିତ ତା’ର ଥିଲା ଅନ୍ତରଗତ ପ୍ରେମ । ସେମାନେ ପ୍ରାୟ ପ୍ରତିଦିନ ଲାଉଞ୍ଜରେ ବସି ଗଳ୍ପ କରୁଥିଲେ ।

 

ମଥୁରାନନ୍ଦ ସ୍ତ୍ରୀ ମିନତିକୁ ଖୁବ୍ ପ୍ରେମ କରୁଥିଲେ; ହୃଦୟଭରି ଭଲ ପାଉଥିଲେ । ସୁନ୍ଦରୀ ନୀଳନୟନା କୁଞ୍ଚିତକେଶା ମିନତି । ମଥୁରାନନ୍ଦ କିନ୍ତୁ ମିନତି ସହିତ ସୁରେନ୍ଦ୍ରର ଗୋପନ ଇତିହାସ ଜାଣିପାରିଲେ । ସେମାନେ ହୁଏତ ଜାଣି ପାରି ନ ଥିଲେ । ଦିନେ ସୁରେନ୍ଦ୍ରର ପ୍ରେମପତ୍ର ମିନତି ବଦଳରେ ସେ ଗୋପନରେ ସଂଗ୍ରହ କଲେ । ତା’ପରେ ସେ ଜାଣିଶୁଣି ଗୁଣ୍ଡାମାନଙ୍କଦ୍ଵାରା ସୁରେନ୍ଦ୍ରକୁ ଖତମ କରିଦେଲେ । ମିନତି ସୁରେନ୍ଦ୍ରର ମୃତ୍ୟୁ ଖବର ଶୁଣିଲା । ମିନତି ବଞ୍ଚି ରହିଥିବା ଭିତରେ ଅନୁରକ୍ତ ସ୍ୱାମୀ ରୂପେ ଚମତ୍କାର ଅଭିନୟ କରିଗଲେ ମଥୁରାନନ୍ଦ । ତା’ପରେ ମିନତିର ମୃତ୍ୟୁ ହେଲା । ଆଜି ଏତେଦିନ ପରେ ସୁରେନ୍ଦ୍ର ମିନତିର ପ୍ରଣୟ କଥା କିଏ କିପରି ଜାଣିଲା ? ଅଦ୍ଭୁତ ବ୍ୟାପାର !

 

ଚୁପ୍‍ଟି କରି ଶୋଇଛି ବର୍ଷା । ବିଛଣା ପାଖରେ ଆଲୋକଟି ଜଳୁଛି । ଆଜି ତା’ର ଅନ୍ଧକାରକୁ ବଡ଼ ଭୟ ।

ମନେପଡ଼ୁଛି ବୁବୁନ୍ କଥା । କି ସୁନ୍ଦର ପିଲାଟି !

ସେଦିନ କଥା ମନେପଡ଼ୁଛି, ପ୍ରେମକୁମାର କଥା । ସେଦିନ ଆସି କହିଥିଲା–ବର୍ଷା, ମୁଁ ବଡ଼ ଗରିବ । ମୋର ଦାରିଦ୍ର୍ୟ ଚିରଦିନ ତମ ଓ ମୋ ଭିତରେ ବ୍ୟବଧାନ ସୃଷ୍ଟି କରିଛି ।

ବର୍ଷା କହିଲା–ନା, ପ୍ରେମକୁମାର, ତମେ ଗରିବ ନୁହଁ, ମୁଁ ଗରିବ ।

–ତମେ ଜାଣନା, ଆଇନ ଅନୁସାରେ ଏ ସମ୍ପତ୍ତିର ଅଧିକାରୀ ମୋର କକା । ଯଦି ଏ ସମ୍ପତ୍ତିର ଅଧିକାର ମୁଁ ପା’ନ୍ତି... । କକା ମୋ’ଠାରୁ ବଡ଼ । ତାଙ୍କର ପିଲାପିଲି ନ ହେବାରୁ ସମସ୍ତେ ଭାବିଥିଲେ ମୁଁ ହେବି ଏ ସମ୍ପତ୍ତିର ଅଧିକାରୀ । ତା’ପରେ ଆସିଲା ବୁବୁନ୍ । ଆଉ ମୋର ଅଧିକାର ନାହିଁ ।

ତା’ ପରଦିନ ପାଣିରେ ବୁଡ଼ିମଲା ବୁବୁନ୍ । କ’ଣ ବର୍ଷା ଇଚ୍ଛା କରିଥିଲେ ତାକୁ ବଞ୍ଚାଇ ପାରି ନ ଥାନ୍ତା ? ନା, ପାରିଥାନ୍ତା । କିନ୍ତୁ ପ୍ରେମକୁମାର...

ପ୍ରେମକୁମାର କିନ୍ତୁ ବର୍ଷାର ମୁଖଦର୍ଶନ ଆଉ କରିନି । ବର୍ଷା କହିଲା–ଆଗୋ ପ୍ରେମଦେବତା ପ୍ରେମକୁମାର, ମୋ ମନରେ ଶାନ୍ତି ଦିଅ । ମୁଁ ଯେ ତୁମକୁ ଭଲପାଇଛି । ତମେ ତ ବୁଝିପାରିଲ ନାହିଁ କାହିଁକି ଏ ଘଟଣା ଘଟିଲା, କ’ଣ ଏହାର ଉଦ୍ଦେଶ୍ୟ ?

ବିଛଣାରୁ ଉଠିଲା ବର୍ଷା । ଝରକାରେ ଦେଖିଲା ଗାଢ଼ ଅନ୍ଧକାର । ସମୁଦ୍ରର ଗର୍ଜନ । ପବନରେ ହାହାକାର । ତା’ପରେ ତା’ ଆଖି ପଡ଼ିଲା ଇସ୍‍କା ପାନ ବିବି ଉପରେ । ଓଃ, କି ବିକଟ ହସ !

ବର୍ଷା ଦୁଇହାତରେ କାନ ଚାପିଧରିଲା । ନା, ଶାନ୍ତି ନାହିଁ । ପାଣି ପିଇବ । ନା, ପିଇବାକୁ ଭୟ କଲା । ଅନ୍ଧକାର ଆଡ଼କୁ ଚାହିଁବାକୁ ଇଚ୍ଛା ନାହିଁ । ସେ ଅନୁଭବ କଲା ଯେପରି ବୁବୁନ୍‍ର ପଦଶଦ୍ଦ !

ସେ ନିସ୍ତେଜ ହୋଇ ପଡ଼ିରହିଲା ।

ଡାକ୍ତର ଦୁର୍ଗାମାଧବ ସ୍ଵପ୍ନ ଦେଖୁଥିଲେ ବୋଧହୁଏ । ତା’ପରେ ନିଦ ଭାଙ୍ଗିଲା । ଆଲୋକ ଜାଳି ତଳକୁ ଆସିଲେ । ସମସ୍ତେ ବସିଛନ୍ତି । ମାଧବ ପୁଣି ତାସ୍‍ଗୁଡ଼ିକ ଫେଣ୍ଟିବାରେ ଲାଗିଛି । ଏଥର ପୁଣି କାହାର ପାଳି, କାହା ଭାଗରେ ପଡ଼ିବ ସେହି ଇସ୍‍କା ପାନ ବିବି ?

ହଠାତ୍ ତାସ୍ ମଝିରୁ ଇସ୍‍କା ପାନ ବିବିଟା ଖସିପଡ଼ିଲା । ପବନର ମୃଦୁ ତରଙ୍ଗରେ ଯେପରି ଚାଲିଚାଲି ଗଲା ରଘୁନାଥର ସ୍ତ୍ରୀ ମାଳତୀ ପାଖକୁ ।

ରଘୁନାଥ ଝଡ଼ବେଗରେ ପଶିଆସିଲା–ଡାକ୍ତର, ମୋ ଡାକରେ ମୋ ସ୍ତ୍ରୀ ମାଳତୀ ଜବାବ ଦେଉନାହିଁ । ଡାକ୍ତର ବିଛଣା ପାଖରେ ବସିଲେ । ଶାନ୍ତଭାବରେ ଶୋଇଛି ରଘୁନାଥର ସ୍ତ୍ରୀ-। ଦେହ ହିମଶୀତଳ । ଆଖିର ପତା ଆଙ୍ଗୁଳି ଦେଇ ପରୀକ୍ଷା କରି ଠିଆହେଲେ–‘ନା, ତା’ର ମୃତ୍ୟୁ ଘଟିଛି ।’

ଡାକ୍ତର ରଘୁନାଥ ଆଡ଼କୁ କିଛି ସମୟ ଅନାଇଲେ । ରଘୁନାଥ ତା ସ୍ତ୍ରୀ ଆଡ଼କୁ ଅନାଇଛି ।

ତା’ପରେ ପଚାରିଲା–ଡାକ୍ତର, କ’ଣ ହାର୍ଟଫେଲ୍ ?

–ଆଚ୍ଛା ରଘୁନାଥ, ତମ ସ୍ତ୍ରୀଙ୍କର ନିଦ କିପରି ହେଉଥିଲା ? କ’ଣ ଔଷଧ...

–ଭଲ ହେଉ ନ ଥିଲା । ଔଷଧ ଖାଉ ନ ଥିଲା । ତା’ପରେ ଡାକ୍ତର ଘରସାରା ତନ୍ନତନ୍ନ କରି ଖୋଜିବାକୁ ଲାଗିଲେ । ନା, କେଉଁଠିହେଲେ ନିଦର ଔଷଧ ନାହିଁ ।

 

ରଘୁନାଥ କହିଲା–ମୁଁ କହୁଛି ଡାକ୍ତର, ଗତ କେତେବର୍ଷ ମଧ୍ୟରେ ସେ କୌଣସି ଔଷଧ ଖାଇନି । କେବଳ ଗତରାତିରେ ଆପଣ ଯାହା ଔଷଧ ଖାଇବାକୁ ଦେଇଥିଲେ ।

 

ଡାକ୍ତର କିଛି ସମୟ ଅପେକ୍ଷା କରି ମାଳତୀର ନୀଳ ଓଠ ଆଡ଼କୁ ଲକ୍ଷ୍ୟ କରିବାକୁ ଲାଗିଲେ ।

 

ପ୍ରାସାଦ ବାହାରେ କିଛି ଦୂରରେ ଗୋଟିଏ ଉଚ୍ଚ ଜାଗା । ସେ ସ୍ଥାନଟି ଉପରେ ବସିଛି ପୁଲିସ ଗୁଇନ୍ଦା ଫଟିକ୍ । ସେ ବର୍ଷା ଓ ମାଧବକୁ ଦେଖି କହିଲା–ନା, ମୋଟର ବୋଟ୍‍ର ଚିହ୍ନ ନାହିଁ-

 

ମାଧବ କହିଲା–ପାଗଟି ଦେଖୁଛ ! ନିଶ୍ଚୟ ଝଡ଼ ଉଠିବ ।

 

ଫଟିକ୍ ଉଠି ଠିଆହେଲା–ହୁଁ, ଦେଖ, କାଲିଠାରୁ ମୋ ମନଭିତରେ ଗୋଟାଏ ପ୍ରଶ୍ନ ଥରକୁଥର ଉଠୁଛି, ପ୍ରବୀଣକୁମାର ଆତ୍ମହତ୍ୟା କଲା କାହିଁକି ?

 

ବର୍ଷା ପଚାରିଲା–ଆତ୍ମହତ୍ୟା ଛଡ଼ା କ’ଣ ଆଉକିଛି ମନେହେଉଛି ଆପଣଙ୍କର ?

 

–ବେଶ୍, ଆତ୍ମହତ୍ୟା ନ ହୋଇ ଯଦି ହତ୍ୟା ହୁଏ ତେବେ ତା’ର କାରଣଟି ମଧ୍ୟ ଜାଣିବା ଆବଶ୍ୟକ ଏବଂ ତା’ର ଉଦ୍ଦେଶ୍ୟ ମଧ୍ୟ ।

 

ସେମାନେ ପ୍ରାସାଦ ପାଖକୁ ଆସିବାରେ ମିସ୍ ବିନୋଦିନୀ ପଚାରିଲେ–କ’ଣ ମହାଶୟ, ବୋଟ୍ ଆସୁଛି ? ବର୍ଷା ମନାକଲା ।

 

ସେମାନେ ସକାଳ ଜଳଖିଆ ଖାଇବାକୁ ବସିଲେ । ଡାକ୍ତର ଜଣାଇଦେଲେ ଯେ ରଘୁନାଥର ସ୍ତ୍ରୀର ମୃତ୍ୟୁ ହୋଇଛି । ସମସ୍ତଙ୍କର କଣ୍ଠରେ ଆର୍ତ୍ତତା ଭରିଉଠିଲା–କ’ଣ ? କିପରି ?

 

–ହଠାତ୍ କହିଦେବା ସହଜ ନୁହେଁ । ଧରନ୍ତୁ, ଆପଣ କହିବେ ଯେ ହାର୍ଟଫେଲ୍‍ । କିନ୍ତୁ କେଉଁ କାରଣରୁ ଏହା ହେଲା ତାହା ତ କହିବା ସହଜ ନୁହେଁ ।

 

ବିନୋଦିନୀ କଠିନ ହୋଇ କହିଲେ–ଗତକାଲି ତା’ରି ଉପରେ ଓ ତା ସ୍ୱାମୀ ରାଘୁନାଥ ଉପରେ ଯେଉଁ କଠିନ ମନ୍ତବ୍ୟ ଓ ଅଭିଯୋଗ ହୋଇଥିଲା ଆପଣ ତ ଶୁଣିଛନ୍ତି । ଏହାହିଁ କାରଣ ।

 

–ଆପଣ କ’ଣ ମନେକରନ୍ତି ଏହି ଅଭିଯୋଗ ହେଲା...

 

–ହଁ ! ଗତକାଲି ଦେଖିନାହାନ୍ତି କିପରି କାନ୍ଦି କାନ୍ଦି ପଡ଼ିଗଲା ! ପାପର ଭୟ, ଭୟରୁ ମୃତ୍ୟୁ ।

 

–କିନ୍ତୁ ଆପଣ ଯାହା କହୁଛନ୍ତି....

 

–ଈଶ୍ଵରଙ୍କ ଅଭିଶାପ ପାପୀକୁ ମୃତ୍ୟୁ ଆଘାତରେ ହାଣିପାରେ । ଆପଣ ବିଶ୍ଵାସ ନ କଲେ ମଧ୍ୟ ମୁଁ ବିଶ୍ଵାସ କରେଁ ।

 

ବିଚାରପତି କହିଲେ–କିନ୍ତୁ କଥାଟି କ’ଣ ଜାଣନ୍ତି ? ବିଚାରର, ମାନେ ପାପୀକୁ ଶାସ୍ତିଦାନର ଭାରଟି ତ ଈଶ୍ଵର ସ୍ଵହସ୍ତରେ ଗ୍ରହଣ କରନ୍ତି ନାହିଁ । ଭାରଟି ଆସି ପଡ଼େ ଆମ ପରି ମଣିଷ ଉପରେ । ବିଚାର ଓ ଶାସ୍ତି ଦେବାଟା ସହଜ ନୁହେଁ । ଏଥିପାଇଁ ଅନେକ କିଛି ଜାଣିବାକୁ ପଡ଼େ, ବୁଝିବାକୁ ପଡ଼େ, ଭାବିବାକୁ ହୁଏ ।

 

ଫଟିକ୍ ପଚାରିଲା–ମୁଁ ଗୋଟାଏ ପ୍ରଶ୍ନ ପଚାରିପାରିବି କି ?

 

ଡାକ୍ତର କହିଲେ–ପଚାରନ୍ତୁ ।

 

–ମାଳତୀ ଶୋଇବା ଆଗରୁ କ’ଣ କିଛି ଖାଇଥିଲା ?

 

–ରାଘୁନାଥ କହିଛି ଯେ ନା, କିଛି ଖାଇନି ।

 

–ସେମାନଙ୍କ ନାମରେ ଅଭିଯୋଗ ହେଲା ଯେ ବୃଦ୍ଧା ସୁନ୍ଦରୀ ଚୌହାନକୁ ସେମାନେ...

 

–ଏହା ହୁଏ ତ ମିଥ୍ୟା ।

 

–ବ୍ୟାପାରଟି ହେଲା, ଏକଥା ଶୁଣି ସ୍ତ୍ରୀଲୋକଟି ଅଜ୍ଞାନ ହେଲା ଭୟରେ । ସ୍ୱାମୀ ଭୟଭୀତ ହେଲା । ରାଘୁନାଥ ହୁଏତ ଭାବିଥିଲା ଯେ ଯଦି ତା ସ୍ତ୍ରୀ ମାଳତୀ ଭୟରେ ଏକଥା ଆମ ଆଗରେ ପ୍ରକାଶ କରିପକାଏ ।

 

–ବ୍ୟାପାରଟି ତା’ ବି ନ ହୋଇପାରେ ।

 

–ବେଶ୍, ସ୍ତ୍ରୀଲୋକଟି ଅତିମାତ୍ରାରେ ନର୍ଭସ ହୋଇପଡ଼ିଲା । ବଞ୍ଚିଥିଲେ କିଛି ସତ୍ୟ ପ୍ରକାଶ କରିବା ଭୟରେ ଏ ଜୀବନ୍ତ ବିପଦରୁ ରକ୍ଷା ପାଇବାପାଇଁ ସ୍ୱାମୀ ଯଦି ଚିରଦିନପାଇଁ ସ୍ତ୍ରୀକୁ ଶୋଇପକାଇବାର ଚେଷ୍ଟା କରିଥାଏ...

 

ଡାକ୍ତର କହିଲେ–ମୁଁ ତା’ର ବିଛଣାପତ୍ର ପରୀକ୍ଷା କରିଛି ।

 

–ଶୁଆଇସାରିବା ପରେ ସବୁ ଜିନିଷପତ୍ର ଯଦି ସମୁଦ୍ରରେ ଭସାଇଦେଇଥାଏ, ତେବେ-?

 

ମଥୁରାନନ୍ଦ ପଚାରିଲେ–ସ୍ତ୍ରୀକୁ ନିଜ ହାତରେ ହତ୍ୟା କରିବା କ’ଣ କୌଣସି ସ୍ୱାମୀ ପକ୍ଷରେ ସମ୍ଭବ ?

 

–ଏଠାରେ ଭାବପ୍ରବଣତାର ମୂଲ୍ୟ କମ୍, କାରଣ ଏଠାରେ ଜୀବନ ବିପନ୍ନ ।

 

ସମସ୍ତେ ଚୁପ୍‍କରି ବସିଲେ । ରଘୁନାଥ ଘରଭିତରକୁ ପଶିଆସିଲା । ତା’ପରେ ଇସ୍‍କା ପାନ ବିବି କାର୍ଡ଼ଟି ଟେବୁଲ୍‍ ଉପରେ ଯଥାସମୟରେ ଏବଂ ଯଥାସ୍ଥାନରେ ରଖିଦେଲା ।

 

ବିଚାରପତି ମହାଜନ କହିଲେ–ମୋଟର ବୋଟ୍‍ଟି ଆଜି ବଡ଼ ଡେରି କରିଛି ?

 

ରଘୁନାଥ କହିଲା–ସକାଳ ସାତ ଆଠ ମଝିରେ ଆସେ ।

 

ବାରଣ୍ଡାରେ କଥା ହେଉଥିଲେ ଦି’ଜଣ । ମାଧବ କହିଲା–ବୋଟ୍ କଥା ଭାବୁଛ ତ ?

 

ଫଟିକ୍ କହିଲା–ସେଇକଥା ମୁଁ ଭାବୁଛି । ତା’ର ନିର୍ଦ୍ଧାରିତ ସମୟଠାରୁ ତିନିଘଣ୍ଟା ବିତିଗଲାଣି । ଆସିଲା ନାହିଁ କାହିଁକି ?

 

ମାଧବ କହିଲା–କାରଣ କ’ଣ ?

 

–ମୋର ବିଶ୍ୱାସ, ମୋଟର ବୋଟ୍ ନ ଆସିବାଟା ମୋଟେ ଆକସ୍ମିକ ନୁହେଁ । ଏହା ପୂର୍ବପରିକଳ୍ପନା ।

 

–ତେବେ ତମେ ଭାବୁଛ ଆଉ ଆସିବ ନାହିଁ ?

 

ମଥୁରାନନ୍ଦ ପଛରୁ କହିଉଠିଲେ–ନା, ଆଉ କେବେ ଆସିବ ନାହିଁ ।

 

–ଆଚ୍ଛା, ଆପଣ କ’ଣ ସତରେ ଏଇଆ ଭାବୁଛନ୍ତି ?

 

–ହଁ । ଆମେ ଏ ବରିକୁଦ ଦ୍ଵୀପ ଛାଡ଼ି ଆଉ ଯାଇପାରିବା ନାହିଁ । ବୁଝୁଛ ? ଏଇଠାରେ ଅପେକ୍ଷା କରୁଛି ଆମର ଶେଷ । ସେଇ ତ ଶାନ୍ତି ।

 

ମଥୁରାନନ୍ଦ ବାରଣ୍ଡା ପାରହୋଇ ବଗିଚା ଦେଇ ଫାଟକ ପାରିହୋଇ ସମୁଦ୍ର ଆଡ଼କୁ ଆଗେଇଗଲେ ।

 

ତାଙ୍କୁ ଦେଖିଲେ ମନେହେଉଛି ଅନ୍ୟପ୍ରକାର । କ’ଣ ଭୟ ନା ଆତଙ୍କ ନା ଶାନ୍ତି !!!

 

ବାରଣ୍ଡାର ବାଁକଡ଼ରେ ମାଧବ ଓ ଫଟିକ୍ କଥାବାର୍ତ୍ତା ହେଉଥିଲେ । ଡାହାଣପଟରେ ଅସ୍ଥିର ଭାବରେ ପଦଚାରଣ କରୁଥିଲେ ବିଚାରପତି ମହାଜନ । ମୁହଁରେ ଚିନ୍ତାର ଛାପ ।

 

ଡାକ୍ତର ପଶିଆସିଲେ । ଠିକ୍ ଅନ୍ୟପଟୁ ପଶିଆସିଲା ପରିଚାଳକ ରଘୁନାଥ ।

 

–ସାର୍ !

 

–କଣ ? ଡାକ୍ତର ଚମକିପଡ଼ିଲେ ।

 

–ଗୋଟାଏ କଥା ଥିଲା ।

 

–କୁହ ।

 

ରଘୁନାଥର ମୁହଁ ବିବର୍ଣ୍ଣ । ହାତ ଦି’ଟା ଥରିଉଠୁଛି । ନିର୍ବିକାର ଶାନ୍ତିଭାବ ମୁହଁଟିରେ ନାହିଁ ।

 

–କଣ ହୋଇଛି ରଘୁନାଥ, କଣ ଏତେ ଭୟ କରୁଛ ?

 

–ମୋ ସାଙ୍ଗରେ ଟିକିଏ ଆସିବେ ସାର୍...

 

ଡାକ୍ତର ଓ ରଘୁନାଥ ଘର ଭିତରେ ପଶିଗଲେ ।

 

ରଘୁନାଥ କହିଲା–ଘଟଣାଟି ମୁଁ ବୁଝିପାରୁନି, ସାର୍ !

 

–ଦେଖ ରଘୁନାଥ, କୌଣସି ରହସ୍ୟ ନାହିଁ ଭିତରେ ମୁଁ । ଘଟଣାଟି କୁହ ।

 

ରଘୁନାଥ ଇସ୍‍କା ପାନ ବିବି ଆଡ଼କୁ ଦେଖାଇ କହିଲା–ସାର୍, ଏଇ ଦେଖନ୍ତୁ ଟେବୁଲ୍‍ ଉପରେ ଫଟୋ ଷ୍ଟାଣ୍ଡ ଉପରେ ଦଶଟା, କାର୍ଡ଼ ଥିଲା । ହଁ, ଦଶଟା କାର୍ଡ଼ । ଏଇ ତ ଲେଖା ଅଛି, ଦେଖନ୍ତୁ, ଇସ୍‍କା ପାନ ବିବି, ଆମେ ଦଶଜଣ ମେମ୍‍ସାହେବ ବିବି ।

 

ଡାକ୍ତର ଗମ୍ଭୀର ହୋଇ କହିଲେ–କଣ ହେଲା ସେଇଠୁ ? ରଘୁନାଥ କହିଲା–ସାର୍, ଏ ଯେ ମାତ୍ର ଆଠଟା । ଆଉ ଦି’ଟା ପୁଣି ଗଲା କୁଆଡ଼େ ?

 

ଡାକ୍ତର ଚୁରୁଟ ଧରାଇଲେ ।

 

ବର୍ଷା ଓ ବିନୋଦିନୀ ସମୁଦ୍ର ତୀର ଆଡ଼କୁ ଆଗେଇଗଲେ । ଥଣ୍ଡା ସୁନ୍ଦର ମନ୍ଦ ଗତିର ପବନ ବେଶ୍ ଆରାମପ୍ରଦ । ସମୁଦ୍ରର ଢେଉଗୁଡ଼ିକ ଯେପରି ଟିକିଏ ଚଞ୍ଚଳ ହୋଇଉଠିଛି । ନୀଳ ସମୁଦ୍ର ବକ୍ଷରେ ତରଙ୍ଗ ଛଡ଼ା ଛୋଟ କେଉଟ ଡଙ୍ଗାଟିଏ ମଧ୍ୟ ଦେଖାଯାଉନାହିଁ ।

 

ବର୍ଷା କହିଲା–ମୋତେ ଟିକିଏ ବୋଲି ଭଲ ଲାଗୁନାହିଁ । ମୁଁ ଚାଲିଯିବାକୁ ଚାହେଁ ।

 

ବିନୋଦିନୀ ଟିକିଏ କଠିନ ସ୍ୱରରେ କହିଲେ–କିଏ ଆଉ ରହିବାକୁ ଚାହେଁ ? କାହାକୁ ଭଲ ଲାଗୁଛି ?

 

ପୁଣି ନୀରବତା । ଦୁଇଜଣ ସମୁଦ୍ରବକ୍ଷରେ ଦୃଷ୍ଟି ନିବଦ୍ଧ କରିଛନ୍ତି...ମୋଟର ବୋଟ୍‍ଟି ଯଦି ଦେଖାଯାଏ ।

 

ବର୍ଷା କହିଲା–ଆଚ୍ଛା, ଆପଣ କଣ ବିଶ୍ୱାସ କରନ୍ତି ଯେ ରଘୁନାଥ ତା ସ୍ତ୍ରୀ ମାଳତୀକୁ ମାରିଦେଇଛି ?

 

–ହଁ, ବିଶ୍ୱାସ କରେଁ । ଟିକିଏ ଦେଖିଲେ ତ ବୁଝିହୁଏ ବିଶ୍ୱାସ ନ କରିବାର କୌଣସି କାରଣ ନାହିଁ ବୋଲି । ଏଇ ଧର ମାଳତୀ ଜ୍ଞାନ ହରାଇଲା, ରଘୁନାଥ ହାତରୁ ପେଟି ଖସିପଡ଼ିଲା । ସେ ଯେଉଁ ଭାବରେ କଥା କହିଲା ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ । ଦି’ଜଣ ନିଶ୍ଚୟ ମହାପାପ କରିଥିଲେ ।

 

–ରଘୁନାଥ ସ୍ତ୍ରୀ ମାଳତୀର ଏତେ ଆତଙ୍କ, ମୁଁ ତ ଜୀବନରେ କେଉଁଠି ଦେଖି ନାହିଁ ।

 

–ପାପ କଲେ ତ ଶାସ୍ତି ମିଳିବ, ଏ ନିୟମରେ କୌଣସି ବ୍ୟତିକ୍ରମ ନାହିଁ ।

 

–ସମସ୍ତଙ୍କ ନାମରେ ତ ଅଭିଯୋଗ ଥିଲା । ସେଗୁଡ଼ିକ କଣ ସତ ? ରଘୁନାଥ ପକ୍ଷରେ ଯଦି ସତ ତେବେ ଅନ୍ୟମାନଙ୍କ ପକ୍ଷରେ ମଧ୍ୟ ତାହା...

 

ବିନୋଦିନୀ କହିଲେ–ମୁଁ ଜାଣିଛି ତମେ କଣ କହିବାକୁ ଇଚ୍ଛା କରୁଛ । ଏଇ ଧର, ମାଧବ କଥା । ସେ ମୃତ୍ୟୁମୁଖରେ ଗୁଡ଼ାଏ ଲୋକଙ୍କୁ ପକାଇଦେଇ ଆସିଛି । ସେ ସ୍ଵୀକାର କରିଛି ।

 

ଏଇ ଧର ଜଜ୍‍ସାହେବ ମହାଜନଙ୍କ ବିରୁଦ୍ଧରେ ଅଭିଯୋଗ । ଏହାର ଅର୍ଥ କିଛି ହୁଏନା-। ସେ କେବଳ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି । ଆଉ ମିଷ୍ଟର ଫଟିକ୍, ଯେ ପୁଲିସ ଗୁଇନ୍ଦା ଥିଲେ, ତାଙ୍କର ମଧ୍ୟ ସେଇ କଥା ।

 

ଆଉ ମୋ କଥା । ସବୁ କଥା ପୁରୁଷମାନଙ୍କ ଆଗରେ କୁହାଯାଏନା । ମୁଁ ସେଥିପାଇଁ କାଲି ନୀରବ ରହିଲି । ଶେଫାଳୀ ବୋଲି ଝିଅଟିଏ ମୋ ଘରେଥିଲା । ସୁନ୍ଦର ଝିଅଟିଏ । ପରେ ଶୁଣିଲି, ସ୍ଵଭାବ ଭଲ ନୁହେଁ । ବାହା ଆଗରୁ କୌଣସି ପୁରୁଷ ପାଖରେ ସବୁ କିଛି ଅର୍ପଣ କରିବା ଗୋଟିଏ ଝିଅ ପକ୍ଷରେ ଭଲ ନୁହେଁ । ଶେଫାଳୀ ସେଇଆ କଲା । ଯାହା ସାଙ୍ଗରେ ସେ ସମ୍ପର୍କ ରଖିଥିଲା ସେ ବଡ଼ଘର ପୁଅ । ପୁଅର ବିବାହ ବଡ଼ଘରେ ହେଲା । ଏଣେ ଶେଫାଳୀ ଗର୍ଭବତୀ । ଏ କଥା ଜାଣି ମୁଁ ତାକୁ ଘରୁ ବାହାର କରିଦେଲି ।

 

–ତା’ପରେ କଣ ହେଲା ?

 

–ଏକ ମହାପାପ, ଆତ୍ମହତ୍ୟା । ନଦୀରେ ଝାସ ଦେଇ ଆତ୍ମହତ୍ୟା କଲା ସେ ।

 

–ଏହି ଝିଅଟିକୁ ଘରୁ ତଡ଼ିଦେଇଥିବା ଯୋଗୁଁ ବା ତା’ର ମୃତ୍ୟୁ ଯୋଗୁଁ ଆପଣଙ୍କ ମନରେ କ’ଣ ଦୁଃଖ ହେଇନି ? ନିଜକୁ ତା ମୃତ୍ୟୁପାଇଁ ଦାୟୀ ବୋଲି କଣ ଦୁଃଖିତ ନୁହନ୍ତି ଆପଣ-?

 

–ନା, ନା, ତମର କଣ ମୁଣ୍ଡ ଖରାପ ! ସବୁ ତା’ର କର୍ମଫଳ, ପାପର ଶାସ୍ତି । ପାପକୁ ମୁଁ କେବେ ପ୍ରଶ୍ରୟ ଦେଇନି ।

 

ବର୍ଷା ଆଢ଼ୁଆଳରେ ଦେଖିଲା, ଇସ୍, ଶ୍ରୀମତୀ ବିନୋଦିନୀଙ୍କର ମୁଖଟି କେତେ କ୍ରୂର, ନିଷ୍ଠୁର, ଭୟଙ୍କର !!

 

ଡାକ୍ତର ଦୁର୍ଗାମାଧବ ବାରଣ୍ଡାରେ ଠିଆହେଲେ । ଏଣେ ବସିଛନ୍ତି ଜଜ୍‍ସାହେବ ମହାଜନ । ମୁଖଟି ଗମ୍ଭୀର । ଆଖି ଦିଓଟି ଅଧା ମୁଦ୍ରିତ । ଭାବୁଛନ୍ତି ନା ଶୋଇଛନ୍ତି ?

 

ତେଣେ ମାଧବ ଓ ଫଟିକ୍ କଥାବାର୍ତ୍ତା ଚାଲିଛି ।

 

ଡାକ୍ତର କଣ ଭାବିଲେ, ଜଜ୍‍ଙ୍କ ଆଡ଼କୁ ଅନାଇଲେ । ଅତିଶୟ ବିଚକ୍ଷଣ ସେ । ସେ ବୃଦ୍ଧ । ନା, ଜଣେ ଯୁବକ କର୍ମଦକ୍ଷ ଲୋକର ପ୍ରୟୋଜନ ।

 

–ମାଧବ, ତମ ସହିତ ଟିକିଏ ପରାମର୍ଶ ଥିଲା ।

 

–ମୋ ସାଙ୍ଗରେ ? ମୁଁ ତ କିନ୍ତୁ ଡାକ୍ତର ନୁହେଁ ।

 

–ନା, ନା, ସେକଥା ନୁହେଁ, ସାଧାରଣ ବ୍ୟାପାରରେ...

 

–ସେଇଟା ଅବଶ୍ୟ ଅଲଗା କଥା ।

 

–ଆଚ୍ଛା, ସତ କୁହ ତ ପରିସ୍ଥିତିଟି ତମକୁ କିପରି ଲାଗୁଛି ?

 

–ରହସ୍ୟମୟ ।

 

ଡାକ୍ତର ଖୁସି ହେଲେ । ମାଧବ ବୁଦ୍ଧିମାନ, ମନେମନେ ଭାବିଲେ ଦୁର୍ଗାମାଧବ । ଆଚ୍ଛା ରଘୁନାଥ ସ୍ତ୍ରୀ ସମ୍ପର୍କରେ ଫଟିକ୍ ଯାହା କହିଲେ ତାହା ସତ ?

 

–ସ୍ଵତନ୍ତ୍ର ଭାବରେ ବିଚାର କରି ଦେଖିଲେ ବିଶ୍ୱାସ ନ କରିବାର କିଛି ନାହିଁ ।

 

–ତା ଠିକ୍ କହିଛ ।

 

ଯଦି ଧରିନିଆଯାଏ ସେ ରଘୁନାଥ ଓ ତା ସ୍ତ୍ରୀ ସେହି ଭଦ୍ରମହିଳା ସୁନ୍ଦରୀ ଚୌହାନକୁ ହତ୍ୟା କରିଥିଲେ, ତା’ ହେଲେ ସେମାନେ କ’ଣ ବିଷ ପ୍ରୟୋଗ କରିଥିବେ ?

 

–ଆହୁରି ଅନେକ ସହଜରେ ଏହା ସମ୍ଭବ । ରଘୁନାଥଠାରୁ ପ୍ରକାଶ ସେ ସୁନ୍ଦରୀ ଚୌହାନଙ୍କର ହାଟରେ ରୋଗ ଥିଲା । ସେ ଅସୁସ୍ଥତା ବୋଧ କଲେ କେପ୍‍ସୁଲ ଖାଉଥିଲେ । ଏହି କେପ୍‍ସୁଲ ସର୍ବଦା ରୋଗୀ ପାଖରେ ଥିବା ଦରକାର । ସମୟ ଅନୁସାରେ ନ ଖାଇଲେ ମୃତ୍ୟୁ ଘଟିବା ସମ୍ଭବ ।

 

–ଏଇଥର ବ୍ୟାପାରଟି ଅନୁମାନ କରିପାରୁଛି ।

 

–ବେଶ୍, ଠିକ୍ ସମୟରେ ଔଷଧ ନ ଦେବାରେ କାର୍ଯ୍ୟ ହାସଲ ହୋଇଛି । ଅବଶ୍ୟ ରଘୁନାଥ କର୍ତ୍ତବ୍ୟପାଳନ ପାଇଁ ଏଣେ ତେଣେ ଦୌଡ଼ିଛି ।

 

–ରାଜାବାହାଦୁରଙ୍କର ବରିକୁଦ ଦ୍ଵୀପକୁ ନିମନ୍ତ୍ରଣର ଅର୍ଥ, ବରିକୁଦ ଦ୍ୱୀପର ଅର୍ଥ ଏବେ ମୁଁ ଭଲଭାବରେ ବୁଝିପାରିଛି ।

 

ଡାକ୍ତର କହିଲେ–କଣ ବୁଝିଛ ଶୁଣେ ?

 

–ଏପରି ଅନେକ ଅପରାଧ ଅଛି ଯାହା ଆଇନରେ ଧରାପଡ଼େ ନାହିଁ; ଏପରି ଅନେକ ଅପରାଧୀ ଅଛନ୍ତି ଯେଉଁମାନଙ୍କର ଆଇନ କିଛି କରିପାରେନା । ଏଇ ଦେଖନ୍ତୁ ଯେପରି ରଘୁନାଥର ଅପରାଧ, ଜଜ୍‍ସାହେବଙ୍କ ଅପରାଧ ।

 

–ତମେ ଏ ସବୁ ବିଶ୍ଵାସ କରୁଛ ?

 

–ହଁ, ସୌମେନ୍ଦ୍ରକୁ ହତ୍ୟା କରିଥିଲେ ଜଜ୍ ମହାଜନ ସମ୍ପୂର୍ଣ୍ଣ ଆଇନ ସଙ୍ଗତିରେ, ବିଚାରପତି ଆସନରେ ।

 

ଡାକ୍ତରଙ୍କ ମନେପଡ଼ିଲା ଅପରେସନ ଟେବୁଲରେ ହତ୍ୟା ମଧ୍ୟ ତ ନିରାପଦ, ଧରାଛୁଆଁ ବାହାରେ । କିଏ ଜାଣିପାରିବ ଏ କଥା ?

 

ମାଧଦ କହୁଥିଲେ–ଆପଣ ଏବେ ଭାବି ଦେଖନ୍ତୁ ଡାକ୍ତର, ଏହି ବରିକୁଦ ଦ୍ୱୀପକୁ ଆସିବାକୁ ନିମନ୍ତ୍ରଣ ହୋଇଥିଲା କାହିଁକି ?

 

ଡାକ୍ତର କଥାଟି ବୁଝାଇଦେଇ କହିଲେ–ରଘୁନାଥର ସ୍ତ୍ରୀ କଥାଟି ଏବେ ଭାବି ଦେଖନ୍ତୁ । ମୃତ୍ୟୁର କାରଣ ଦୁଇଟି: ଗୋପନ କଥା ପ୍ରକାଶ ହୋଇଯିବ, ଏହି ଆଶଙ୍କାରେ ରଘୁନାଥଦ୍ଵାରା ଖୁନ୍, ନଚେତ୍ ନର୍ଭସ ହୋଇ ଆତ୍ମହତ୍ୟା ।

 

–ଆତ୍ମହତ୍ୟା ?

 

–କାହିଁକି, ତମର କ’ଣ ମନେହୁଏ ?

 

–ଆତ୍ମହତ୍ୟା ହୋଇପାରନ୍ତା କିନ୍ତୁ ପ୍ରବୀଣକୁମାରର ମୃତ୍ୟୁରହସ୍ୟ କଥାଟି ତ ମନେରଖିବାକୁ ପଡ଼ିବ । ବାରଘଣ୍ଟା ଭିତରେ ଦି’ ଦି’ଟା ଆତ୍ମହତ୍ୟା, ବିଶ୍ଵାସ କରିବା କଠିନ । ତେବେ ମୁଁ ବିଶ୍ଵାସ କରେନା ଯେ ପ୍ରବୀଣକୁମାର ଆତ୍ମହତ୍ୟା କରିଛି ।

 

–କଥାଟା ଠିକ୍, କିନ୍ତୁ ତା’ଗିଲାସରେ ପଟାସିୟମ୍ ସାୟନାଇଡ୍ ଆସିଲା କିପରି ? ପ୍ରବୀଣକୁମାର ଆସିବା ଆଗରୁ ହୁଏତ ଆତ୍ମହତ୍ୟା କରିବ ବୋଲି ସାଙ୍ଗରେ ଆଣିଥିଲା, ନଚେତ୍...ନଚେତ୍ କ’ଣ କୁହ ତ ମାଧବବାବୁ ?

 

ମାଧବ ହସି କହିଲା–ମୋ ତୁଣ୍ଡରୁ କାହିଁକି ଆପଣ ଶୁଣିବାକୁ ଚାହାନ୍ତି, ଡାକ୍ତର ? କଥା ତ ଆପଣଙ୍କ ଜିଭ ଅଗରେ ଅଛି । ପ୍ରବୀଣକୁମାରକୁ ହତ୍ୟା କରାଯାଇଛି–ଏଇଆ ନା ?

 

ଦୀର୍ଘ ନିଶ୍ଵାସ ପକାଇ ଡାକ୍ତର କହିଲେ–ଆଚ୍ଛା, ରଘୁନାଥର ସ୍ତ୍ରୀ ବ୍ୟାପାରଟି କଅଣ ?

 

ମାଧବ କହିଲା–ଡାକ୍ତର, ରଘୁନାଥର ସ୍ତ୍ରୀ ଯଦି ମରିଯାଇ ନ ଥାନ୍ତା ତେବେ ପ୍ରବୀଣକୁମାରର ମୃତ୍ୟୁକୁ ଆତ୍ମହତ୍ୟା ବୋଲି ମନେକରିପାରିଥାନ୍ତୁ । ପ୍ରବୀଣକୁମାରର ଆକସ୍ମିକ ମୃତ୍ୟୁ ନ ଘଟିଥିଲେ ରଘୁନାଥର ସ୍ତ୍ରୀକୁ ଖତମ କରିବା ହୋଇ ନ ଥାନ୍ତା । ଆମର ଦରକାର ହେଲା ଏହି ଦୁଇଟି ମୃତ୍ୟୁ ଭିତରେ ଏକ ଯୋଗସୂତ୍ର ।

 

–ଇସ୍‍କା ପାନ ବିବି ଦେଖିଛ । ଦି’ଟା ମୃତ୍ୟୁ, ଦି’ଟା ତାସ୍‍ ଗାଏବ । ତା’ମାନେ ଏ ପଛରେ ଅଛି...

 

–ଏ ଦ୍ଵୀପରେ କ’ଣ ଆଉ କେହି ଅଛନ୍ତି ? ରଘୁନାଥ କହେ, ଆମ କେଇଜଣଙ୍କ ଛଡ଼ା ଆଉ କେହି ନାହିଁ ।

 

–ରଘୁନାଥ ମିଛ କହୁଛି ହୁଏତ ।

 

–ମୋଟର ବୋଟ୍ ଦେଖା ନାହିଁ ।

 

ଡାକ୍ତର କହିଲେ–ଦେଖ ମାଧବ, ବରିକୁଦ ଏକ ଛୋଟ ଦ୍ଵୀପ । କାହା ପକ୍ଷରେ ଏଠାରେ ଲୁଚିରହିବା ଅସମ୍ଭବ । ଟିକିଏ ଚେଷ୍ଟା କଲେ ଆମେ ଶୟତାନଟିକୁ ଧରିପାରିବା । କିନ୍ତୁ ଲୋକଟିକୁ ଭୟ କରିବାର ଯଥେଷ୍ଟ କାରଣ ରହିଛି ।

 

ମାଧବ ହସିଲା–ଗୋଟାଏ ପାଗଳ ଶିଆଳଟାକୁ ପୁଣି ଭୟ !

 

ତା’ପରେ ପ୍ରସ୍ତାବ କଲା–

 

ଡାକ୍ତର, ଚାଲନ୍ତୁ ଫଟିକ୍‍କୁ ସାଙ୍ଗରେ ନେଇ ବାହାରିବା । ଲୋକଟି ଖାଣ୍ଟି ଓ ଶକ୍ତ । ଝିଅଗୁଡ଼ାଙ୍କୁ ନକହିବା ଭଲ । ମଥୁରାନନ୍ଦ ତ ଭୟଭୀତ । ଜଜ୍‍ସାହେବ ଅଥର୍ବ । ଚାଲନ୍ତୁ, ତିନିଜଣ ବାହାରିବା ।

 

ମିଷ୍ଟର ଫଟିକ୍ ଡାକ୍ତର ଦୁର୍ଗାମାଧବଙ୍କ କଥାରେ ସାନନ୍ଦ ଯୋଗ ଦେଲା । ତିନିଜଣ ବାହାରିଲେ । ଫଟିକ୍ କହିଲା–ଭାରି ଭଲ ହୁଅନ୍ତା । ଯଦି ଆମ ପାଖରେ ଗୋଟାଏ ରିଭଲଭର୍‍ ଥାନ୍ତା ।

 

ମାଧବ ପକେଟ ଉପରେ ହାତ ପକାଇ କହିଲା–ମୋର ଅଛି ।

 

ସମସ୍ତେ ଯେପରି ଟିକିଏ ଚମକିଉଠିଲେ ।

 

ଫଟିକ୍ କହିଲା–ଆଚ୍ଛା, ମାଧବ, ତମେ କ’ଣ ସବୁବେଳେ ଗୋଟାଏ ରିଭଲଭର୍‍ ନେଇ ବୁଲ ନା କ’ଣ ?

 

–ହଁ, ଗୋଳମାଳ ଜାଗାକୁ ମୋତେ ଯିବାକୁ ପଡ଼େ ତ !

 

–ଭଲ ହେଲା । ଯଦି ପାଗଳ ରାଜାବାହାଦୁର ହାତରେ ଛୁରା ଥାଏ ତେବେ ତ...

 

ଡାକ୍ତର କହିଲେ–ସେ ଭୟ ବି ହୋଇପାରେ ।

 

ଫଟିକ୍ କହିଲା–ନ ହୋଇ ବି ପାରେ ।

 

ତିନିଜଣ ଦ୍ଵୀପଟି ଘୂରି ବୁଲିଲେ । ଦେଖାଗଲା, କାମଟି ଖୁବ୍ ସହଜ । ତିନିଜଣ ମିଶି ଧୀରେ ଧୀରେ ଦ୍ଵୀପଟିକୁ ତନ୍ନ ତନ୍ନ କରି ପରୀକ୍ଷା କରିବାକୁ ଲାଗିଲେ । ଯାଉଁ ଯାଉଁ ସମୁଦ୍ରତୀରରେ ମଥୁରାନନ୍ଦ ବସିରହିଥିବାର ଦେଖାଗଲା । ଦିଗ୍‍ବଳୟ ଆଡ଼କୁ ଅନାଇ ଚୁପ୍‍କରି ବସିରହିଛନ୍ତି । ଜାଗାଟି ଖୁବ୍ ନିରୋଳା, ସୁନ୍ଦର । ଏ ତିନିଜଣଙ୍କ ଆଡ଼କୁ ସେ ଫେରି ମଧ୍ୟ ଅନାଇଲେ ନାହିଁ ।

 

ଫଟିକ୍ ଭାବିଲା, ମଥୁରାନନ୍ଦର ଭାବଟି ମୋଟେ ସ୍ଵାଭାବିକ ନୁହେଁ । ତା’ପରେ ଟିକିଏ ଜମେଇବା ପାଇଁ ପାଖକୁ ଯାଇ କହିଲା–କ’ଣ ସାର୍ ଜାଗାଟି ଖୁବ୍ ଚମତ୍କାର !

 

ମଥୁରାନନ୍ଦ ଥରେ ଅନାଇ ମୁହଁ ଫେରାଇନେଇ କହିଲେ–ମୁଁ ଟିକିଏ ଏକୁଟିଆ ରହିବାକୁ ଚାହେଁ । ସମୟ ନାହିଁ । ମୋର ସମୟ ନାହିଁ ।

 

ଫଟିକ୍ କହିଲା–କିଛି ମନେ କରିବେ ନାହିଁ । ଆପଣଙ୍କୁ ବିରକ୍ତ କରିବାକୁ ଚାହେଁନା । ଏଠାରେ, ମାନେ, ଏ ଦ୍ଵୀପରେ ଲୋକ ଅଛନ୍ତି କି ନାହିଁ ଆମେ ଖୋଜି ଦେଖୁଛୁଁ । ଆପଣଙ୍କ ସହିତ ଦେଖା ହେଲା ବୋଲି ପଚାରିଲି ।

 

ଅପ୍ରତିଭ ହୋଇ ଯେପରି କହିଲେ ମଥୁରାନନ୍ଦ–ତମେସବୁ କିଛି ବୁଝିପାରୁନା । ନା, ଯାଅ ସବୁ ।

 

ଫଟିକ୍ ନିଜ ଦଳରେ ମିଶିଯାଇ କହିଲା–ଲୋକଟା ଏକଦମ ପାଗଳ ହୋଇଯାଇଛି ।

 

ମାଧବ ପଚାରିଲା–ସେ କ’ଣ କହିଲେ ?

 

–ସମୟ ନାହିଁ, ଏକା ରହିବାକୁ ଚାହାନ୍ତି ।

 

ଡାକ୍ତର ଚିନ୍ତିତ ଭାବରେ କହିଲେ–ତେବେ ଏଥର...

 

ସେମାନେ ଦ୍ଵୀପଟି ଖୋଜି ଦେଖିଲେ । କୂଳ ଆଡ଼କୁ ଅନାଇଲେ । ପବନ ବହୁଛି । ଗୋଟାଏ ହେଲେ ଡଙ୍ଗା ତ ଦେଖାଯାଉନାହିଁ ।

 

ମାଧବ କହିଲା–ଝଡ଼ ଆସୁଛି । ଇଙ୍ଗିତରେ ସେପଟେ ଯଦି କାହାକୁ ଜଣାଇବା ତେବେ...

 

ଫଟିକ୍ କହିଲା–ରାତିରେ ନିଆଁ ଜାଳିଲେ କିପରି ହୁଅନ୍ତି I ?

 

ମାଧବ କହିଲା–ମୋର ଧାରଣା, ସେଥିରେ କିଛି ଫଳ ହେବ ନାହିଁ । ରାଜାବାହାଦୁର ଯଦି ସେ ପାରର ଲୋକଙ୍କୁ କହିଥିବେ ଯେ ଏହା ଏକ ଆମୋଦପ୍ରମୋଦ, ତେଣୁ...

 

ତିନିଜଣ ପ୍ରତିଟି ଜାଗା ଖୋଜିବୁଲିଲେ । ଏପରି କୌଣସି ସ୍ଥାନନାହିଁ ଯେଉଁଠିକି ସେମାନେ ଯାଇନାହାନ୍ତି । ତା’ପରେ ସେମାନେ ଧୀରେ ଧୀରେ ଆଗେଇଗଲେ । ସମୁଦ୍ରର ଢେଉ ପ୍ରବଳ ବେଗରେ କୂଳରେ ପିଟିହେଉଛି । ପଥୁରିଆ ଜାଗା ।

 

ମାଧବ କହିଲା–କ’ଣ ପଥର ଭିତରେ ବି ମଣିଷ ରହିପାରେ ? ଦେଖାଯାଉ । ଫଟିକ୍ ତମେ ଗୋଟାଏ ଦଉଡ଼ି ଯୋଗାଡ଼ କର ।

 

ମାଧବ ଭିତରେ ପଶିଗଲା ।

 

ସକାଳଟି ବର୍ଷାର ବଡ଼ କଷ୍ଟରେ କଟିଛି । ଶ୍ରୀମତୀ ବିନୋଦିନୀଙ୍କୁ ସର୍ବଦା ଏଡ଼ାଇଯିବାର ଚେଷ୍ଟାରେ ଅଛି । ତାଙ୍କ କଥା ଏବେ ବି ତା’ ମନକୁ ଶଙ୍କିତ କରୁଛି ।

 

ବାରଣ୍ଡାରେ ବସିଛନ୍ତି ବିଚାରପତି ମହାଜନ, ଶ୍ରୀମତୀ ବିନୋଦିନୀ ଓ କୁମାରୀ ବର୍ଷା ।

 

ବଡ଼ ଚୌକି ଉପରେ ବସିଛନ୍ତି ଜଜ୍‍ସାହେବ । ମୁଣ୍ଡଟି ଆଗ ଆଡ଼କୁ ଝୁଙ୍କିପଡ଼ିଛି । ବର୍ଷାର ମନେହେଉଛି ସେଇ ସୁଦର୍ଶନ ଯୁବକ ସୌମେନ୍ଦ୍ରର କଥା, ଜଜ୍ ମହାଜନ ଯେପରି ତାକୁ ମୃତ୍ୟୁଦଣ୍ଡ ଆଦେଶ ଦେଉଛନ୍ତି ।

 

ଶ୍ରୀମତୀ ବିନୋଦିନୀ ଚେଆରରେ ବସି ଉଲ୍ ବୁଣୁଛନ୍ତି । ବର୍ଷା ଅନାଇଲା । ଦିନେ ହୁଏତ ରୂପଯୌବନ ଥିଲା; କିନ୍ତୁ ଆଜି ମୁହଁଟି କରୁଣାହୀନ, ରୁକ୍ଷ ନିଷ୍ଠୁର ।

 

ବର୍ଷା ଉଠିପଡ଼ିଲା । ନା, ଏ ପରିବେଶ ତାକୁ ଭଲ ଲାଗୁନାହିଁ । ସେ ଉଠିପଡ଼ି ସମୁଦ୍ରକୂଳ ଆଡ଼କୁ ଯିବାକୁ ଲାଗିଲା ।

 

–ମିନତି, ପ୍ରାଣର ମିନତି, ତମେ ଆସିଛ ?

 

–କିଏ ? ଚମକିପଡ଼ିଲା ବର୍ଷା ।

 

–ବର୍ଷା, କିଛି ମନେକରନା, ମୁଁ ଭାବୁଥିଲି ତମେ ମିନତି ।

 

ସମୁଦ୍ରର ଢେଉ ଓ ଦିଗ୍‍ବଳୟ ଆଡ଼କୁ ନିର୍ବିମେଷ ନୟନରେ ଅନାଇ ରହିଥିଲେ ମଥୁରାନନ୍ଦ । ପାଖରେ ବସିଲା ବର୍ଷା । ତା’ ମୁହଁରୁ ବାହାରିପଡ଼ିଲା–ମଥୁରାବାବୁ, ଏ ମିନତିଟି କିଏ-?

 

–ସେ, ସେ ଦିନେ ମୋର ସବୁ ଥିଲା ।

–ଆପଣଙ୍କର ସ୍ତ୍ରୀ ମିନତି ଦେବୀ ?

–ହଁ, ମୋର ଚରମ ଗର୍ବର କାରଣ ସେ ।

–ତା’ପରେ ?

–ହଁ, ଲୁଚାଇ ଲାଭ କ’ଣ ତମପାଖରେ ବର୍ଷା ! ମୁଁ ସୁରେନ୍ଦ୍ରକୁ ଗୁଣ୍ଡା ହାତରେ ଖୁନ୍ କରାଇଦେଲି । ମୁଁ ତା’ର ହତ୍ୟାର କାରଣ । ସେତେବେଳେ ଅବଶ୍ୟ ତାହା ମନେ ହେଉ ନ ଥିଲା । କିନ୍ତୁ...

–କିନ୍ତୁ କ’ଣ ମଥୁରାବାବୁ ?

–ମିନତି କିନ୍ତୁ କିଛି ଜାଣିପାରି ନ ଥିଲା । ତା’ ସହିତ ମୁଁ କେବେହେଲେ ଖରାପ ବ୍ୟବହାର କରିନାହିଁ । ତଥାପି ସେ ବଦଳିଗଲା । ମୋର ଏତେ ପାଖରେ ରହି ବି ଅନେକ ଦୂରକୁ ଚାଲିଗଲା । ତା’ପରେ ସେ ଚାଲିଗଲା ଚିରଦିନପାଇଁ । ମୁଁ ବଡ଼ ଏକୁଟିଆ ହୋଇପଡ଼ିଲି, ବର୍ଷା ! ଏତେ ରାଜନୀତି, ଏତେ କାଣ୍ଡ କାରଖାନା ମୋତେ ସବୁ ମନେହେଲା ଅସାର ।

ତା’ପରେ ନୀରବତା ।

–ଏଠାରେ ଏକୁଟିଆ ବସିବାକୁ କ’ଣ ଭଲ ଲାଗୁଛି ?

–ହଁ, ଶାନ୍ତ ନିରୋଳା ସୁନ୍ଦର, ପ୍ରତୀକ୍ଷା କରିବାପାଇଁ ଏହି ତ ସେହି ଜାଗା ।

–ପ୍ରତୀକ୍ଷା, କାହାପାଇଁ ମଥୁରାବାବୁ ?

–ଦିନଶେଷର ।

–କ’ଣ ଯେ ଆପଣ କହୁଛନ୍ତି ?

–ଠିକ୍ କହୁଛି । ମୁଁ ତ ଏ ଦ୍ଵୀପ ଛାଡ଼ିଯିବାକୁ ଚାହେଁନା । ହୁଏତ ଆମେ କେହି ଯାଇପାରିବା ନାହିଁ । ମୁଁ ଅପେକ୍ଷା କରୁଛି ଚରମ ବିଦାୟର ମୁହୂର୍ତ୍ତ । ତମେ ତ ପିଲାଲୋକ ବର୍ଷା, ତମେ ବା କ’ଣ ବୁଝିବ, ଏଥିରେ ଯେ କେତେ ଶାନ୍ତି ଅଛି !

–ଶାନ୍ତି !

–ହଁ, ଭାରାକ୍ରାନ୍ତ ହୃଦୟର ବୋଝ କେତେ ବେଶି, ସେ ବୋଝ ତ ଯିବ ବନ୍ଧୁ ! ଭାବିଲେ କି ଚମତ୍କାର !

ବର୍ଷା ଯେପରି ଭୟଭୀତ । ସେ ମଥୁରାନନ୍ଦଙ୍କ ଆଡ଼କୁ ଅନାଇଲା । ତାଙ୍କର ଦୃଷ୍ଟି ଦିଗନ୍ତରେ ନିବଦ୍ଧ । ଓଠ ଦିଓଟି ହଲୁଛି । ବର୍ଷାର ଉପସ୍ଥିତ ଯେପରି ସେ ଜାଣନ୍ତି ନାହିଁ, ଭୁଲିଯାଇଛନ୍ତି ।

ଅସ୍ପଷ୍ଟ ସ୍ଵରରେ ଭାଷା–ମିନତି, ମିନତି, ପ୍ରାଣର ମିନତି ! ଆସୁନ କାହିଁକି ? ମୁଁ ଯେ ତମ ପାଖକୁ ଯିବାକୁ ଚାହେ । ଏ ସଂସାରର ଜ୍ଵଳ, ଏ କାଣ୍ଡ କାରଖାନା ମୋତେ ଯେ ଆଉ ଭଲ ଲାଗୁନାହିଁ । ତମେ ନେଇଚାଲ ମିନତି, ନେଇଯାଅ । ମୁଁ ଯେ ତମର ପ୍ରତିକ୍ଷାରେ ବ୍ୟାକୁଳ ।

ବର୍ଷା ସନ୍ତର୍ପଣରେ ଉଠି ଚାଲିଗଲା ।

ଡାକ୍ତର ସମୁଦ୍ରକୂଳରେ ଠିଆ ହୋଇଛନ୍ତି । ପାଖରେ ଅଛି ଫଟିକ୍ । ଦୂରରେ ପାହାଡ଼ । ମାଧବ ନାହିଁ ।

ଡାକ୍ତର ଆରମ୍ଭ କଲେ–ଆଚ୍ଛା ଫଟିକ୍, ଆମେ ଗୋଟାଏ ପାଗଳକୁ ଖୋଜୁଛୁଁ, ନୁହେଁ କି-? ଏଇ ମଥୁରାନନ୍ଦକୁ ଦେଖୁଛ ?

–ଦେଖୁଛି ତ ।

–ଲୋକଟାର ଇମିତି କ’ଣ ହୋଇଛି ? ମୁଁ ଅବଶ୍ୟ ମାନସିକ ରୋଗର ବିଶେଷଜ୍ଞ ନୁହେଁ । ତା ସାଙ୍ଗରେ ଏପରି କିଛି ଆଲୋଚନା ମଧ୍ୟ ହୋଇନି । ତେଣୁ ତା ସମ୍ପର୍କରେ କୌଣସି ସିଦ୍ଧାନ୍ତ...ଥାଉ ସେକଥା ।

 

ମାଧବ ଗୋଟାଏ ଦଉଡ଼ି ନେଇ ହାଜର ହେଲା । ଗୋଟିଏ ପଟରେ ନିଜର ଅଣ୍ଟାକୁ ଜୋରରେ ବାନ୍ଧିପକାଇଲା । ତା’ପରେ ତଳକୁ ଗଲା, କାଳେ ଗୁମ୍ଫା ଭିତରେ ଲୁଚିଥିବ ଆତତାୟୀ । ଆର ପଟିଟି ଧରିଲେ ଡାକ୍ତର ଓ ଫଟିକ୍ । କଥା ହେଲା ଦଉଡ଼ିଟି ଟାଣି ହୋଇଗଲେ ସେମାନେ ଟାଣି ରଖିବେ ।

 

ଫଟିକ୍ କହିଲା–ଦେଖନ୍ତୁ, ମୁଁ ମାଧବକୁ ମୋଟେ ବିଶ୍ୱାସ କରିପାରୁନି ।

 

ହସିଲେ ଡାକ୍ତର–ମଣିଷଟିର ଜୀବନଟି କଟିଛି ବିଭିନ୍ନ ଆଡଭେଞ୍ଚର ଭିତରେ । ତେଣୁ ସେ ଆମ ପରି ନୁହେଁ ।

 

ଫଟିକ୍ କହିଲା–ସେ ତା କଥା କାହାକୁ କହେନା । ଆଚ୍ଛା ଡାକ୍ତର, ସେ ରିଭଲଭର୍‍ ପକେଟରେ ଧରି ବୁଲେ କାହିଁକି ?

–ଏଇଟା ହୁଏତ ତା’ର ଖିଆଲ ।

–ଖିଆଲଟା ଅନେକ ରକମର ହୋଇପାରେ । ମୁଁ ଦେଖୁଛି ତା ସାଙ୍ଗରେ ଆହୁରି ଅନେକ ଜିନିଷ ଆଣିଛି ଯାହା ମୋଟେ ଦରକାର ନାହିଁ । ଯେଉଁ ଲୋକ ଛୁଟିରେ ଏଠାକୁ ଆସେ ତା’ର ପୁଣି ଏଗୁଡ଼ିକ କାହିଁକି ?

କିଛି ସମୟ ପରେ ଉଠିଆସିଲା ମାଧବ–ନା, ନା, ସେଠାରେ କେହି ନାହାନ୍ତି । ଗୁମ୍ଫା ମଧ୍ୟ ନାହିଁ । ବଡ଼ ଅଜବ ବ୍ୟାପାର, ଡାକ୍ତର ଦୁର୍ଗାମାଧବ ! ଲୋକଟା ଲୁଚିଛି କେଉଁଠି ? ଚତୁର୍ଦ୍ଦିଗ ବୁଲିଆସିବା ପରେ...ଆଚ୍ଛା, ଚାଲନ୍ତୁ ବର୍ତ୍ତମାନ ଏହି ପ୍ରାସାଦଟି ତନ୍ନତନ୍ନ କରି ଖୋଜି ଦେଖିବା ।

ସମସ୍ତେ ବାହାରିଲେ ।

ଘରଟିର ନିଖିନିଖି ଖୋଜାଗଲା । ନା, କିଛି ମିଳିଲା ନାହିଁ । ହଠାତ୍ ଗୋଟିଏ ଘରେ ଶଦ୍ଦ ହେଲା । ତିନିଜଣ ସେ ଆଡ଼କୁ ସନ୍ତର୍ପଣରେ ଆଗେଇଗଲେ । ମାଧବ ଆଗରେ । ହାତରେ ଉଦ୍ୟତ ରିଭଲଭର୍ ।

ଦ୍ଵାରଟି ଖୋଲିଗଲା । ବାହାରିଆସିଲା ରଘୁନାଥ । ହାତରେ ତା’ର କିଛି ଲୁଗାପଟା । ସେ ଲଜ୍ଜିତ ହୋଇ କହିଲା–ସାର୍‍, ମୁଁ ତ ସେ ଘରେ ଆଉ ରହିପାରିଲି ନାହିଁ । ସ୍ତ୍ରୀର ମୃତଦେହ । ତେଣୁ ଦି’ଚାରିଟା ଜିନିଷ ନେଇ ଏଇ ଛୋଟ ଘରଟିକୁ ଆସିଛି ।

ଡାକ୍ତର କହିଲେ–ଆଃ, ତମେ ! ବେଶ୍, ସେଇଆ କର ।

ସେମାନେ ଘରୁ ବାହାରିଆସିଲେ । ଯେଉଁ ଖଟ ଉପରେ ରଘୁନାଥ ସ୍ତ୍ରୀର ମୃତଦେହ ଧଳା ଚାଦରରେ ଢଙ୍କା ହୋଇ ପଡ଼ିଥିଲା ସେ ଆଡ଼କୁ କେହି ଅନାଇଲେ ନାହିଁ ।

ପ୍ରାସାଦର ଛାତଟା ମଧ୍ୟ ଖୋଜାଗଲା । ପାଣିଟାଙ୍କି, ପଛର ବଗିଚା ସବୁ ଦେଖାଗଲା । ନା, କିଛି ତ ସନ୍ଦେହ କରିବାର ନାହିଁ ।

ଅନୁସନ୍ଧାନ ପର୍ବ ଶେଷ ହେଲା ।

ତିନିଜଣ ତିନିଜଣଙ୍କ ମୁହଁ ଆଡ଼କୁ ଅନାଇରହିଲେ । ବରିକୁଦ ଦ୍ଵୀପରେ ମାତ୍ର ଆଠଜଣ ଜୀବିତ ଓ ଦୁଇଜଣ ମୃତ ମଣିଷ ଛଡ଼ା ଆଉ କେହି ନାହାନ୍ତି ।

ମାଧବ କହିଲା–ଡାକ୍ତର ଦୁର୍ଗାମାଧବ, ଏବେ ଆମେ ଜାଣିପାରିଲୁଁ ଯେ ଏହି ଯେଉଁ ଦୁଇଟି ମୃତ୍ୟୁ ଘଟିଛି ସେ ମୃତ୍ୟୁ ପଛରେ କୌଣସି ରହସ୍ୟ ନାହିଁ ।

ଗମ୍ଭୀର ଭାବରେ ଡାକ୍ତର କହିଲେ–ଦେଖ, ମୁଁ ଡାକ୍ତର । ଆତ୍ମାହତ୍ୟା କେସ୍ ବହୁତ ଦେଖିଛି ଜୀବନରେ । ମୋର ଦୃଢ଼ବିଶ୍ଵାସ, ପ୍ରବୀଣକୁମାର ଆତ୍ମହତ୍ୟା କରିନାହିଁ । ତା’ର ତ ସୁଇସାଇଡାଲ ମେନିଆ ନ ଥିଲା !

ଫଟିକ୍ କହିଲା–ଆକ୍ସିଡେଣ୍ଟ ହୋଇପାରେ । ତେବେ ରଘୁନାଥର ସ୍ତ୍ରୀ ମାଳତୀ ଘଟଣାଟି କ’ଣ ? ସେଇଟାକୁ ତ ଆମେ ଆକ୍ସିଡେଣ୍ଟ କହିପାରିବା ନାହିଁ ।

ଫଟିକ୍ ଚୁପ୍ ରହିଲା । କଣ ଯେପରି ସେ ଭାବୁଛି । ମୁହଁଟି ଲାଲ ହୋଇଉଠିଲା । କଣ କହିବାକୁ ଯାଇ ସେ ଯେପରି ଅଟକିଯାଇଛି । କିଛିସମୟ ପରେ କହିଲା–ଆଚ୍ଛା, ଡାକ୍ତର, ତମେ ଗତକାଲି ରାତିରେ ରଘୁନାଥର ସ୍ତ୍ରୀକୁ କ’ଣ କିଛି ଖାଇବାକୁ ଦେଇଥିଲ, ନୁହଁ ?

–ହଁ, ସାଧାରଣ ନିଦ ଔଷଧ ।

–ମାତ୍ରାଟି ବେଶି ଥିଲା ?

–ମାନେ, ତମେ କ’ଣ କହିବାକୁ ଚାହଁ ?

–ନା, ତେବେ ଭୁଲ ତ ହୋଇପାରେ ।

–ସେ ଭୁଲ ଡାକ୍ତର କରିପାରେନା ।

–କିନ୍ତୁ ଗ୍ରାମୋଫୋନ୍ ରେକର୍ଡ଼ କଥା ସତ ହେଲେ ତମେ ସେ ଅତୀତରେ ଏପରି ଭୁଲ କରିଛ, ତାହା ତ......

ମାଧବ କହିଲା–ଫଟିକ୍, ତମର ମୁଣ୍ଡ ଖରାପ ନା କ’ଣ ? ନିଜ ଭିତରେ ଅର୍ଥହୀନ ଅଭିଯୋଗର ସମୟ ଏଇଟା ନୁହେଁ । ଆମେ ଏକ ସାଧାରଣ ବିପଦରେ ପଡ଼ି ଉଦ୍ଧାର ହେବାକୁ ଇଚ୍ଛା କରୁଛୁଁ । ଅଭିଯୋଗ ତମ ନାମରେ ବି ତ ଅଛି ।

ଫଟିକ୍ କହିଲା–ସେ ଅଭିଯୋଗକୁ ମାର ଗୁଲି । ତେବେ ମୁଁ କେତେଟା ବିଷୟ ଜାଣିବାକୁ ଚାହେଁ । ଏଇଥର ତମ ସମ୍ପର୍କରେ...

–ମୋ ସମ୍ପର୍କରେ ?

–ହଁ, ତମେ ସାମାଜିକ ନିମନ୍ତ୍ରଣକୁ ଆସି ହାତରେ ରିଭଲଭର୍‍ ଧରି ଆସିଛି କାହିଁକି ?

–ସାଧାରଣ କଥା । କାରଣ ମୁଁ ଆଶଙ୍କା କରିଥିଲି ଯେ ଏଠାରେ ପୁଣି ହୁଏତ ସଙ୍କଟର ସମ୍ମୁଖୀନ ହେବି ।

–ସେ କଥାଟି ଗତକାଲି କହିଲ ନାହିଁ କାହିଁକି ?

–ତେବେ ସତକଥାଟି ଶୁଣ । ମରିସ ବୋଲି ଗୋଟିଏ ଲୋକ ମୋ ପାଖକୁ ଆସିଥିଲା । ସେ କହିଲା ଯେ ବରିକୁଦ ଦ୍ଵୀପକୁ ଆସିଲେ ମୁଁ ଗୋଟାଏ ଚାକିରି ପାଇବି । ସାହସିକ କାର୍ଯ୍ୟ । ସେ ମୋତେ ଏଠାକୁ ଆସିବାକୁ ଟଙ୍କା ମଧ୍ୟ ଦେଇଛି । ମୁଁ ତାକୁ ଆହୁରି ପ୍ରଶ୍ନ ପଚାରିଥିଲେ ଏ କାମଟା ସମ୍ପର୍କରେ । ସେ କହିଲା, କାମଟି ଗ୍ରହଣ କରିବା ମୋ ଇଛା ଉପରେ ନିର୍ଭର କରେ । ମୋର ସେତେବେଳେ ଟଙ୍କା ଦରକାର ଥିଲା ବୋଲି ନେଇଛି ।

 

–ତମେ କିନ୍ତୁ ଏ କଥା କାଲି କହିନ ତ ?

 

–ନା, କହିନି । ସ୍ୱାଭାବିକ ଭାବରେ ଏଡ଼ାଇଯାଇଛି । ତେବେ ବର୍ତ୍ତମାନ ମୁଁ ବୁଝିଛି ଯେ ସମସ୍ତଙ୍କ ଭଳି ମୁଁ ଗୋଟିଏ ଡଙ୍ଗାରେ । ଏ ଡଙ୍ଗା ବୁଡ଼ିବ କି ଭାସିବ ଜାଣେନା । ମୋର ଭାଗ୍ୟ ଆପଣମାନଙ୍କ ସହିତ ଜଡ଼ିତ । ମୁଁ ମଧ୍ୟ ରାଜାବହାଦୁରଙ୍କ ଫାନ୍ଦରେ ପଡ଼ିଯାଇଛି । ତେବେ ସେଇ ଶୟତାନଟି କାହିଁ ? ତା’ର ତ ପତ୍ତା ମିଳୁନାହିଁ ।

 

ସମସ୍ତେ ଟେବୁଲ୍‍ ପାଖରେ ବସିଲେ । ସମସ୍ତଙ୍କ ମନରେ ବିଷାଦର ଛାୟା । ମାଧବ ହଠାତ୍ ଉଠିପଡ଼ିଲା । ଫଟୋ ମୁଣ୍ଡ ପାଖକୁ ଯାଇ ଦେଖେ, ଆରେ ଏଇଟା ପୁଣି କିଏ ବଦଳାଇଦେଇଛି ଇସ୍‍କା ପାନ ବିବି, ଆମେ ଆଠ ଜଣ ମେମ୍ ସାହେବ ବିବି ।

 

ବର୍ଷା ମୁହଁ ଯୋଡ଼ିଦେଲା–ଅଦ୍ଭୁତ କରେକ୍‍ସନ ହୋଇଛି । ଏଇଟା ପୁଣି କଲା କିଏ ?

 

ଫଟିକ୍ ପୁଲିସ ଗୁଇନ୍ଦା ଭଙ୍ଗୀରେ ଜିନିଷଟା ପରୀକ୍ଷାକଲା ।

 

ମାଧବ ତାସ୍‍ମୁଠାକ ହାତକୁ ନେଇଆସିଲା । ସମସ୍ତେ ଉଦ୍‍ବିଗ୍ନ !

 

ଡାକ୍ତର କହିଲେ–ବେଶ୍, ମାଧବ, ଦେଖାଯାଉ ଇସ୍‍କା ପାନ ବିବି କାହା ପାଖରେ, ମାନେ…

 

ଶ୍ରୀମତୀ ବିନୋଦିନୀ ଚେୟାର ଉପରେ ସଳଖ ହୋଇ ବସିଲେ ।

 

ମାଧବ ତାସ୍‍ ବାଣ୍ଟିଗଲା–ଆରେ ବାବୁ, ମଥୁରାନନ୍ଦ ତ ଆସିନାହାନ୍ତି ।

 

ତାଙ୍କ ତାସ୍‍ଟି ଗୋଟିଏ ପାଖରେ ରଖାଯାଉ–ବର୍ଷା ନିର୍ଦ୍ଦେଶ କଲା ।

 

ସମସ୍ତେ ଖୁବ୍ ସନ୍ତର୍ପଣରେ ଯେଝା ତାସ୍‍ ଉଠାଇଲେ । ଆସ୍ତେ ଆସ୍ତେ ସମସ୍ତଙ୍କ ମନରେ ସନ୍ଦେହର ଆବରଣ ଆନନ୍ଦରେ ପରିଣତ ହେଲା । ନା, ତେବେ କାହାପାଖକୁ ଇସ୍‍କା ପାନ ବିବି ଯାଇନି, ମାନେ ମୃତ୍ୟୁନିମନ୍ତ୍ରଣ...

 

ଡାକ୍ତର କହିଲେ–ଆପଣମାନେ ବସନ୍ତୁ । ମୁଁ ମଥୁରାନନ୍ଦଙ୍କୁ ନେଇଆସୁଛି । ଡାକ୍ତର ଚାଲିଗଲେ । ପରିବେଷଣ ଚାଲିଲା । କିଛି ସମୟ ପରେ ଦୌଡ଼ିଆସିବାର ଶବ୍ଦ ଭାସିଆସୁଛି । ସମସ୍ତେ ଯେପରି ପ୍ରସ୍ତୁତ ହେଲେ ।

 

ଦୌଡ଼ି ଦୌଡ଼ି ପଶିଆସିଲେ ଡାକ୍ତର । ଟେବୁଲ୍‍ ପାଖରେ ଅଟକିଗଲେ । ମଥୁରାନନ୍ଦଙ୍କର ତାସ୍‍ଗୁଡ଼ିକ ଟେବୁଲ୍‍ ଉପରେ ବିଞ୍ଚୁଡ଼ି ହୋଇ ପଡ଼ିଲା । ଆରେ, ଏଇ ତ ଇସ୍‍କା ପାନ ବିବି...

 

ଡାକ୍ତର ଘୋଷଣା କଲେ–ମଥୁରାନନ୍ଦଙ୍କୁ କିଏ ହତ୍ୟା କରିଛି । ସାତଜଣଯାକ ପରସ୍ପର ମୁହଁକୁ ଅନାଇଲେ । କାହା ମୁହଁରେ କଥା ନାହିଁ । ସମୁଦ୍ରର ଗଭୀର ଆର୍ତ୍ତସ୍ୱର, ପବନର ଚିତ୍କାର ପରିବେଶଟିକୁ କରିଦେଲା ମର୍ମନ୍ତୁଦ ।

 

ମଥୁରାନନ୍ଦଙ୍କର ଦେହଟିକୁ ପରୀକ୍ଷା କରାଗଲା । ତାଙ୍କ ବିଛଣାରେ ଶୁଆଇଦିଆଗଲା ।

 

ସମସ୍ତେ ତଳକୁ ଓହ୍ଲାଇଲେ । ରଘୁନାଥ ଯେପରି ଚିତ୍କାର କଲା–ସାର୍, ଦେଖନ୍ତୁ ।

 

ବର୍ଷା ଅନାଇଲା । ସେଇ ପଦଟି ଲେଖାଅଛି–ଇସ୍‍କା ପାନ ବିବି, ଆମେ ସାତଜଣ ମେମ୍‍ସାହେବ ବିବି ।

 

ଶ୍ରୀମତୀ ବିନୋଦିନୀଙ୍କର ବୁଣିବା ବନ୍ଦ ହୋଇଯାଇଛି । ବର୍ଷା ଝରକାରେ ଅନାଇଛି । ବାହାରେ ବୃଷ୍ଟି । ଫଟିକ୍ ଗାଲରେ ହାତ ରଖି ବସିଛି । ଅସ୍ଥିର ଭାବରେ ବୁଲୁଛି ମାଧବ । ଘରର ଗୋଟିଏ କୋଣରେ ବସିଛନ୍ତି ଜଜ୍‍ସାହେବ । ଆଖିଦିଓଟି ମୁଦ୍ରିତ ।

 

ଡାକ୍ତର ପଶିବାମାତ୍ରକେ ଜଜ୍ ପଚାରିଲେ–ଘଟଣା କ’ଣ ଡାକ୍ତର ?

 

–ମୃତ୍ୟୁ ଅସ୍ଵାଭାବିକ । ମୁଣ୍ଡପଛରେ ଗୋଟାଏ ଓଜନିଆ ଜିନିଷରେ ଆଘାତ କରାହୋଇଛି । ଏହି ଆଘାତ ଫଳରେ ମୃତ୍ୟୁ ଘଟିଛି ।

 

ଘରଭିତରେ ଏକ ଗୁଞ୍ଜନ ।

 

ଜଷ୍ଟିସ୍ ମହାଜନ ପଚାରିଲେ–ଯେଉଁ ଜିନିଷ ସାହାଯ୍ୟରେ ଆଘାତ କରାଯାଇଛି, ତାହା କ’ଣ ଦେଖିଛନ୍ତି ?

 

–ନା !

 

ବିଚାରପତି ଗମ୍ଭୀର ହୋଇ କହିଲେ–ଦେଖନ୍ତୁ, ଆଜି ସକାଳେ ଏହି ଭଦ୍ରବ୍ୟକ୍ତି ମଥୁରାନନ୍ଦ ବାରଣ୍ଡାରେ ବସିଥିଲେ । ତା’ପରେ ଚାଲିଗଲେ । ମୁଁ ଲକ୍ଷ୍ୟ କରିଛି, ଆପଣମାନେ ଆତତାୟୀ ଅନ୍ୱେଷଣରେ ଦ୍ଵୀପଟି ବୁଲି ଦେଖିଲେ; କିନ୍ତୁ କାହାକୁ ପାଇଲେ ନାହିଁ । ତେବେ ଆମେ ଏକ ସିଦ୍ଧାନ୍ତରେ ପହଞ୍ଚିଛୁଁ ଯେ ପ୍ରବୀଣକୁମାର ଓ ମାଳତୀର ମୃତ୍ୟୁ ଦୁର୍ଘଟାଣାଜନିତ ବା ଆତ୍ମହତ୍ୟା ନୁହେଁ । ରାଜାବାହାଦୁର, ଯେ ଆମକୁ ଏ ଦ୍ୱୀପକୁ ନିମନ୍ତ୍ରଣ କରି ଆଣିଛନ୍ତି, ତାଙ୍କର ଉଦ୍ଦେଶ୍ୟ ଯେ ମହିତ୍ ନୁହେଁ ଆପଣ ଜାଣିପାରିଛନ୍ତି ।

 

ଫଟିକ୍ କହିଉଠିଲା–ରାଜାବାହାଦୁର ଏକ ପାଗଳ ।

 

ଜଜ୍‍ କାଶି କହିଲେ–ସେ ଯେ ପାଗଳ, ଏହା ଏପରି ଏକ ସତ୍ୟ ଯେ କାହାକୁ ବୁଝାଇବାର ଦରକାର ପଡ଼ିବ ନାହିଁ । ଏହାର ଆଲେଚନା ଅନାବଶ୍ୟକ । ଏବେ ପ୍ରଶ୍ନ ହେଲା ଆମେ କିପରି ଆମର ଜୀବନ ରକ୍ଷା କରିବା !

 

–ଏ ଦ୍ଵୀପରେ ଆଉ କେହି ନାହିଁ ।

 

ବିଚାରପତି କହିଲେ–ଏହା ମିଥ୍ୟା ନୁହେଁ । ସେକଥା ମୁଁ ସକାଳୁ ଜାଣି ପାରିଛି । ତେଣୁ ଆପଣଙ୍କ ସହିତ ଗୁପ୍ତଘାତକର ଅନୁସନ୍ଧାନରେ ବୁଲିନାହିଁ, ଡାକ୍ତର, ତମକୁ ମନା ମଧ୍ୟ କରିନାହିଁ । ମନା କଲେ କିଛି ଲାଭ ମଧ୍ୟ ହୁଅନ୍ତା ନାହିଁ । ମୁଁ ଭାବୁଛି, ରାଜାବାହାଦୁରଙ୍କର ଉଦ୍ଦେଶ୍ୟ ହେଲା ଏପରି କେତେକଣ ବ୍ୟକ୍ତିଙ୍କୁ ଦଣ୍ଡ ଦେବା, ଯେଉଁମାନଙ୍କର ଅପରାଧ ସଂପର୍କରେ ସେମାନଙ୍କର ସଂଶୟ ନାହିଁ, କିନ୍ତୁ ଆଇନ ସେମାନଙ୍କୁ ସ୍ପର୍ଶ କରିନି । ତେବେ ମୋର ମନେ ହେଉଛି ଗୋଟିଏ କଥା । ଆପଣ ଚିନ୍ତା କରନ୍ତୁ । ବଡ଼ ସ୍ପଷ୍ଟ ବ୍ୟାପାର । ଆମ ଭିତରେ ଅଛନ୍ତି ରାଜାବାହାଦୁର ।

 

ବର୍ଷା କାନ୍ଦିଉଠିଲା–ନା, ନା, ତା’ ହୋଇପାରେ ନା ।

 

ଜଜ୍‍ ମହାଜନ କହିଲେ–ବର୍ଷା, ସତ୍ୟକୁ ଏଡ଼ାଇଯିବାର ମୁହୂର୍ତ୍ତ ଏ ନୁହେଁ । ଆମ ସମସ୍ତଙ୍କର ବିପଦ । ଆମ ଭିତରେ ଜଣେ ରାଜାବାହଦୁର ଅଛନ୍ତି । କିନ୍ତୁ ସେ କିଏ ? ଦଶଜଣ ଆସିଥିଲୁ ଏ ଦ୍ଵୀପକୁ, ଏବେ ତିନିଜଣ ଯମାଳୟରେ । ଯେଉଁମାନେ ମଲେଣି ସେମାନଙ୍କର ପ୍ରଶ୍ନ ଉଠେନା । ଆମ ସାତଜଣଙ୍କ ଭିତରୁ ଜଣେ ? କ’ଣ ଆପଣମାନେ ମୋ ସହିତ ଏକମତ ?

 

ଡାକ୍ତର ଦୁର୍ଗାମାଧବ କହିଲେ–ଆପଣଙ୍କ କଥା ହୁଏତ ଠିକ୍, କିନ୍ତୁ ଚିନ୍ତା କରିବାକୁ ଭଲ ଲାଗେନା !

 

ଫଟିକ୍ କହିଲା–ଠିକ୍ କଥାଟା ସତ ହେବେ ।

 

ବିନୋଦିନୀ କହିଲେ–ସିଦ୍ଧାନ୍ତଟି ଯୁକ୍ତିଯୁକ୍ତ । ନିଃସନ୍ଦେହରେ କୁହାଯାଇପାରେ ଯେ ଆମ ଭିତରେ ଜଣକ ଉପରେ ଶୟତାନ ବାସ କରୁଛି ।

 

ମାଧବ କହିଲା–ମୁଁ ଆପଣଙ୍କ ସହିତ ଏକମତ ।

 

ଫଟିକ୍ କହିଉଠିଲା–ମାଧବ ପାଖରେ ଗୋଟାଏ ରିଭଲଭର୍‍ ଅଛି, ଅଥଚ ସେ ତାହା ପ୍ରକାଶ କରି ନ ଥିଲା ।

 

ମାଧବ କହିଲା–ସେକଥା ତ ମୁଁ ତମକୁ କହିଛି କାହିଁକି ରଖିଛୁ, କିପରି ରଖିଲି । ତା’ପରେ ଆଉରି ପ୍ରଶ୍ନ କାହିଁକି ?

 

–ଏଇଟା ଗଳ୍ପ ହୋଇପାରେ । ମନଗଢ଼ା କଥା । ବିଚାରପତି କହିଲେ–ଆମର କାହାରି କଥାର ସପକ୍ଷରେ ପ୍ରମାଣ ନାହିଁ । ପରସ୍ପରର କଥା ମାନିନେବା ଛଡ଼ା ଅନ୍ୟ ଗତି ନାହିଁ । ଯେଉଁ ବିଚିତ୍ର ଓ ସଙ୍କଟମୟ ପରିସ୍ଥିତିରେ ପଡ଼ିଛୁଁ ତାହାର ଗୁରୁତ୍ଵ ସମ୍ପର୍କରେ ଆମେ ସଚେତନ । ବର୍ତ୍ତମାନ କ’ଣ କରାଯିବ ? ତେବେ ଆମ ଭିତରେ ଏପରି କେହି ଅଛନ୍ତି ଯାହାଙ୍କୁ ସମସ୍ତେ ସମ୍ପୂର୍ଣ୍ଣରୂପେ ବିଶ୍ୱାସ କରିପାରିବେ ?

 

ଡାକ୍ତର ଦୁର୍ଗାମାଧବ କହିଲେ–ମୋର ଦାବୀ ପ୍ରଥମେ ।

 

ଜଜ୍ ହସି କହିଲେ–ମର୍ଯ୍ୟାଦା ଓ ସମ୍ମାନ ଦୃଷ୍ଟିରୁ ମୋର ମଧ୍ୟ ଅଛି । କଥା ହେଲା, ଡାକ୍ତରମାନେ ମଧ୍ୟ ପାଗଳ ହୁଅନ୍ତି, ବିଚାରକ ମଧ୍ୟ ପାଗଳ ହୋଇପାରେ ଏବଂ ପୁଲିସ ଗୁଇନ୍ଦାମାନଙ୍କର ମଧ୍ୟ ମୁଣ୍ଡ ଖରାପ ହୋଇଥାଏଁ ।

 

ମାଧବ କହିଲା–ମହିଳାମାନଙ୍କୁ ବାଦ୍ ଦିଆଯାଇପାରେ ।

 

ଜଜ୍‍ସାହେବ କ୍ରୁଦ୍ଧ ସ୍ଵରରେ କହିଲେ–ନା, ଅସମ୍ଭବ ବୋଲି କିଛି ନାହିଁ ସେମାନଙ୍କ ପକ୍ଷରେ । ଆଚ୍ଛା ଡାକ୍ତର, ମଥୁରାନନ୍ଦ ଯେଉଁ ଆଘାତ ଫଳରେ ମଲେ ସେ ଆଘାତ ଦେବା କଣ ଜଣେ ସ୍ତ୍ରୀଲୋକ ପକ୍ଷରେ ଅସମ୍ଭବ ?

 

–ଖୁବ୍ ସମ୍ଭବ ।

 

–ଖୁବ୍ ବେଶି ଦୈହିକ ପରିଶ୍ରମ କଣ ଲୋଡ଼ା ହୋଇନି ?

 

–ନା ।

 

–ତେବେ ଶୁଣନ୍ତୁ । ମଥୁରାନନ୍ଦଙ୍କୁ ମାରିବାରେ ଦେହର ଜୋର ପ୍ରୟୋଗ ହୋଇନି । ଅନ୍ୟ ଦୁଇଟି କ୍ଷେତ୍ରରେ ଖାଦ୍ୟ ବା ପାନୀୟରେ ବିଷ ପ୍ରୟୋଗ କରାଯାଇଛି । ତେଣୁ ଆପଣ କୁହନ୍ତୁ, ମହିଳାମାନଙ୍କୁ ଏ ସନ୍ଦେହରୁ ମୁକ୍ତ କରିବା କଣ ଉଚିତ ?

 

ବର୍ଷା ଚିତ୍କାର କରିଉଠିଲା–ଜଜ୍, ଆପଣ ପାଗଳ ।

 

ଗମ୍ଭୀର କଣ୍ଠରେ ଜଜ୍ କହିଲେ–ବର୍ଷା, ନିଜକୁ ସଂଯତ କର । ଶ୍ରୀମତୀ ବିନୋଦିନୀ, ଦୟାକରି ମୋତେ ଭୁଲ ବୁଝିବେ ନାହିଁ ।

 

ବିନୋଦିନୀ ତଳ ଆଡ଼କୁ ଅନାଇ କହିଲେ–ଯେଉଁମାନେ ମୋତେ ଜାଣନ୍ତି, ସେମାନେ କେବେ ବିଶ୍ୱାସ କରିବେ ନାହିଁ ମୁଁ ହତ୍ୟାରେ ଜଡ଼ିତ ହେବି ବୋଲି ।

 

ଜଜ୍‍ସାହେବ–ମୁଁ ଆପଣଙ୍କ କଥା ବୁଝିଛି । ଏ କ୍ଷେତ୍ରରେ ଯାହା ଅବସ୍ଥା ସେଥିରେ ସମସ୍ତେ ସମସ୍ତଙ୍କୁ ସନ୍ଦେହ କରିପାରିବୁ । କେହି ସନ୍ଦେହରୁ ମୁକ୍ତି ହେବେ ନାହିଁ ।

 

ମାଧବ କହିଲା–ରଘୁନାଥକୁ ?

 

ଜଜ୍‍ସାହେବ କହିଲେ–ଏ ପୃଥିବୀ ସମ୍ପର୍କରେ ତମର ଅଭିଜ୍ଞତା ଖୁବ୍ କମ୍ । ମୋର ଇଜ୍‍ଲାସରେ ସ୍ତ୍ରୀ ହତ୍ୟା ଅଭିଯୋଗରେ ବହୁ ଆସାମୀ ଅଭିଯୁକ୍ତ ହୋଇ ପ୍ରମାଣିତ ହୋଇଛନ୍ତି ।

 

ମାଧବ କହିଲେ–ତା’ ଠିକ୍ । ଆପଣଙ୍କ କଥାକୁ ମୁଁ ସ୍ଵୀକାର କରୁଛି । ଆମେ ସମସ୍ତେ ସମସ୍ତଙ୍କର ସମାନ ସନ୍ଦେହର ପାତ୍ର ।

 

ବିଚାରପତି କହିଲେ–ମୋ କଥା ହେଲା ଚରିତ୍ର ମର୍ଯ୍ୟାଦା ବା ସମ୍ଭାବନାକୁ ମନେକରି ଆମେ କାହାକୁ ସନ୍ଦେହରୁ ମୁକ୍ତି ଦେବା ନାହିଁ ।

 

ଫଟିକ୍ କହିଲା–ଘଟଣାଗୁଡ଼ିକ ବିଶ୍ଳେଷଣ କଲେ ଦେଖାଯାଏ, ପ୍ରବୀଣକୁମାର କଥା ଥାଉ; କିନ୍ତୁ ରଘୁନାଥର ସ୍ତ୍ରୀ ମାଳତୀର ମୃତ୍ୟୁ ପାଇଁ ଦୁଇଜଣ ଦାୟୀ, ରଘୁନାଥ ନଚେତ୍ ଡାକ୍ତର ଦୁର୍ଗାମାଧବ ।

 

ଡାକ୍ତର ରାଗିଉଠିଲେ–ମୁଁ ଏହାର ପ୍ରତିବାଦ କରୁଛି ।

 

ବିଚାରପତି କହିଲେ–ଆପଣଙ୍କର ବିରକ୍ତି ଓ ଆପତ୍ତିର କାରଣ ମୁଁ ବୁଝିପାରିଛି, ଡାକ୍ତର-! ସନ୍ଦେହ ନାହିଁ ଯେ ଆପଣ ଏବଂ ରଘୁନାଥ ପକ୍ଷରେ ତା’ ସ୍ତ୍ରୀକୁ କିଛି ଖୁଆଇବା ସହଜ ଥିଲା ! ଅଚ୍ଛା, ଶ୍ରୀମତୀ ବିନୋଦିନୀ, ବର୍ଷା, ମାଧବ ଓ ଫଟିକ୍, ଆମେ କ’ଣ ଏ ସମ୍ବନ୍ଧରେ ସନ୍ଦେହର ଊର୍ଦ୍ଧ୍ଵରେ ରହିଛୁଁ ?

 

ବର୍ଷା କହିଉଠିଲା–ଦେଖନ୍ତୁ, ମୁଁ ରଘୁନାଥର ସ୍ତ୍ରୀ ପାଖରେ ନ ଥିଲି ।

 

ବିଚାରପତି ଟିକିଏ ଅଟକି କହିଲେ–ଦେଖନ୍ତୁ, ରଘୁନାଥର ସ୍ତ୍ରୀ ମାଳତୀ ପଡ଼ିଯିବାବେଳେ ପ୍ରବୀଣକୁମାର ଓ ମାଧବ ସାହାଯ୍ୟ କରିବାକୁ ଆଗେଇଯାଇଥିଲେ । ତା’ପରେ ମାଳତୀକୁ ଶୁଆଇଦିଆଗଲା । ଆମେ ଗ୍ରାମୋଫୋନ୍ ପାଖକୁ ସମସ୍ତେ ଯାଇଥିଲୁଁ । ଯାଇ ନଥିଲେ କେବଳ ଶ୍ରୀମତୀ ବିନୋଦିନୀ ।

 

ବିନୋଦିନୀଙ୍କ ମୁହଁ ଲାଲ ପଡ଼ିଗଲା ।

 

ଜଜ୍‍ସାହେବ କହିଚାଲିଲେ–ତା’ପରେ ଆମେ ଘରକୁ ଫେରି ଆସି ଦେଖୁଁ ଯେ ଶ୍ରୀମତୀ ବିନୋଦିନୀ ରଘୁନାଥର ସ୍ତ୍ରୀ ମାଳତୀ ପାଖରେ ଝୁଙ୍କି ପଡ଼ିଥିଲେ ।

 

–ମଣିଷ ପ୍ରତି ଦୟା ଦେଖାଇବା କ’ଣ ଅପରାଧ, ମିଷ୍ଟର ମହାଜନ ? କହିଲେ ବିନୋଦିନୀ ।

 

–ନା, ନା, ମୁଁ ତଥ୍ୟଗୁଡ଼ିକ କେବଳ ସଜାଇଦେଉଛି । ତା’ପରେ ରଘୁନାଥ ବ୍ରାଣ୍ଡି ନେଇ ପଶିଲା । ବ୍ରାଣ୍ଡିରେ ମିଶାଇ ଅଣାଯାଇପାରିଥାଏ । ତା’ପରେ ଡାକ୍ତର ଓ ରଘୁନାଥ ବିଛଣାରେ ଶୁଆଇଦେଲେ । ଏଇ ତ, ତା’ପରେ ଡାକ୍ତର ନିଦ ଔଷଧ ଦେଲେ ।

 

ଫଟିକ୍ କହିଉଠିଲା–ଠିକ୍, ତେବେ ଆପଣ କହିବାକୁ ଚାହାନ୍ତି ଯେ ମୁଁ, ମାଧବ ଓ ବର୍ଷା ସନ୍ଦେହମୁକ୍ତ ।

 

ଜଜ୍‍ସାହେବ କହିଲେ–ଧର, ରଘୁନାଥର ସ୍ତ୍ରୀ ମାଳତୀ ଉପରେ ଶୋଇଛି । ଡାକ୍ତର ନିଦ ଔଷଧ ଦେଇ ଚାଲିଆସିଲେ । ମାଳତୀ ତନ୍ଦ୍ରାଚ୍ଛନ୍ନ । ଏତିକିବେଳେ ମାଧବ ପାଦ ଚିପି ଚିପି ହାତରେ ଟାବଲେଟ୍ ଧରି ତା ପାଖକୁ ଯାଇ କହିଲା, ମାଳତୀ, ଡାକ୍ତର ଔଷଧ ଦେଇଛନ୍ତି, ଖାଅ । ମାଳତୀ ଖାଇସାରିବା ପରେ ସବୁ ଶେଷ । ଏହା ବି ହୋଇପାରେ ।

 

ମାଧବ କହିଲା–ଏଇଟା ମିଛ ଗପ । ଆମେ ସମସ୍ତେ ପ୍ରବୀଣକୁମାର ପାଇଁ ସେତେବେଳେ ବ୍ୟସ୍ତ ଥିଲୁଁ ।

 

ବିନୋଦିନୀ କହିଲେ–ଡାକ୍ତର, ଆପଣଙ୍କର ନିଦ ଔଷଧ ଖାଇ ରଘୁନାଥର ସ୍ତ୍ରୀ ଶୋଇପଡ଼ିଥିଲା । ତେଣୁ କେହି ଯଦି ତା’ ଘରକୁ ଯାଇଥାଏ ତେବେ ମାଳତୀକୁ ଶୋଇଥିବାର ଦେଖିଛି ।

 

–ଖୁବ୍ ସମ୍ଭବ । କିନ୍ତୁ ଠିକ୍ କରି କିଛି କହିବା ସମ୍ଭବ ନୁହେଁ । ଅନେକ ସମୟରେ ନିଦର ଔଷଧ କାର୍ଯ୍ୟ କରିବାକୁ ଡେରି ହୁଏ ।

 

ବିଚାରପତି କହିଉଠିଲେ–ପରସ୍ପର ବିରୁଦ୍ଧରେ ଅଭିଯୋଗ ଆଣିବାରେ କୌଣସି ଲାଭ ହେବ ନାହିଁ । ମୋର କହିବାର କଥା, ମୁଁ ଯାହା କହିଲି ସେପରି ଘଟିବାରେ କିଛି ଅସମ୍ଭବ ନ ଥିଲା-

 

ଫଟିକ୍ କହିଲା–ବେଶ୍ ହେଲା, ତା’ପରେ ?

 

ଜଜ୍‍ସାହେବ ମହାଜନ କହିଲେ–ଏହା ପରେ ମଥୁରାନନ୍ଦଙ୍କର ମୃତ୍ୟୁ ଘଟଣା ଆଲୋଚନା କରାଯାଉ । ମୁଁ ସକାଳୁ ଏଇ ପିଣ୍ଡାରେ ବସିଛି । ତେଣୁ ଏ ବ୍ୟାପାରରେ ମୁଁ କିଛି ଜାଣେନା । ମୁଁ ସମୁଦ୍ରତୀରକୁ ଯାଇପାରନ୍ତି ନାହିଁ ଏହା ଭାବିବା ଭୁଲ; କିନ୍ତୁ ସକାଳଟି ବାରଣ୍ଡାରେ କଟାଇଛି ।

 

ଫଟିକ୍ କହିଲା–ସକାଳଟା ମୁଁ ମାଧବ ଓ ଡାକ୍ତର ସାଙ୍ଗରେ କଟାଇଛି । ତେଣୁ ସେମାନେ ଏହାର ସାକ୍ଷ୍ୟ ଦେବେ ।

 

ଡାକ୍ତର କହିଲେ–ତମେ ତ ମଝିରେ ଆସିଥିଲ ହେ, ବେଶ୍ କିଛି ସମୟ ନେଇଛ ।

 

–ହଁ, ତା’ ସତ ।

 

ଜଜ୍ ଡାକ୍ତରଙ୍କୁ ପଚାରିଲେ–ଫଟିକ୍ ଯିବା ପରେ ଆପଣ ଓ ମାଧବ ଏକାସାଙ୍ଗରେ ଥିଲେ ତ ?

 

–ଆଜ୍ଞା ହଁ, ଏକାସାଙ୍ଗରେ ଥିଲୁଁ ।

 

ମାଧବ ହସି କହିଲା–ସେପାରି ସମୁଦ୍ରକୂଳକୁ ଗୋଟାଏ କିଛି ସଙ୍କେତ ପଠାଇବାର ସୁବିଧା ଅଛି କି ନାହିଁ ମୁଁ ଭାବି ଦେଖୁଥିଲି । ତେଣୁ ଡାକ୍ତରଙ୍କ ସାଙ୍କରେ ମୁଁ ମାତ୍ର ଦି’ମିନିଟ୍‍ ନ ଥିଲି-

 

ଡାକ୍ତର କହିଲେ–ଦି’ମିନିଟ୍ ହତ୍ୟାକାଣ୍ଡ ପାଇଁ ଯଥେଷ୍ଟ ବୋଧହୁଏ ।

 

ଜଜ୍ ପଚାରିଲେ–ଘଡ଼ି ଦେଖିଥିଲେ ?

 

–ନା ।

 

–ତେବେ ଅନ୍ଦାଜ କରି କହୁଛନ୍ତି । ବେଶ୍ ଶ୍ରୀମତୀ ବିନୋଦିନୀ, ଆପଣ କୁହନ୍ତୁ ।

 

–ସକାଳେ ବର୍ଷାକୁ ନେଇ ବୁଲିବାକୁ ଯାଇଥିଲି । ପୁଣି ଫେରିଆସି ବାରଣ୍ଡାରେ ବସିଥିଲି ।

 

–ମୁଁ ପୂର୍ବ ପାଖରେ ବସିଥିଲି ।

 

–ମଧ୍ୟାହ୍ନ ଖାଇବା ପର୍ଯ୍ୟନ୍ତ ଏଇଠି ବସିଥିଲେ, ନୁହେଁ ?

 

–ହଁ ।

 

–ବର୍ଷା, ତମେ ?

 

–ସକାଳେ ବିନୋଦିନୀଙ୍କ ସହ ବୁଲିଯାଇଥିଲି । ତା’ପରେ ଏକୁଟିଆ ବୁଲିଲାବେଳେ ମଥୁରାବାବୁଙ୍କ ସହିତ ଦେଖାହୋଇଛି ।

 

–କେତେବେଳେ ?

 

–ଠିକ୍ କହିପାରୁନି, ତେବେ ମଧ୍ୟାହ୍ନ ଭୋଜନ ପୂର୍ବରୁ ।

Unknown

 

–ଆମ ସହିତ ଦେଖାହେବା ପୂର୍ବେ ନା ପରେ ?

 

–କେମିତି କହିବି ! ତେବେ ତାଙ୍କୁ ଅସ୍ଵାଭାବିକ ବୋଲି ମୋର କାହିଁକି ମନେହେଲା । ବର୍ଷା ଟିକିଏ ଥରିଉଠିଲା ।

 

ବିଚାରପତି କହିଲେ–ଅସ୍ଵାଭାବିକ ?

 

–ସେ କହୁଥିଲେ ଯେ ସେ ଶେଷପାଇଁ ଅପେକ୍ଷା କରୁଛନ୍ତି; ଆମେ କେହି ବଞ୍ଚିବା ନାହିଁ-। ମୁଁ ତ ଭୀଷଣ ଭୟାର୍ତ୍ତ ହୋଇଉଠିଥିଲି ।

 

–ତା’ପରେ ତମେ କ’ଣ କଲ ?

 

–ଘରକୁ ଫେରିଲି । ଘର ପଛପାଖକୁ ବୁଲିବାକୁ ଯାଇଥିଲି । ମନଟା ବଡ଼ ଅସ୍ଥିର ହୋଇଉଠିଛି ଆଜି ।

 

ଜଜ୍‍ସାହେବ କହିଲେ–ରଘୁନାଥର ସାକ୍ଷରେ ବିଶେଷ କିଛି ଲାଭ ହେବ ନାହିଁ । ରଘୁନାଥ କହିଲା ଯେ ସେ ମଧ୍ୟାହ୍ନ ଭୋଜନ ପୂର୍ବେ ପାନୀୟ ପରିବେଷଣ କରିଛି । ନିଜ କାମରେ ସେ ବ୍ୟସ୍ତ ଥିଲା । ମଥୁରାନନ୍ଦଙ୍କ ବ୍ୟାପାର ସେ କିଛି ଜାଣେନା ।

 

କୌଣସି କୌଣସି ବ୍ୟକ୍ତି ସମ୍ପର୍କରେ ସନ୍ଦେହର ପରିମାଣ ଅପେକ୍ଷାକୃତ ଅଧିକ ବୋଲି ଅନୁମାନ କରିବା ଅସଙ୍ଗତ ନୁହେଁ । ସମସ୍ତେ ସନ୍ଦେହମୁକ୍ତ ନୁହନ୍ତି । ଆମର ସାତଜଣଙ୍କ ଭିତରେ ଜଣେ ଅପରାଧୀ ନିଶ୍ଚୟ ରହିଛି । କିନ୍ତୁ ସେ କିଏ ? ବର୍ତ୍ତମାନ କର୍ତ୍ତବ୍ୟ ହେଲା ଉପକୂଳ ସହିତ ସମ୍ପର୍କ ରକ୍ଷାକରି ସାହାଯ୍ୟ ପ୍ରାର୍ଥନା କରିବା ଉଚିତ । ସେ ସମସ୍ତଙ୍କୁ ସତର୍କ କରି କହିଲେ ଯେ ହତ୍ୟାକାରୀର କାର୍ଯ୍ୟ ସହଜ ନୁହେଁ । ଏହା ପରେ ଆମେ ପ୍ରତ୍ୟେକକୁ ସନ୍ଦେହ କରିବା । ସତର୍କ ରହିବା । ବିପଦରେ ସତର୍କ ସଚେତନ ରହିବା ଏକାନ୍ତ ଉଚିତ ।

 

ଗୋଟିଏ ନିର୍ଜନ ଘରେ ବର୍ଷା ଓ ମାଧବ କଥା ହେଉଥିଲେ । ବାହାରେ ବର୍ଷା, ଝଡ଼ ।

 

ମାଧବ କହିଲା–ଦେଖ ବର୍ଷା, ଜଜ୍‍ଙ୍କର ଯୁକ୍ତିଟା ଠିକ୍; କିନ୍ତୁ ବିଶ୍ଵାସ କରିହେଉନାହିଁ । ମଥୁରାନନ୍ଦଙ୍କ ମୃତ୍ୟୁ ପରେ ଗୋଟିଏ ବ୍ୟାପାରରେ କିନ୍ତୁ କୌଣସି ସଂଶୟ ନାହିଁ: ଏହି ତିନୋଟି ହତ୍ୟାକାଣ୍ଡ–ଖୁନ୍ । ଏଗୁଡ଼ିକ ଆତ୍ମହତ୍ୟା ନୁହେଁ ।

 

–କି ଭୟଙ୍କର ବ୍ୟାପାର କହନ୍ତୁ ତ ! ଏପରି କାଣ୍ଡ ବିଶ୍ୱାସ କରିହେଉନାହିଁ । ମନେ ହେଉଛି ଏହା ଯେପରି ଦୁଃସ୍ୱପ୍ନ ।

 

–ବର୍ଷା ଦେବୀ, ଆମେ ଯେଉଁ ଅବସ୍ଥାରେ ପଡ଼ିଛୁଁ ତାହା ସ୍ୱପ୍ନ ନୁହେଁ, ନିଷ୍ଠୁର ବାସ୍ତବ, ସତ୍ୟ । ସବୁ ସମୟରେ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । ନ ହେଲେ ସର୍ବନାଶ ।

 

ବର୍ଷା ପଚାରିଲା–ଯଦି ହତ୍ୟାକାରୀ ସେମାନଙ୍କ ଭିତରେ କେହି ଥାଏ, ତେବେ କିଏ ସେ-? କିଏ ?

 

ହସିଲା ମାଧବ–ତା’ ହେଲେ ଆମେ ଦି’ଜଣଙ୍କୁ ତାଙ୍କ ସାଙ୍ଗରେ ସାମିଲ କରୁନାହାନ୍ତି, ଏଇ ତ ! ତେବେ ମୁଁ ଏତିକି କହିବି, ମୁଁ ହତ୍ୟାକାରୀ ନୁହେଁ । ତା’ ଛଡ଼ା ବର୍ଷା ଦେବୀ, ମୁଁ ଆପଣଙ୍କୁ ଶ୍ରଦ୍ଧା କରେଁ । ଏହି ନୀଚତା ସହିତ ଆପଣ ଯେ ଜଡ଼ିତ ରହିବେ ଏ କଥା ମୁଁ ମାନିନେଇପାରିବି ନାହିଁ । ଆପଣ ବୁଦ୍ଧିମତୀ, ଆପଣଙ୍କର ସତତା ସପକ୍ଷରେ ମୁଁ ମୋର ସର୍ବସ୍ୱ ପଣ ରଖିବାକୁ ପ୍ରସ୍ତୁତ-

 

–ଧନ୍ୟବାଦ ।

 

ମୃଦୁ ହସି ମାଧବ କହିଲା–ମୋ ସପକ୍ଷରେ ଆପଣଙ୍କର କଣ କିଛି କହିବାର ନାହିଁ ?

 

ବର୍ଷା ସ୍ପଷ୍ଟ କଣ୍ଠରେ କହିଲା–

 

ମଣିଷର ଜୀବନ ପ୍ରତି ଯଥୋଚିତ ଶ୍ରଦ୍ଧାର ଅଭାବ ଆପଣଙ୍କର ଅଛି । ଆପଣ ତ ଏହା ସ୍ଵୀକାର କରିଛନ୍ତି । ତେବେ ଆପଣ ଗ୍ରାମୋଫୋନ ରେକର୍ଡ଼ ସହିତ ସଂଯୁକ୍ତ ନୁହନ୍ତି ।

 

ମାଧବ କହିଲା–ଠିକ୍ କହିଛନ୍ତି । ମଣିଷ ହିସାବରେ ମୁଁ ଖାଣ୍ଟି ବାସ୍ତବବାଦୀ । ପ୍ରୟୋଜନ ହେଲେ ହତ୍ୟା କରିବାକୁ ପଛାଇଯିବିନି । ତେବେ ତା ଆଗରୁ ହିସାବ କରିନେବି ଯେ ଏଥିରେ ମୋର ଲାଭ କେତେ । ଅର୍ଥହୀନ ଏ ପ୍ରକାର ହତ୍ୟାଲୀଳା ମୋ ଦ୍ଵାରା ସମ୍ଭବ ନୁହେଁ । ବେଶ୍, ଅନ୍ୟ ପାଞ୍ଚଜଣଙ୍କ ଭିତରେ ଆପଣ କାହାକୁ ସନ୍ଦେହ କରନ୍ତି ? ମୁଁ କାହାକୁ ସନ୍ଦେହ କରେଁ, ଜାଣନ୍ତି ?

 

–କାହାକୁ ?

 

–ବୁଢ଼ା ମହାଜନକୁ ।

 

–କାହିଁକି ?

 

–କହିବା ଶକ୍ତ । ବୁଢ଼ାଟା ବହୁକାଳ ଜଜ୍ ସାଜି ଦିନ ପରେ ଦିନ, ବର୍ଷ ପରେ ବର୍ଷ ଧର୍ମାବତାର ଭୂମିକାରେ ଅଭିନୟ କରିଛି । ନିଜକୁ ଅନ୍ୟର ପ୍ରଭୁ ବୋଲି ଦେଖିଛି । ତା ଇଚ୍ଛା ଉପରେ ନିର୍ଭର କରିଛି ଅନେକର ଜୀବନ-ମୃତ୍ୟୁ । ଏଠାରେ ସେ ଚାହେଁ ସ୍ୱୟଂ ଭଗବାନ ହେବାକୁ-

 

–ଆଶ୍ଚର୍ଯ୍ୟ କ’ଣ ?

 

–ଆପଣଙ୍କର ସନ୍ଦେହ କାହାକୁ ?

 

–ଡାକ୍ତର ଦୁର୍ଗାମାଧବ ।

 

–ମୁଁ କିନ୍ତୁ ଡାକ୍ତରକୁ ସନ୍ଦେହ କରେନା ।

 

–ଦି’ଟା ମୃତ୍ୟୁ ମୂଳରେ ଅଛି ବିଷ । ଡାକ୍ତର ପକ୍ଷରେ ବିଷ ଯୋଗାଡ଼ କରିବା ଓ ଦେବା ସହଜ । ଆପଣ ତ ସ୍ୱୀକାର କରିବେ ଯେ ଡାକ୍ତର ରଘୁନାଥର ସ୍ତ୍ରୀ ମାଳତୀକୁ ନିଦର ଔଷଧ ଦେଇଥିଲେ ।

 

–ତା ସତ ।

 

–ଗୋଟାଏ ଡାକ୍ତର ହେଲେ ପାଗଳ ହେବନି ଏ କଥା ତ ଠିକ୍ ନୁହେଁ । ଡାକ୍ତରମାନଙ୍କର ଯାହା ପରିଶ୍ରମ ସେଥିରେ ପାଗଳ ହେବା ଅସମ୍ଭବ ନୁହେଁ ।

 

ମାଧବ କହିଲା–କଥାଟା ମିଛ ନୁହେଁ । ଆପଣ ଡାକ୍ତରଙ୍କୁ ଦାୟୀ କରିପାରିବେ ନାହିଁ; କାରଣ ମୁଁ ତାଙ୍କ ସାଙ୍ଗରେ ଥିଲି । ଅବଶ୍ୟ କିଛି ସମୟ ନ ଥିଲି । ସେତେବେଳେ କିଛି କରିବାର ଉପାୟ ନ ଥିଲା ।

 

–ପଛରେ ଥିଲା ତ ! ଆମେ ଯେତେବେଳେ ମଧ୍ୟାହ୍ନ ଭୋଜନରେ ବସିଥିଲୁଁ, ଡାକ୍ତର ଡାକି ଆଣିବାକୁ ଗଲେ ମଥୁରାନନ୍ଦଙ୍କୁ ।

 

–କିନ୍ତୁ ।

 

–ଏଥିରେ ସନ୍ଦେହ କଣ ? ଡାକ୍ତରୀ ଜ୍ଞାନ ତାଙ୍କର ଅଛି । କୌଣସି ମୃତ ଦେହ ପରୀକ୍ଷା କରି ଯଦି କହନ୍ତି ଯେ ଘଣ୍ଟାଏ ଆଗରୁ ମରିଛି, ତେବେ କିଏ ପ୍ରତିବାଦ କରିବ,ଶୁଣେ ?

 

ବର୍ଷା ମୁହଁ ଆଡ଼କୁ ଅନାଇଲା ମାଧବ–ଆପଣଙ୍କର ଯୁକ୍ତି ଅକାଟ୍ୟ । କିନ୍ତୁ...ତଥାପି...

 

ଏଣେ ରଘୁନାଥ ପଚାରିଲା–ଆଚ୍ଛା, ମିଷ୍ଟର ଫଟିକ୍, ଆପଣ କଣ ବ୍ୟାପାରଟି କିଛି ବୁଝିପାରୁଛନ୍ତି ?

 

–ନା, ରଘୁନାଥ, ମୁଁ ଅସମର୍ଥ ।

 

–ଜଜ୍‍ସାହେବ ଯେ କହୁଛନ୍ତି । ଆମ ଭିତରେ ଜଣେ ଆତତାୟୀ ରହିଛି, କ’ଣ କଥଟା ସତ ? ଯଦି ତାହା ହୁଏ, ତେବେ ସେ ଲୋକଟି କିଏ ?

 

–ରଘୁନାଥ, ଆମେ ସେଇ କଥାଟି ଜାଣିବାକୁ ଚାହୁଁ ।

 

–ଆପଣ ନିଶ୍ଚୟ କିଛି ଅନୁମାନ କରିଛନ୍ତି ।

 

–ଅନୁମାନ କରିଛି; କିନ୍ତୁ ତାହା ଯେ ସତ କହିବି କିପରି କୁହତ ! ଲୋକଟା ଯେମିତି ବୁଦ୍ଧିମାନ୍ ସିମିତ ନିଷ୍ଠୁର । ଖୁନ୍ ପରେ ଖୁନ୍ କଣ ସହଜ କଥା !

 

–କିଛି ବୁଝିପାରୁନି ସାର୍, କିଛି ନା ।

 

ଡାକ୍ତର ଦୁର୍ଗାମାଧବ ଦୃଢ଼ ସ୍ଵରରେ କହୁଥିଲେ–ଆମକୁ ଯେପରି ହେଉ ଏଠାରୁ ଯିବାକୁ ପଡ଼ିବ ।

 

ବାହାର ଆଡ଼କୁ ଅନାଇ ବସିଥିଲେ ଜଜ୍‍ସାହେବ । ଚଷମାଟି ହାତରେ ଧରିଥିଲେ । ଡାକ୍ତରଙ୍କ କଥା ଶୁଣି ବାହାର ଆଡ଼କୁ ଅନାଇ କହିଲେ–

ଅଦାଲତର ଅଭିଜ୍ଞତା ମୋର ଅଛି; କିନ୍ତୁ ଅବହାୱା ଅଫିସ୍‍ର କଥା ମୋତେ ଜଣା ନାହିଁ-। ଆକାଶର ଅବସ୍ଥା ଦେଖି ମନେହେଉନାହିଁ ଯେ ଆଗାମୀ ଚବିଶ ଘଣ୍ଟା ଭିତରେ ଝଡ଼ ବୃଷ୍ଟି ବନ୍ଦ ହେବ । ତା ଅର୍ଥ ହେଲା, ଏହି ସମୟ ମଧ୍ୟରେ ଏହି ବରିକୁଦ ଦ୍ଵୀପକୁ ବୋଟ୍ ଆସିବ ନାହିଁ ।

ଡାକ୍ତର ବିରକ୍ତ ହୋଇ କହିଲେ–ଏ ଭିତରେ ଆମେ ଯେ ଶେଷ ହୋଇଯିବା ।

ଦୃଢ଼ କଣ୍ଠରେ ଜଜ୍ କହିଲେ–ନା, ମୁଁ ସବୁ ସତର୍କତା ଅବଲମ୍ବନ କରିବି ।

ଡାକ୍ତରଙ୍କର ମନେହେଲା ବୃଦ୍ଧ ବିଚାରପତିଙ୍କର ବଞ୍ଚିବାର ଆଗ୍ରହ ଯେକୌଣସି ଯୁବକଠାରୁ ବେଶି । ନିଜେ ଡାକ୍ତର ଜଜ୍‍ଙ୍କଠାରୁ ପ୍ରାୟ କୋଡ଼ିଏ ବର୍ଷ ଛୋଟ ହେବେ । ସେ ଜୀବନକୁ ଆଙ୍କୁଡ଼ି ଧରି ରହିବାର କଥା ଭାବିପାରୁନାହାନ୍ତି ।

ଡାକ୍ତର ପଚାରିଲେ–ମିଷ୍ଟର ମହାଜନ, ଏହିସବୁ ପାଇଁ କିଏ ଦାୟୀ, ଆପଣ କ’ଣ ଅନୁମାନ କରିପାରୁଛନ୍ତି ?

ବିଚାରପତି ସତର୍କତାରେ ଉତ୍ତର ଦେଲେ–କେଉଁ ବ୍ୟକ୍ତିର ବିରୁଦ୍ଧରେ ଅଭିଯୋଗ ପ୍ରମାଣ କରିବା ପାଇଁ ଅଦାଲତରେ ଯେଉଁ ଧରଣର ସାକ୍ଷୀ ପ୍ରମାଣ ପ୍ରୟୋଜନ ତାହା ମୁଁ ସଂଗ୍ରହ କରିପାରିନି । ସମଗ୍ର ପରିସ୍ଥିତିକୁ ଆଲୋଚନା କରି ମୁଁ ଏକ ନିଶ୍ଚିତ ସିଦ୍ଧାନ୍ତରେ ଉପନୀତ ହୋଇଛି ଯେକୌଣସି ବ୍ୟକ୍ତିବିଶେଷ ଏଥିପାଇଁ ଦାୟୀ ।

ଡାକ୍ତର ବିସ୍ମିତ ହୋଇ କହିଲେ–ମୁଁ କିନ୍ତୁ କିଛି ବୁଝିବାରେ ଅସମର୍ଥ ।

ଶ୍ରୀମତୀ ବିନୋଦିନୀ ଶ୍ରୀମଦ୍ ଭଗବଦ୍‍ଗୀତା ଖଣ୍ଡିକ ଆଗରେ ରଖିଛନ୍ତି; କିନ୍ତୁ ପଢ଼ୁନାହାନ୍ତି ସେ । ସେ ଧୀରେ ତାଙ୍କର ଡାଏରୀଟି ବାହାର କଲେ । ତା’ପରେ ଲେଖିଲେ–

 

ଏକ ଭୟାବହ କାଣ୍ଡ ଘଟିଛି । ମଥୁରାନନ୍ଦଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ହତ୍ୟା କରାହୋଇଛି । ଜଜ୍ ମହାଜନ ଆଜି ଖାଇବା ପରେ ଭଲ ଭାଷଣଟିଏ ଦେଲେ । ତାଙ୍କର ବିଶ୍ୱାସ ଯେ ହତ୍ୟାକାରୀ ଆମ ଭିତରେ ଅଛି, ଅର୍ଥାତ୍ କାହା ଉପରେ ପାପର ଭାର ପଡ଼ିଛି । ମୁଁ ଏହା ପୂର୍ବେ ଅନୁମାନ କରିଛି ।

 

ତା’ପରେ ସେ ଶୋଇପଡ଼ିଲେ । ଟିକିଏ ତନ୍ଦ୍ରାଳୁ ଭାବ କଟିଗଲା ପରେ ଲେଖିଲେ–

 

ସମସ୍ତେ ପରସ୍ପର ସହିତ ଆଲୋଚନା କରୁଛନ୍ତି ଯେ ହତ୍ୟାକାରୀ କିଏ ହୋଇପାରେ ? ଏ ପ୍ରଶ୍ନର ସଠିକ ଉତ୍ତର କେହି ଦେବାକୁ ଅସମର୍ଥ । ମୁଁ କିନ୍ତୁ ଜାଣିଛି–ଶେଫାଳୀ...ହଁ, ଶେଫାଳୀ ଦାସ ।

 

ଲେଖି ହଠାତ୍ ତାଙ୍କର ନିଦ ଭାଙ୍ଗିଗଲା । ସେ କହିଉଠିଲେ–ଏଁ, ମୁଁ କ’ଣ ଲେଖୁଛି ! ପାଗଳ ହୋଇଗଲିଣି ନା କ’ଣ ! ତା’ପରେ ଶେଫାଳୀ ଦାସ ନାଁଟି ଥରକୁଥର କାଟିଦେବାକୁ ଲାଗିଲେ ।

 

ଝଡ଼ କ୍ରମେ ବଢ଼ିଚାଲିଛି । ପବନର ଗର୍ଜନ, ଉତ୍ତଳ ସମୁଦ୍ରର ତରଙ୍ଗର କି ବିକଟାଳ ରୂପ !

 

ସମସ୍ତେ ଡ୍ରଇଂ ରୁମରେ ଆସୀନ । ମନେମନେ କେହି କାହାକୁ ଭଲ ଆଖିରେ ଦେଖୁନାହାନ୍ତି । ଝରକାର କାଚଗୁଡ଼ିକ ବନ୍ଦ ରହିଛି । କାଚ ଭିତରେ ବାହାରର ଦୃଶ୍ୟ କି ଭୟଙ୍କର ! ଘର ଭିତରେ ଅବଚ୍ଛାୟା । ମେଘୁଆ ପାଗର ଅନ୍ଧକାର ।

 

ଚା’ ଧରି ପଶିଆସିଲା ରଘୁନାଥ । ଘରର ଆଲୋକ ଜାଳିଦେଲା ସେ । ଘରଟି ଉଜ୍ଜ୍ଵଳ ହେଲା; କିନ୍ତୁ ବାହାରଟି ଅନ୍ଧକାର ।

 

ବର୍ଷା ବିନୋଦିନୀଙ୍କୁ ପଚାରିଲା–ଚା’ କ’ଣ ଆପଣ କରିବେ ?

 

–ନା, ତମେ କର । ମୁଁ ତ ଗୋଟାଏ ବୁଢ଼ୀ । ମନଟା ବି ଭଲ ନାହିଁ ।

 

–କ’ଣ ଆଉ ଘଟିଲା କି ?

 

–ସେପରି କିଛି ନୁହଁ । ସ୍କାର୍ଫଟି ଶେଷ ହେଇପାରିଲା ନାହିଁ । ଉଲ୍‍ର ଦୁଇଟା ବଲ୍ ଖୋଜି ପାଉନି ।

 

–କୁଆଡ଼େ ଉଡ଼ିଯାଇଥିବ I ଏ ଯେଉଁ ଝଡ଼, ପରେ ହୁଏତ ପାଇବେ ।

 

ବର୍ଷା ଚା’ ସମସ୍ତଙ୍କୁ ଦେଲା ।

 

ରଘୁନାଥ କହିଲା–ଉପରର ଗୋଟାଏ ପରଦା କିଏ ଖୋଲିନେଇଛି ।

 

ଫଟିକ୍ କହିଲା–କେଉଁ ଘରର ?

 

–ଗାଧୋଇବା ଘରର I

 

–କିପ୍ରକାର ପରଦା ?

 

–ଲାଲ ସିଲ୍‍କର ।

 

–ପରଦାରେ ଖୁନ୍ କରିବା ଅସମ୍ଭବ, ତେଣୁ ସେ ବିଷୟ ତମେ ଚିନ୍ତା କରନା ।

 

–ତା’ ଠିକ୍, ସାର୍‍ !

 

ରଘୁନାଥ ଚାଲିଗଲା । ସମସ୍ତଙ୍କ ମନରେ ପୁଣି ସନ୍ଦେହର ଛାୟା ଘନୀଭୂତ ହେଲା ।

 

ରାତି ଖାଇବା ଶେଷ ହେଲା । ସମସ୍ତେ ଉଠିଯିବେ ଶୋଇବାକୁ । ମାଧବ ଠିଆହେଲା । ଧୀରେ ଧୀରେ ଫଟୋ ଷ୍ଟାଣ୍ଡ ପାଖରୁ ବାହାରକଲା ତାସ୍‍ମୁଠାକ ।

 

ସମସ୍ତେ ଉଦ୍‍ଗ୍ରୀବ ହେଲେ ।

 

–ତେବେ ଆମେ ସାତ ଜଣ ?

 

ମାଧବ ଫେଣ୍ଟିଦେଇ ସାତଜଣଙ୍କ ଭିତରେ ବାଣ୍ଟିଦେଲା । ତା’ପରେ ସମସ୍ତେ ଯେଝା ତାସ୍‍ ଦେଖିଲେ । କ୍ରମେ ସମସ୍ତେ ସୁସ୍ଥ ହୋଇଉଠିଲେ । କେହି କାହାକୁ କିଛି କହିଲେ ନାହିଁ । ରହୁନାଥର ତାସ୍‍ ଟେବୁଲ୍ କଣରେ ପଡ଼ିରହିଲା ।

 

ରଘୁନାଥ ଜିନିଷପତ୍ର ସଜାଡ଼ି ଆଲୋକ ଲିଭାଇଦେଲା । ଚାବି ଲଗାଇଲା । ନିଜ ଘର ପରୀକ୍ଷା କଲା । ତା’ପରେ ସେ ହଠାତ୍ ଦେଖିଲା ବିଛଣା ଉପରେ ଇସ୍‍କା ପାନ ବିବିର କାର୍ଡ଼ !!

 

ମାଧବ ସବୁଦିନ ଡେରିରେ ଉଠେ ଏବଂ ବିଛଣାରେ ଚେଇଁ ଶୋଇବାର ଅଭ୍ୟାସ ତା’ର ପୁରାତନ । ସେ ଝରକାରେ ଦେଖିଲା ଯେ ବର୍ଷା ଥମିଛି ଏବଂ ପବନର ବେଗ କମିଛି । ସେ ପୁଣି ତକିଆରେ ମୁହଁ ଗୁଞ୍ଜି ଶୋଇପଡ଼ିଲା । ପୁଣି ଝଡ଼ ଉଠିଲା

 

ମାଧବ ଘଡ଼ିକୁ ଅନାଇ ଦେଖେ ସାଢ଼େ ନଅଟା । ସେ ଉଠି ଠିଆହେଲା । କବାଟ ଖୋଲିଲା ।

 

ହଠାତ୍ ଘର ଫେଟୋ ଷ୍ଟାଣ୍ଡ ପାଖରେ ସେଇ କଥାଟା ପୁଣି ପଢ଼ିଲା–ଇସ୍‍କା ପାନ ବିବି, ଆମେସବୁ ଛଅଜଣ ମେମ୍‍ସାହେବ ବିବି । ଦି’ଥର ଆଖି ରଗଡ଼ିଲା ମାଧବ । ସାତଟା ପୁଣି ଛଅ ହେଲା କିପରି ! କ’ଣ ଭୌତିକ କାଣ୍ଡ ! ଘରେ ଶୋଇଥିଲା ସେ । ଏପରି କିଏ ବଦଳାଇଯିବ, ସେ ଜାଣିପାରିଲାନି କିପରି ? ସେ ଚଞ୍ଚଳ ହେଲା । ଜାଣିବାକୁ ଇଚ୍ଛା ହେଲା କ’ଣ ଘଟଣା ଘଟିଲା କି ?

 

ସେ ଫଟିକ୍ ଘର ସାମ୍ନାରେ ଆଘାତ କରି କହିଲା–କିହୋ, ବହୁତ ସମୟ ଶୋଇଲ ଯେ-!

 

ଫଟିକ୍ କବାଟ ପିଟାଇ କହିଲା–ଘଟଣା କଣ ?

 

ମାଧବ କହିଲା–କେତୁଟା ବାଜିଛି ଦେଖିଲଣି ! ଫଟିକ୍ ଦେଖିଲା ଦଶଟା ବାଜିବାକୁ ପଚିଶ ମିନିଟ୍ ବାକି ।

 

ମାଧବ ପୁଣି ପଚାରିଲା–ରଘୁନାଥ ଚା’ ଆଣି ଦେଇଛି ?

 

–ନା ତ, ଗଲା କୁଆଡ଼େ ?

 

–କାହିଁ ସେ ?

 

–କ’ଣ କହୁଛ ତମେ ?

 

–ରଘୁନାଥ ନାହିଁ ।

 

–ଦ୍ଵୀପଟା ଛାଡ଼ି ପଳାଇଗଲା ନା କ’ଣ ? ଆଚ୍ଛା ଭାଇ ମାଧବ, ତମେ ଅନ୍ୟମାନଙ୍କୁ ଖବର ଦିଅ । ମୁଁ ଏଇ ପ୍ରସ୍ତୁତ ହୋଇ ବାହାରୁଛି । କହିଲା ଫଟିକ୍ ।

 

ଡାକ୍ତର ପ୍ରାତରାଶ ପାଇଁ ପ୍ରସ୍ତୁତ ହେଉଥିଲେ ।

 

ଜଜ୍ ବୁଢ଼ା ମହାଜନ ନିଦରେ ଶୋଇଥିଲେ । ଡାକରେ ଉଠିଲେ । ବର୍ଷା ପ୍ରସ୍ତୁତ ହେଲା-। ବିନୋଦିନୀଙ୍କ ଘର ଖାଲି ।

 

ଟିକିଏ ପରେ । ମହାଜନଙ୍କ ଛଡ଼ା ଅନ୍ୟ ସମସ୍ତେ ରଘୁନାଥକୁ ଖୋଜିବାକୁ ଲାଗିଲେ । ରଘୁନାଥର ଘରଟି ଦେଖାଗଲା । ବିଛଣାଟି ଇତସ୍ତତଃ ହୋଇ ପଡ଼ିଛି । କୋଣରେ ଦାଢ଼ି ଖିଅର ପାଇଁ ଜିନିଷ ରହିଛି । ବ୍ରସ୍‍ଟା ଭିଜା । ରଘୁନାଥ ଏହିଘରେ ରାତିରେ ଶୋଇଥିଲା । ନିଦରୁ ଉଠି ଦାଢ଼ି କାଟି ତଳକୁ ଚାଲିଯାଇଛି ।

 

ସମସ୍ତେ ବାହାର ବାରଣ୍ଡାକୁ ଗଲେ । ଦେଖାଗଲା ଯେ ଶ୍ରୀମତୀ ବିନୋଦିନୀ ବାହାରୁ ବୁଲି ଫେରୁଛନ୍ତି ।

 

–ସମୁଦ୍ରର ଅବସ୍ଥା ବଡ଼ ଖରାପ । ଆଜି ଆଉ ବୋଟ୍ ଆଣିବାର ସମ୍ଭାବନା ନାହିଁ ।

 

ଫଟିକ୍ କହିଉଠିଲା–ଆପଣ ଏ ଝଡ଼ରେ ବାହାରକୁ ବାହାରି ଯାଇପାରିଲେ କିପରି ?

 

–ମୁଁ ବେଶ୍ ହୁସିଆର ।

 

ମାଧବ କହିଉଠିଲା–ଆଚ୍ଛା, ରଘୁନାଥକୁ ଦେଖିଛନ୍ତି ?

 

–ନା, ସକାଳୁ ମୁଁ ତାକୁ ଦେଖିନାହିଁ ।

 

ଉପରୁ ଓହ୍ଲାଇ ଆସିଲେ ବିଚାରପତି ମହାଜନ । ବେଶ୍ ଫିଟ୍‍ଫାଟ୍ । ସେ ଖାଇବା ଘର ଭିତରେ ପାଦ ଦେଇ କହିଲେ–ରଘୁନାଥ ତ ବ୍ରେକଫାଷ୍ଟ ପାଇଁ ସୁନ୍ଦର ଟେବୁଲ୍‍ ସଜାଇଛି ।

 

ସମସ୍ତେ ଦେଖିଲେ, ସତ ତ ! ସୁନ୍ଦର ସଜା ହୋଇଛି ।

 

ବର୍ଷା ହଠାତ୍ ଚମକିଉଠିଲା । ସେ ଜଜ୍‍ଙ୍କର ଗୋଟାଏ ହାତ ଧରି ଆର୍ତ୍ତକଣ୍ଠରେ କହିଉଠିଲା–ପଢ଼ନ୍ତୁ, ପଢ଼ନ୍ତୁ, ଇସ୍‍କା ପାନ ବିବି, ଆମେ ଛଅଜଣ ମେମ୍‍ସାହେବ ବିବି ।

 

ସମସ୍ତେ ନିର୍ନିମେଷ ନୟନରେ ଅନାଇ ରହିଲେ ।

 

ରଘୁନାଥର ସନ୍ଧାନ ମିଳିଲା । ସେ ମରିପଡ଼ିଛି । ରୋଷେଇଘର ପଛରେ ଯେଉଁଠି ବାସନମଜା ଲୁଗାପଟା କାଚିବାର ସ୍ଥାନ ସେଠାରେ ନିଆଁ ଲଗାଇବା ପାଇଁ କାଠ କାଟିବାକୁ ଯାଇଥିଲା ରଘୁନାଥ । ପାଖରେ ପଡ଼ିଛି ଟୁକୁରା ଟୁକୁରା କାଠ । ଆଗରେ ବଡ଼ ଗଣ୍ଠିକାଠ । ହାତରେ ଗୋଟିଏ କୁରାଢ଼ି । ତା’ଠାରୁ କେଇ ହାତ ଦୂରରେ କାନ୍ଥ ଦିହରେ ନିରୀହ ଭାବରେ ଡେରାଇ ଦିଆଯାଇଛି ଏକ ବୃହତ୍ କୁରାଢ଼ି ।

 

ରଘୁନାଥର ବେକରେ ଗଭୀର କ୍ଷତ । ଚାରିଆଡ଼େ ରକ୍ତ, ରକ୍ତ, ରକ୍ତ ।

 

କୌଣସିପ୍ରକାରେ ଖାଇବା ସରିଲା । ବିନୋଦିନୀ ଓ ବର୍ଷା ଦି’ଜଣ ମିଶି ଖାଇବାର ବନ୍ଦୋବସ୍ତ କଲେ । ଟିଣଖାଦ୍ୟ ପ୍ରଚୁର ଥିଲା; ତେଣୁ କିଛି ଅସୁବିଧା ହେଲା ନାହିଁ ।

 

ଖାଇବା ପରେ ବର୍ଷା ପରିଷ୍କାର କରିବାର ଭାର ନେଇଛି ।

 

ମାଧବ କହିଲା–ବର୍ଷା ଦେବୀ, ମୁଁ ଆପଣଙ୍କୁ ସାହାଯ୍ୟ କରିବାରେ ଆପଣଙ୍କର ଆପତ୍ତି ଅଛି କି ?

 

–ନା, ନା ।

 

ବିନୋଦିନୀ ଉଠି ଶୁଣି ବସିପଡ଼ିଲେ । ମନେହେଲା ସେ ଯେପରି ଯନ୍ତ୍ରଣା ଅନୁଭବ କରୁଛନ୍ତି ।

 

ଜଜ୍ ମହାଜନ ପଚାରିଲେ–ଆପଣଙ୍କର କ’ଣ ହେଲା ?

 

–ନା, କିଛି ନୁହେଁ, ବ୍ୟସ୍ତ ହେବେ ନାହିଁ । ଭାବୁଥିଲି, ବର୍ଷା ଝିଅଟି ଏକା ସବୁ କରିବ ! ମୁଁ ଟିକିଏ ସାହାଯ୍ୟ କରିବି । ମୁଣ୍ଡଟା ହଠାତ୍ ଯେପରି ଘୂରିଲା, ତେଣୁ ବସି ପଡ଼ିଲି ।

 

ଡାକ୍ତର କହିଲେ–ବେଶ୍ କରିଛନ୍ତି । ଆପଣ ବର୍ତ୍ତମାନ ଟିକିଏ ବିଶ୍ରାମ କରନ୍ତୁ । ମୁଁ ଆପଣଙ୍କୁ ଔଷଧ ଦେଉଛି ।

 

–ନା, ନା, ଆପଣଙ୍କର ଔଷଧ ମୋତେ ଦିଅନ୍ତୁ ନାହିଁ । କହିଲେ ବିନୋଦିନୀ ।

 

ଲାଜରେ ଡାକ୍ତରଙ୍କ ମୁହଁଟି ରଙ୍ଗା ପଡ଼ିଗଲା । ବିନୋଦିନୀ ତାଙ୍କୁ ସନ୍ଦେହ କରିଛନ୍ତି । ଅନ୍ୟ ସମସ୍ତେ ନୀରବରେ ଠିଆ ହୋଇଛନ୍ତି । ଘର ଭିତରେ ଅସ୍ଵାଭାବିକ ଅସ୍ଥିରତା ।

 

ତା’ପରେ ବିନୋଦିନୀ କହିଲେ–ମୋତେ କ୍ଷମା କରନ୍ତୁ, ଡାକ୍ତର, ମୁଁ ଆପଣଙ୍କୁ ଅସମ୍ମାନ କରିବାକୁ ଚାହେନା । ମୁଁ ଭାବୁଛି, କିଛି ସମୟ ଚୁପ୍‍କରି ବସିଲେ ମଥାବୁଲାଟି ଆପେ ଭଲ ହୋଇଯିବ ।

 

ଡାକ୍ତର କହିଲେ–ଯାହା ଭଲ ସେଇୟା କରନ୍ତୁ ।

 

ଜଜ୍ କହିଲେ–ମୋର ମନେହୁଏ ପୁଣି ଆଉ ଥରେ କଥାଟି ଆଲୋଚନା କରିବା ଉଚିତ-। ତେଣୁ ଚାଲନ୍ତୁ ଡ୍ରଇଂ ରୁମ୍‍କୁ ଯିବା ।

 

ସମସ୍ତେ ଚାଲିଗଲେ । ରହିଗଲେ କେବଳ ବିନୋଦିନୀ ।

 

ମୁଣ୍ଡ ବୁଲାଇବାଟି ଧୀରେ କମିଯାଉଛି ବିନୋଦିନୀଙ୍କର । ଆରାମ ଲାଗୁଛି । ସ୍ୱସ୍ତିର ନିଃଶ୍ୱାସ ମାରିଲେ ବିନୋଦିନୀ; କିନ୍ତୁ ଏତେ ନିଦ ଲାଗୁଛି କାହିଁକି ? କ’ଣ, ଦୁର୍ବଳତା ପାଇଁ ଏପରି ଲାଗୁଛି ?

 

କିଏ ଯେପରି ଏଇ ତ ଘରେ ପଶିଲା । ମୁହଁ ବୁଲାଇ ଦେଖିବାକୁ ଚେଷ୍ଟା କଲେ ବିନୋଦିନୀ । ନା, ପାରିଲେ ନାହିଁ । ଇସ୍, ଏ ତ ସେଇ ଚେହେରା ଶେ-ଫା-ଳୀ । ଶେଫାଳୀ ଦାସ...ହା ଭଗବାନ୍ !

 

କି ଶବ୍ଦ ଏ ? ଏ ତ ଗୁଞ୍ଜନ ! କି ଗୁଞ୍ଜନ ? ବିନୋଦିନୀ ଅନୁଭବ କଲେ–ନା, କିଛି ନୁହେଁ ତ । ଶେଫାଳୀ ଦାସ...ପୁଣି ଶେଫାଳୀ ଦାସ ।

 

ଇସ୍ କ’ଣଟାଏ ଯେପରି କିଏ ଫୋଡ଼ିଦେଲା । ଫଟୋ ଷ୍ଟାଣ୍ଡରୁ ହସିଉଠିଲା ଇସ୍‍କା ପାନ ବିବି ।

 

ଏଣେ ଡ୍ରଇଂ ରୁମରେ ସମସ୍ତେ ଅପେକ୍ଷା କରିବାକୁ ଲାଗିଲେ ବିନୋଦିନୀଙ୍କ ପାଇଁ ।

 

ବର୍ଷା କହିଲା–ମୁଁ ତାଙ୍କୁ ଡାକିଆଣୁଛି ।

 

ଫଟିକ୍ କହିଲା–ମୋର ମନେହୁଏ ହତ୍ୟାକାଣ୍ଡ ପାଇଁ ବିନୋଦିନୀ ଦାୟୀ । ମୁଁ ନିଃସନ୍ଦେହରେ କହିପାରେଁ ଯେ ଏହା ମୂଳରେ ଅଛନ୍ତି ବିନୋଦିନୀ ।

 

ଡାକ୍ତର କହିଲେ–କିନ୍ତୁ କାହିଁକି ?

 

–ଧର୍ମ ଉନ୍ମାଦନା ।

 

–ହୋଇପାରେ । ପ୍ରମାଣ ?

 

–ଗ୍ରାମୋଫୋନ୍ ରେକର୍ଡ଼ରେ ଯେଉଁ ଅଭିଯୋଗ ଦିଆ ହୋଇଥିଲା ଆମେ ସମସ୍ତେ ତା’ର ଉତ୍ତରଦେଇଛୁଁ, କିନ୍ତୁ ବିନୋଦିନୀ କିଛି କହିନାହାନ୍ତି ।

 

ବର୍ଷା କହିଲା–ଏକଥା ସତ ନୁହେଁ । ପରେ ସେ ମୋତେ ସବୁକଥା କହିଛନ୍ତି । ତା’ପରେ ସେ ସବୁକଥା କହିଦେଲା ।

 

ବିଚାରପତି ମହାଜନ କହିଲେ–

 

ଏକଥା ଶୁଣିବା ପରେ ମୋର ସନ୍ଦେହ ହୁଏନା ସେ ବିନୋଦିନୀ ଦାୟୀ । ଆଚ୍ଛା ବର୍ଷା, ଶେଫାଳୀର ମୃତ୍ୟୁରେ ବିନୋଦିନୀ ଦୁଃଖିତ, ଅନୁତପ୍ତ ?

 

–ନା, ମୋଟେ ନୁହଁ ।

 

ଫଟିକ୍ କହିଲା–ଚିରକୁମାରୀ ବିନୋଦିନୀଙ୍କର ହୃଦୟ ବୋଲି କିଛି ଅଛି ମନେହୁଅନା ।

 

ବିଚାରପତି କହିଲେ–ଏଇ ତ ଏଗାରଟା ବାଜିଲାଣି । ଶ୍ରୀମତୀ ବିନୋଦିନୀଙ୍କର ଆସିବା ଉଚିତ ।

 

ମାଧବ ଏଥର ଠିଆହେଲା । ସବୁଥର ଭଳି ଫୋଟ ଷ୍ଟାଣ୍ଡ ପାଖରୁ ତାସ୍‍ ମୁଠାକ ନେଇଆସି ଫେଣ୍ଟିବାକୁ ଲାଗିଲା । ତା’ପରେ ବାଣ୍ଟିଦେଲା

 

ସମସ୍ତେ ସନ୍ଦେହ ନୟନରେ ସତର୍କତାରେ ନିଜ ତାସ୍ ଆଖି ଆଗରେ ଖୋଲିଲେ । କାହାର ଯବନିକା ପୁଣି ଆସିଗଲା ? ନା, ସମସ୍ତଙ୍କ ଆଖିରେ ଆନନ୍ଦ ଆଶ୍ୱାସ ଶାନ୍ତି ଫେରିଆସିଲା-। ଟେବୁଲ୍‍ କୋଣରେ ବର୍ଷାକଡ଼ରେ ପଡ଼ିରହିଲା ବିନୋଦିନୀଙ୍କର ତାସ୍ ।

 

ବିଚାରପତି ଆରମ୍ଭ କଲେ–ବିନୋଦିନୀଙ୍କ ଉପରେ ନଜର ଦେବାକୁ ଡାକ୍ତରକୁ କହିବି । ଏବେ ଆମେ ସମସ୍ତେ ଚାଲନ୍ତୁ ତାଙ୍କ ପାଖକୁ । ବର୍ଷା ବସିରହିଲା ।

 

ଖାଇବା ଘରେ ପଶି ଦେଖାଗଲା ଯେ ଶ୍ରୀମତୀ ବିନୋଦିନୀ ବସିଛନ୍ତି । ଅନ୍ୟମାନଙ୍କର ପାଦଶବ୍ଦ କ’ଣ ଶୁଣୁନାହାନ୍ତି ? ବୋଧହୁଏ କ’ଣ ଶୋଇଛନ୍ତି ?

 

ଆଗେଇଗଲା ଫଟିକ୍ । ଠିଆହେଲା ବିନୋଦିନୀଙ୍କ ଆଗରେ ।

 

ବିନୋଦିନୀଙ୍କ ମୁହଁରୁ ରକ୍ତ ଛୁଟିଛି ଧାରଧାର । ନୀଳ ହୋଇଉଠିଛି ଓଠ । ବିହ୍ଵଳିତ ଖୋଲା ଆଖିରେ ସେ ଅନାଇ ରହିଛନ୍ତି । ପ୍ରାଣହୀନ ଅସାଡ଼ ଦେହ ।

 

ବର୍ଷା ବିନୋଦିନୀଙ୍କ ତାସ୍ ଭିତରୁ ବାହାର କଲା ଇସ୍‍କା ପାନ ବିବି ଓ ତା’ ଆଖି ଆଗରେ ଲେଖାଟି ବଦଳିଯାଇଛି–ଇସ୍‍କା ପାନ ବିବି, ଆମେ ପାଞ୍ଚଜଣ ରହିଲୁଁ ମେମ୍‍ସାହେବ ବିବି-। ସେ ଜୋରରେ ଚିତ୍କାର କରିବାକୁ ଯାଇ ବୋକାଭଳି ବସିରହିଲା ।

 

ନମ୍ର କଣ୍ଠରେ କହିଲେ ଜଜ୍–ଆମର ସବୁ ସନ୍ଦେହରୁ ମୁକ୍ତି ଲାଭ କରିଛନ୍ତି ବିନୋଦିନୀ ।

 

ବର୍ଷା କହିଲା–ତାଙ୍କ ପାଖରେ ଏ ଦାଗଟି କ’ଣ ?

 

ଡାକ୍ତର କହିଲେ–ମଣିଷର କାମ । ହାଇପୋଡାରମିକ୍ ସିରିଂଜର ଚିହ୍ନ ।

 

ବିଚାରପତି କହିଲେ–ଆପଣ କ’ଣ କହନ୍ତି ଯେ ଇଂଜେକ୍‍ସନରେ ବିଷ ଦିଆହୋଇଛି ?

 

–ହଁ, କୌଣସି ପ୍ରକାରର ସାୟନାଏଡ୍‍ । ସମ୍ଭବତଃ ପଟାସିଅମ୍ ସାୟନାଏଡ୍‍ । ଶ୍ଵାସରୋଧରେ ମୃତ୍ୟୁ ।

 

ଗମ୍ଭୀର କଣ୍ଠରେ ଜଜ୍‍ କହିଲେ–ଆସିବାବେଳେ କେହି ହାଇପୋଡାରମିକ୍ ସିରିଂଜ ଆଣିଥିଲେ ?

 

ଡାକ୍ତର କହିଲେ–ମୁଁ ଆଣିଥିଲି ।

 

ଚାରିଯୋଡ଼ା ଆଖି ତାଙ୍କ ଉପରେ ପଡ଼ିଲା । ସେ ଦୃଷ୍ଟିର ଅର୍ଥ ଡାକ୍ତର ବୁଝିପାରିଲେ । ସେ କହିଲେ–

 

ଏଥିରେ ଅସ୍ଵାଭାବିକତା ବୋଲି କିଛି ନାହିଁ । ସବୁ ଡାକ୍ତରଙ୍କ ହାତବେଗରେ ହାଇପୋଡାରମିକ୍ ସିରିଂଜ ଥାଏ ।

 

ଜଜ୍ କହିଲେ–ଏବେ କହନ୍ତୁ ସିରିଂଜଟା କେଉଁଠି ଅଛି ?

 

–ମୋ ହାତବେଗରେ । ବେଗ୍‍ଟା ମୋ ଘର ସୁଟକେସରେ ଅଛି ।

 

–କ’ଣ ଆପଣଙ୍କ କଥାର ସତ୍ୟତା ଦେଖାଯାଇପାରେ ?

 

–ନିଶ୍ଚୟ ।

 

–ଚାଲନ୍ତୁ ।

 

ସମସ୍ତେ ଦୋତାଲାକୁ ଉଠିଲେ । ସୁଟକେସ୍‍ଟି ତନ୍ନତନ୍ନ କରି ଖୋଜାଗଲା । ନା, କୌଣସି ସିରିଂଜ୍ ନାହିଁ ।

 

ତୀବ୍ର କଣ୍ଠରେ ଡାକ୍ତର କହିଲେ–ନିଶ୍ଚୟ କେହି ଚୋରି କରିଛି ।

 

ସବୁ ଚୁପ୍‍ଚାପ୍‍ ।

 

ଡାକ୍ତର କହିଲେ–ନିଶ୍ଚୟ କେହି ଚୋରି କରିଛି !

 

ଜଜ୍ କହିଲେ–ଏ ଘରଭିତରେ ଆମେ ପାଞ୍ଚ ଜଣ ଅଛୁଁ । ଏ ଭିତରେ ଅଛନ୍ତି ଜଣେ ହତ୍ୟାକାରୀ । ପରିସ୍ଥିତିଟି ଖୁବ୍ ବିପଦସଂକୁଳ । ଚାରିଜଣଙ୍କର ନିରାପତ୍ତାର ପ୍ରୟୋଜନ । ଡାକ୍ତର, ଆପଣଙ୍କ ନିକଟରେ ଔଷଧ ବାକ୍ସ ଅଛି ।

 

–ହଁ, ଏଇ ତ ।

 

–ମୋ ନିକଟରେ କିଛି ନିଦ ଟାବଲେଟ୍ ଅଛି । ଜିନିଷଗୁଡ଼ିକ ନିରାପଦ । ବୁଢ଼ା ମଣିଷ । ନିଦ ନ ହେଲେ ଖାଏଁ । ଟାବଲେଟ୍ ବେଶି ଖାଇଲେ ବିପଦ ଘଟେ । ମାଧବ, ତମ ପାଖରେ ଗୋଟାଏ ରିଭଲଭର୍‍ ଅଛି ନା ?

 

–ହଁ, ଅଛି ।

 

–ଡାକ୍ତରଙ୍କ ଔଷଧ ବାକ୍ସ, ମୋର ଟାବଲେଟ୍, ମାଧବ ତମର ରିଭଲଭର୍‍, ସବୁଗୁଡ଼ିକ ଗୋଟାଏ ନିରାପଦ ଜାଗାରେ ରଖିଦେବାକୁ ପଡ଼ିବ । ଆଉ ଯଦି କିଛି କାହାପାଖରେ ଥାଏ ସେସବୁ ମଧ୍ୟ ରଖିବାକୁ ପଡ଼ିବ । ତା’ପରେ ସମସ୍ତଙ୍କୁ ତଲାସ କରାଯିବ ।

 

ମାଧବ କହିଲା–ରିଭଲଭର୍‍ଟି ହାତଛଡ଼ା କରିବା ଅସମ୍ଭବ ।

 

ବିଚାରପତି ଗମ୍ଭୀର କଣ୍ଠରେ କହିଲେ–ତମେ ଯୁବକ, ତମର ଶକ୍ତି ଅଛି । ଫଟିକ୍ ଦେହରେ ମଧ୍ୟ ତମଠାରୁ ବେଶି ବଳ । ଫଟିକ୍‍କୁ ଆମେ ସମସ୍ତେ ସାହାଯ୍ୟ କରିବା । ତେଣୁ ବୁଝିପାରୁଥିବ ବ୍ୟାପାରଟି ।

 

ମାଧବ କହିଲା–କ’ଣ କରିବାକୁ କହୁଛନ୍ତି ?

 

–ରିଭଲଭର୍‍ଟା କେଉଁଠି ?

 

–ମୋ ଖଟପାଖରେ ଟେବୁଲ୍‍ ଡ୍ରୟାରରେ ଅଛି ।

 

–ମୁଁ ଯାଇ ନେଇଆସୁଛି ।

 

–ନା, ତମେ ଏକା ନୁହଁ; ଆମେ ଯିବା ତମ ସାଙ୍ଗରେ ।

 

ସମସ୍ତେ ମିଳିମିଶି ମାଧବ ଘରକୁ ଗଲେ । ମାଧବ ଡ୍ରାୟାରଟି ଖୋଲିଦେଲା ।

 

ନା, ଡ୍ରାୟାରରେ ରିଭଲଭର୍‍ଟି ନାହିଁ !

 

ମାଧବ କହିଲା–ଏ ତ ଅସମ୍ଭବ ବ୍ୟାପାର !

 

ବିଚାରପତି ଆଦେଶ କଲେ–ବର୍ଷା, ତମେ ଟିକିଏ ବହାରେ ରୁହତ ।

 

ମାଧବର ଦେହଟି ସର୍ଚ୍ଚ କରି ଦେଖାଗଲା । ତା’ପରେ ଜଣକ ପରେ ଜଣକୁ ତଲାସ କରାଗଲା–ବିଚାରପତି, ଡାକ୍ତର ଓ ଫଟିକ୍ । ତଲାସ ପରେ ସମସ୍ତେ ପୋଷାକ ପିନ୍ଧିପକାଇଲେ ।

 

ତା’ପରେ ଜଜ୍‍ସାହେବ ବର୍ଷାକୁ ଡାକିଲେ–ବର୍ଷା, ଆଶାକରେ ତମେ କିଛି ମନେକରିବ ନାହିଁ । ଅନ୍ୟ ସମୟ ହେଲେ ଏପରି କଥା କୌଣସି ମହିଳାକୁ କହି ନ ଥାନ୍ତି । ଆଜି ମୁଁ ନିରୁପାୟ । ତମର ସୁଇମିଂ ପୋଷାକ ଅଛି ?

 

–ଅଛି ।

 

ତା’ ହେଲେ ତମ ଘରକୁ ଯାଇ ଏହି ପୋଷାକ ବଦଲାଇ ସୁଇମିଂ ପୋଷାକ ପିନ୍ଧିଆସ ।

 

ବର୍ଷା ଏକଥା ପାଳନ କଲା ।

 

–ଠିକ୍ ଅଛି । ଏଥର ତମେ ଏଠାରେ ଠିଆହୋଇ ରହ ।

 

ଆମେ ତମ ଘର ଓ ତମର ପୋଷକଟି ପରୀକ୍ଷା କରିଦେଉଁ ।

 

ବର୍ଷା ବାରଣ୍ଡାରେ ଠିଆ ହେଲା । ଅନ୍ୟ ସମସ୍ତେ ଘରଟି ପରୀକ୍ଷା କରି ଫେରିଆସିଲେ-। ତା’ପରେ ବର୍ଷା ନିଜ ଘରକୁ ଯାଇ ପୋଷାକ ପିନ୍ଧି ବାହାରିଆସିଥିଲା ।

 

ଜଜ୍ ମହାଜନ କହିଲେ–ଏଥର ନିଶ୍ଚିନ୍ତ ହେବାକୁ ପଡ଼ିଲା । ଆମ ପାଞ୍ଚଜଣଙ୍କ ଭିତରେ କାହା ପାଖରେ ଔଷଧ ବା ଅସ୍ତ୍ର ନାହିଁ । ଏଥର ଏଗୁଡ଼ିକ ନିରାପଦରେ ରଖିବା ଆମର କର୍ତ୍ତବ୍ୟ । ତଳଘରେ ଯେଉଁ ସିନ୍ଦୁକଟି ଅଛି ତା’ରିଭିତରେ ଏଗୁଡ଼ିକ ରଖିବା ଭଲ ।

 

ମାଧବ ସନ୍ଦେହ ଓ ବ୍ୟଙ୍ଗ ସ୍ଵରରେ କହିଲା–ତେବେ ଏହାର ଚାବିକାଠି ଆପଣଙ୍କ ପାଖରେ ରହିବ ?

 

ଜଜ୍ ତୀକ୍ଷ୍‍ଣ ଦୃଷ୍ଟିରେ ମାଧବ ଆଡ଼କୁ ଅନାଇଲେ । ମୁହଁରେ କିଛି ନ କହି ଚୁପ୍ ରହି ପୁଣି କହିଲେ–ଚାଲ ତଳକୁ ଯିବା ।

 

ଜଜ୍‍ସାହେବ ଖାଇବାଘରର ଗୋଟିଏ କୋଣରେ ଥିବା ସିନ୍ଦୁକଟି ଖୋଲିଲେ । ଦୁଇଟି ଚାବି ଅଛି । ସିନ୍ଦୁକ ଖୋଲି ଔଷଧ ସବୁ ରଖିଲେ ଗୋଟିଏ ଡ୍ରୟାରରେ । ବନ୍ଦ କଲେ । ତା’ପରେ ଦି’ଟା ଚାବିକାଠିରୁ ଗୋଟିଏ ମାଧବ ଓ ଅନ୍ୟଟି ଫଟିକ୍‍କୁ ଦେଇ କହିଲେ–

 

ଦେଖ, ବୈହିକ ଶକ୍ତି ଏ ଦଳ ଭିତରେ ତମ ଦି’ଜଣଙ୍କର ବେଶି । ପରସ୍ପରଠାରୁ କେହି ଚାବି ନେଇପାରିବେ ନାହିଁ । ଆମେ ଚାବି କାଢ଼ିନେବାକୁ ଅସମର୍ଥ । ଏ ସିନ୍ଦୁକଟି ଭାଙ୍ଗିବା ସହଜ ବ୍ୟାପାର ନୁହେଁ । ପ୍ରଥମେ ପ୍ରଚଣ୍ଡ ଶକ୍ତି ଦରକାର । ଦ୍ଵିତୀୟରେ ଯଥେଷ୍ଟ ଶବ୍ଦ ହେବ । ତେଣୁ ଆଉ ବିପଦର ସମ୍ଭାବନା ନାହିଁ; କିନ୍ତୁ ମାଧବର ପିସ୍ତଲଟା ଗଲା କୁଆଡ଼େ ?

 

ଫଟିକ୍ କହିଲା–ରିଭଲଭର୍‍ର ମାଲିକ ଭଲଭାବରେ ଜାଣନ୍ତି ।

 

ମାଧବ ଚିତ୍କାର କଲା–ବୁଦ୍ଧୁ ନା କ’ଣ ! କହିଲି ପରା, ଚୋରି ହୋଇଯାଇଛି ।

 

ଜଜ୍ ପଚାରିଲେ–ତମେ ଶେଷଥର ପାଇଁ ସେଇଟାକୁ କେଉଁଠି ଦେଖିଥିଲ ?

 

–କାଲି ରାତିରେ ଶୋଇଲାବେଳେ ତ ଥିଲା ସେଇଠି ।

 

–ତା ଅର୍ଥ ଆଜି ସକାଳେ କିଏ ନେଇଛି ।

 

ବର୍ଷା କହିଲା–ବର୍ତ୍ତମାନ ଖୋଜିଲେ ତ ହୁଅନ୍ତା । ହୁଏତ ଏ ଘରେ କେଉଁଠି ଥିବ ।

 

–ହତ୍ୟାକାରୀ ସେଇଟିକୁ ଲୁଚାଇ ରଖିବାପାଇଁ ଯଥେଷ୍ଟ ସମୟ ପାଇଛି ।

 

–ରିଭଲଭର୍‍ଟି କେଉଁଠି ଅଛି ମୁଁ ଅବଶ୍ୟ ଜାଣେନା । ତେବେ ଅନ୍ୟ ଜିନିଷଟି…….ମୋ ସାଙ୍ଗରେ ଆସନ୍ତୁ ।

 

ଖାଇବାଘର ପଛ ଝରକାରେ ଅଟକିଗଲା ଫଟିକ୍–ଦେଖନ୍ତୁ ।

 

ଝରକାତଳେ ଘାସ ଉପରେ ପଡ଼ିଛି ସିରିଂଜ ଓ ଇସ୍‍କା ପାନ ବିବିର କାର୍ଡ଼ଟି ।

 

ଫଟିକ୍ କହିଲା–ମୁଁ ଭଲଭାବରେ ଅନୁମାନ କରିଥିଲି ବିନୋଦିନୀଙ୍କୁ ହତ୍ୟା କରି ଝରକାରେ ସିରିଂଜଟି ଗଳାଇଦେଇଚ୍ଛି ଆତତାୟୀ । ତା ସାଙ୍ଗରେ ଇସ୍‍କା ପାନ ବିବିର ତାସ୍ !

 

ସିରିଂଜଟି କିନ୍ତୁ ଭାଙ୍ଗିଯାଇନି, ବୋଧହୁଏ ନରମ ଘାସ ଉପରେ ପଡ଼ିଥିବା ହେତୁ । କୌଣସି ଅଙ୍ଗୁଳିର ଦାଗ ନାହିଁ । ପକାଇବା ପୂର୍ବରୁ ନିଶ୍ଚୟ ଯତ୍ନରେ ପୋଛିଦିଆହୋଇଛି ।

 

ବର୍ଷା କହିଲା–ଚାଲନ୍ତୁ ଏବେ ରିଭଲଭର୍‍ଟି କେଉଁଠି ଅଛି ଦେଖାଯାଉ ।

 

ଜଜ୍ କହିଲେ–ବେଶ୍; କିନ୍ତୁ ଖୋଜିବାବେଳେ ଯେପରି ଆମେ ସମସ୍ତେ ଏକାଠି ରହିବା-। ହତ୍ୟାକାରୀ ଯେପରି ସୁଯୋଗ ନ ପାଏ ।

 

ପାଞ୍ଚଟି ମଣିଷର ମୁଣ୍ଡରେ ଘୂରିବୁଲୁଛି ତିନୋଟି ଶବ୍ଦ–ଆମ ଭିତରେ ଜଣେ ହତ୍ୟାକାରୀ-। ପାଞ୍ଚଜଣ ଭୀତତ୍ରସ୍ତ–ସନ୍ତ୍ରସ୍ତ ।

 

ପରସ୍ପର ସମ୍ପର୍କରେ ସତର୍କ, ସନ୍ଦିହାନ । ପରସ୍ପରର ଶତ୍ରୁ, ଆତଙ୍କ । କେବଳ ବଞ୍ଚିବାପାଇଁ ପରସ୍ପର ସହିତ ସଂଯୁକ୍ତ ।

 

ଏତେ ବଡ଼ ଗୁଇନ୍ଦା ପୁଲିସ ଇନ୍‍ସପେକ୍ଟର ଫଟିକ୍‍ର କି ଚେହେରା ! ବୋକାଙ୍କ ଭଳି ବସିଛି । ଆଖିର ଦୃଷ୍ଟି କୁତ୍ସିତ । ସତେ ଯେମିତି ଗୋଟାଏ ବେଙ୍ଗ !

 

କବାଟପାଖ ଗୋଟାଏ ଚେଆର ଉପରେ ବସିଛନ୍ତି ଡାକ୍ତର । ଝାଳ ପୋଛୁଛନ୍ତି । ଅଶାନ୍ତ ଦୃଷ୍ଟି । ଆହତ, କ୍ରୁଦ୍ଧ, ଭୀତ ପ୍ରାଣୀ । ହାତଯୋଡ଼ିକ ଥରୁଛି ।

 

ମାଧବର ମନଟି କିନ୍ତୁ ସତେଜ । ଆଖିରେ ସତର୍କତା । ଲଘୁ, କ୍ଷିପ୍ର, ନିଃଶବ୍ଦ ପଦସଞ୍ଚାର-। ପାତଳ ଶରୀର, ଦୃଢ଼, ମଝିରେ ହସୁଛି । ମନେହେଉଛି ଏ ଗୋଟାଏ କଲରାପତ୍ରିଆ ଚିତାବାଘ ।

 

ବଡ଼ ସୋଫାରେ ବସିଛି ଶାନ୍ତ ହୋଇ ବର୍ଷା । ଶ୍ରାନ୍ତ, କ୍ଳାନ୍ତ, ବିଷଣ୍ଣ । ଆହତ ପକ୍ଷିଣୀ ।

ବାହାରେ ମୂଷଳ ଧାରାରେ ବୃଷ୍ଟି, ଝଡ଼, ମଝିରେ ମଝିରେ ହିଂସ୍ର ଦାନବ ପରି ଘରଟା ଉପରେ ଝାମ୍ପିପଡ଼ୁଛି । ମନ ଭିତରେ କେତେ ଆଲୋଡ଼ନ ସୃଷ୍ଟି କରୁଛି ।

 

ସଞ୍ଜ ପାଞ୍ଚଟା ବାଜିଲା, ସଞ୍ଜ ।

 

ଭେରା ଉଠିଲା–ଚା’ ଖାଇବେ ।

 

ନା, ଚା’ରେ କାହାର ଆପତ୍ତି ନାହିଁ ।

 

–ଆପଣ ବସନ୍ତୁ, ମୁଁ ଆପଣମାନଙ୍କ ପାଇଁ ଚା’ ଆଣେ ।

 

ଜଜ୍ କହିଲେ–ତମ ସାଙ୍ଗରେ ଆମେ ଯିବୁଁ । ଚା’ଟା ଆମ ଆଗରେ ହେବା ଦରକାର ।

 

–ବେଶ୍, ଚାଲନ୍ତୁ ।

 

ସନ୍ଧ୍ୟା ହେଲା ।

 

ମାଧବ ଘର ଭିତରେ ପଶି ସୁଇଚ୍ ଟିପିଲା ।

 

ନା, ଆଲୋକ ଜଳିଲା ନାହିଁ ।

 

ଫଟିକ୍ କହିଲା–ଇଞ୍ଜିନଟା ବନ୍ଦ ଅଛି ।

 

ମାଧବ କହିଲା–ଚାଲ, ଇଞ୍ଜିନଟା ଚଲେଇଦେବା ।

 

ଜଜ୍ କହିଲେ–ଏ ସମ୍ବନ୍ଧରେ ଝମେଲା କରି ଲାଭ ନାହିଁ । ରନ୍ଧାଘରେ ଗୁଡ଼ାଏ ମହମବତୀ ଅଛି । ଚାଲ, ସେଇଥିରେ ଆଜି ଚଳାଇନେବା ।

 

ସେଇଆ ହେଲା ।

 

ବର୍ଷା ଭାବିଲା–ଗାଧୋଇନେଲେ ମନଟା ଶାନ୍ତ ହୋଇଯିବ । ଟେବୁଲ୍‍ରୁ ଗୋଟାଏ ମହମବତୀ ନେଲା । ଜଳାଇ ପ୍ଲେଟରେ ବସାଇଲା । ତା’ପରେ ସେଇଟା ନେଇ ଦୋତାଲାର ନିଜ ଘରକୁ ଆଗେଇଗଲା । ଚତୁର୍ଦ୍ଦିଗ ଅନ୍ଧକାର ।

 

ଘର ଭିତରେ ଏକ ତୀବ୍ର ସାମୁଦ୍ରିକ ଗନ୍ଧ ।

 

ଏ କଣ, ଏ କଣ ପ୍ରେମକୁମାର !

 

ହଠାତ୍ ପ୍ଲେଟ୍‍ଟି ହାତରୁ ଖସିପଡ଼ିଲା । ଗୋଟାଏ ଥଣ୍ଡା ହାତ ବର୍ଷାର କପାଳରେ, ମୁହଁରେ, ଗାଲରେ, ବେକରେ...

 

ଆର୍ତ୍ତକଣ୍ଠରେ ବର୍ଷା ତଳେ ଲୋଟିପଡ଼ିଲା ସମସ୍ତେ ଦୌଡ଼ିଆସିଲେ । ସମସ୍ତଙ୍କ ହାତରେ ମହମବତୀ ।

 

ଡାକ୍ତର ପରୀକ୍ଷା କଲେ–ନା, ବର୍ଷା ବଞ୍ଚିଛି ।

 

ଫଟିକ୍ ଗୋଟିଏ ଗିଲାସରେ ବ୍ରାଣ୍ଡି ନେଇଆସିଲା ।

 

ବର୍ଷା ଖୁବ୍ ଦୁର୍ବଳ ହୋଇପଡ଼ିଛି । କଥା କହି ପାରୁ ନ ଥିଲା । କିନ୍ତୁ ତାକୁ ଖୁଆଇବାକୁ ଉଦ୍ୟମ କରିବା ଦେଖି ସେ ଚିତ୍କାର କରି ଉଠିଲା–ନା, ନା, ମୁଁ ଖାଇବିନି, ନା । ଫଟିକ୍‍ର ହାତଟି ଘୁଞ୍ଚାଇ ଦେଇ ଉଠିବସିଲା ବିଛଣା ଉପରେ ।

 

ଲାଜ ପାଇଲା ଫଟିକ୍ ।

 

ମାଧବ ଖୁସି ହୋଇ କହିଲା–ବାସ୍ତବିକ୍ ବର୍ଷା ଦେବୀ, ଧନ୍ୟବାଦ । ଏତେ ଭିତରେ ଯେ ଆପଣ ମୁଣ୍ଡଟା ଠିକ୍ ରଖିଛନ୍ତି, ବୁଦ୍ଧି ହରାଇନାହାନ୍ତି ।

 

ଡାକ୍ତର ବର୍ଷା ପାଖକୁ ଆଗେଇଗଲେ । ତା’କୁ ଯତ୍ନକରି ଉଠାଇଲେ । ଧୀରେ ଧୀରେ ନେଇଗଲେ କଳ ପାଖକୁ । ବର୍ଷାର ମୁହଁ ଆଖିରେ ପାଣିଦେଲେ । ଡାକ୍ତର ତା ଆଗରେ ଗୋଟିଏ ଗିଲାସ ଧୋଇ ଟିକିଏ ପାଣି ଦେଖାଇଲେ । ବର୍ଷା ଟିକିଏ ପାଣି ପିଇଲା । ବର୍ଷାକୁ ତା ଖଟରେ ବସିବାକୁ ସାହାଯ୍ୟ କଲେ ।

 

ବର୍ଷାର ଭୟର କାରଣ ଜଣାପଡ଼ିଲା । ତା ଘରର ବାଥ୍‍ରୁମ୍‍ର ସିଲିଂରୁ ଗୋଟିଏ ସାମୁଦ୍ରିକ ଲତା ମୋଡ଼ି ମୋଡ଼ି ହୋଇ ତଳକୁ ଓହଳିଛି । କିନ୍ତୁ ଏଇଟା ଝୁଲାଇଥିଲା କିଏ ?

 

ଏ ଭିତରେ ମାଧବ ଖୋଲା ନ ହୋଇଥିବା ନୂଆ ବ୍ରାଣ୍ଡି ବୋତଲ ନେଇଆସିଲା । ତା ଆଗରେ ଖୋଲାଗଲା ।

 

ବର୍ଷା ଟିକିଏ ଖାଇଲା । ତା ମୁହଁର ସ୍ଵାଭାବିକ ରଙ୍ଗ ଫେରିଆସିଲା ।

 

ମାଧବ କହିଲା–ଯାହାହେଉ ଏଥରକ ପାଇଁ ଆପଣ ଖୁନୀର ପରିକଳ୍ପନାଟିକୁ ଧୂଳିସାତ୍ କଲେ । ଭାବିଥିଲା ଯେ ଭୟ ଦେଖାଇ କାମଟି ହାସଲ କରିବ । ଯାହାହେଉ, ଆପଣଙ୍କର ମନଟା ଖୁବ୍ ଶକ୍ତ ।

 

ଡାକ୍ତର ଉତ୍ତର ଦେଲେ ନାହିଁ । ଫଟିକ୍ ଆଣିଥିବା ବ୍ରାଣ୍ଡି ବୋତଲଟି ପରୀକ୍ଷା କଲେ ।

 

ଫଟିକ୍ ଆଗେଇ ଗଲା ।

 

–ଆପଣଙ୍କର ମତଲବ ମୁଁ ବୁଝିପାରିଛି, ଡାକ୍ତର ! ଆପଣ ସନ୍ଦେହ କରୁଛନ୍ତି ଯେ ସେହି ଗିଲାସଟାରେ ମୁଁ....

 

ବର୍ଷା ପ୍ରସଙ୍ଗ ପାଲଟାଇ କହିଲା–ଆଚ୍ଛା, ଆପଣମାନେ ସମସ୍ତେ ତ ଆସିଛନ୍ତି; କିନ୍ତୁ ଜଜ୍ ଗଲେ କୁଆଡ଼େ ?

 

–ଆରେ, ସତ ତ । ମୁଁ ଭାବୁଛି ସେ ସାଙ୍ଗରେ ଆସିଛନ୍ତି । ଡାକ୍ତର କହିଲେ ।

 

ଚାରିଜଣ ଖୋଜିଲେ ।

 

ଡାକ୍ତର ଚିତ୍କାର କଲେ–ମ-ହା-ଜ-ନ୍ ! ଖାଇବାଘର, ଡ୍ରଇଁ ରୁମ୍ ଯାଉଁ ଯାଉଁ ବର୍ଷା ପାଟିକରି ଉଠିଲା–ଡାକ୍ତର ଦୁର୍ଗାମାଧବ ! ଏ କଣ ବ୍ୟାପାର ? ଇସ୍‍କା ପାନ ବିବିଟା ଗଲା କୁଆଡ଼େ ? ତାସ୍‍ଗୁଡ଼ାକ ଗଲା କୁଆଡ଼େ ?

 

ମାଧବ ଗମ୍ଭୀର ଭାବରେ ଚୁରୁଟ ଲଗାଇଲା–ସତରେ ସେଇ ଇସ୍‍କା ପାନ ବିବିଟା ହଠାତ୍ ଉଭେଇଗଲା କୁଆଡ଼େ ?

 

ଜଜ୍ ମହାଜନଙ୍କ ଘରର କବାଟ ଠେଲି ସମସ୍ତେ ଥମକି ଛିଡ଼ା ହୋଇଗଲେ ।

 

ଗୋଟାଏ ବଡ଼ ଚେୟାରରେ ଗମ୍ଭୀର ମୁଖରେ ବସିଛନ୍ତି ଜଜ୍ ମହାଜନ । ମୁଣ୍ଡରେ ଜଜ୍‍ର ପରଚୂଳା । ଦେହରେ ଲାଲ ରଙ୍ଗର ଗାଉନ । ଦୁଇ ପାଦରେ ଦି’ଟା ମହମବତୀ ।

 

ଡାକ୍ତର ଆଗେଇ ଗଲେ । ପରୀକ୍ଷା କଲେ–ନା, କେହି ତ...ନା, ଜଜ୍ ମହାଜନ ମୃତ ।

 

ପରଚୂଳାଟି ମୁଣ୍ଡରୁ ପକାଇଦେବାରେ ଚନ୍ଦା ମୁଣ୍ଡ ମଝିରେ ଛୋଟ ଲାଲ ରଙ୍ଗର ଚିହ୍ନ ସ୍ପଷ୍ଟ ହେଲା । ମହମବତୀ ଆଲୋକରେ ବୁଝାଗଲା ଯେ ମୁଣ୍ଡରେ ଗୁଳି କରି ହତ୍ୟା କରାଯାଇଛି । ଡାକ୍ତର ମଧ୍ୟ ସେଇଆ କହିଲେ ।

 

ବର୍ଷା ପରଚୂଳାଟି ଉଠାଇନେଇ କହିଉଠିଲା–ଏଇଟା ଯେ ଶ୍ରୀମତୀ ବିନୋଦିନୀଙ୍କର ଚୋରି ହୋଇଯାଇଥିବା ଉଲ୍ ! ଆଉ ଏଇ ପରଦାଟି ତ ଚାଲିଯାଇଥିବା ପରଦା !

 

ଫଟିକ୍ କହିଲା–ରିଭଲଭର୍‍ଟି କାହିଁକି ଚୋରିଯାଇଥିଲା ଏବେ ଜଣାପଡ଼ିଲା ।

 

ମାଧବ କହିଲା–ମାନିବାକୁ ହେବ ଯେ ହତ୍ୟାକାରୀ ଚମତ୍କାର ମଞ୍ଚସଜ୍ଜା ଜାଣିଛି । ଏ ଦୃଶ୍ୟ ଦେଖି ସୌମେନ୍ଦ୍ରର ଆତ୍ମା ନିଶ୍ଚୟ ଖୁବ୍ ଖୁସି ହେବ ।

 

ବର୍ଷା କହିଲା–ଏ ସମୟରେ ଏ ପ୍ରକାର ନିଷ୍ଠୁର ଥଟ୍ଟା ଶୋଭାପାଏନା, ମାଧବ ! ଆଜି ସକାଳେ ଆପଣ କହୁଥିଲେ ନା ଏହିସବୁ କାଣ୍ଡ ପାଇଁ ଦାୟୀ ଜଜ୍ ମହାଜନ । କହନ୍ତୁ, କହୁ ନ ଥିଲେ ?

 

ମାଧବ ଗମ୍ଭୀର ହେଲା–ହଁ, କହିଥିଲି । ମୋର ବୁଦ୍ଧି ଉପରେ ମୋର ବିଶ୍ଵାସ ଅଛି । ମୁଁ ଯାହା କହିଛି ଠିକ୍; କିନ୍ତୁ ଏବେ ଆମ ଭିତରେ ଆଉ ଜଣେ ସବୁ ସନ୍ଦେହରୁ ମୁକ୍ତି ପାଇଲେ, ଯଦିବା ଟିକିଏ ଡେରି ହୋଇଯାଇଛି ।

 

ଡ୍ରଇଂରୁମ୍‍କୁ ଚାରିଜଣ ଓହ୍ଲାଇ ଆସିଲେ–ଡାକ୍ତର, ଫଟିକ୍, ମାଧବ ଓ ବର୍ଷା ।

 

ଫଟିକ୍ କହିଲା–ଏବେ କଣ କରାଯିବ ?

 

ମାଧବ କହିଲା–ପେଟରେ କିଛି ନ ପଡ଼ିଲେ ଯେ ମେସିନ୍ ଅଚଳ ହୋଇପଡ଼ିବ, ବନ୍ଧୁ !

 

ଟିଣଖାଦ୍ୟରେ ରାତ୍ରିର ଭୋଜନ ସରିଲା । ଭୋଜନ ହେଲା ବସିବା ଘରେ । ବଞ୍ଚିବା ପାଇଁ ଖାଇବା କଥା; ନ ହେଲେ ସ୍ଵାଦୁ ଓ ପରିତୃପ୍ତିର ପ୍ରଶ୍ନ ନାହିଁ ।

 

ବର୍ଷା କହିଲା–ଆଉ ଏ ଜନ୍ମରେ ଟିଣଖାଦ୍ୟ ଉପରେ ଅରୁଚି ହୋଇଗଲା । ଯଦି ଆମେ ବଞ୍ଚି ଫେରିପାରିବା...

 

ଫଟିକ୍ କହିଲା–ଏହା ପରେ କାହା ଉପରେ ପାଳି ପଡ଼ିବ କିଏ ଜାଣିଛି ! କଣ ମାଧବ, ତମର ଇସ୍‍କା ପାନ ବିବି ଗଲା କୁଆଡ଼େ ?

 

ମାଧବ କହିଲା–ସେଇ ତ ଆଶ୍ଚର୍ଯ୍ୟ ବ୍ୟାପାର । ଏକା ସାଙ୍ଗରେ ସମସ୍ତଙ୍କ ଘରୁ ହରଣଚାଳ ।

 

ବର୍ଷା–ଆଚ୍ଛା ମାଧବ, ତମେ ତ ସବୁଥର ଫେଣ୍ଟିଛ, ବାଣ୍ଟିଛ । ତମେ କଣ କିଛି ଯାଦୁମନ୍ତ୍ର କରି ଏ ସବୁ କରୁଥିଲ ? ଯାହା ଭାଗରେ ତାସ୍‍ ପଡ଼ିଛି, ସେ ମରିଛି ।

 

ମାଧବ କହିଲା–ଆପଣମାନେ ବିଶ୍ୱାସ କରନ୍ତୁ ବା ନ କରନ୍ତୁ ସତ କହୁଛି, ମୁଁ ଯାଦୁକୁ ବିଶ୍ଵାସ କରେନା । ତା’ଛଡ଼ା ମୁଁ ବଡ଼ ଅନ୍ୟମନସ୍କ ଭାବରେ ବାଣ୍ଟିଦେଇଛି ।

 

ଡାକ୍ତର କହିଲେ–ଆମକୁ ସତର୍କ ହେବାକୁ ହେବ ।

 

ମାଧବ କହିଲା–ଆପଣ ଏକଥାଗୁଡ଼ାକ ଆଉ ବାନ୍ତି କରନ୍ତୁ ନାହିଁ । ଜଜ୍‍ସାହେବ ତ କହୁଥିଲେ, କ’ଣ ହେଲା ଶୁଣେ ? ସତର୍କ ରହି କ’ଣ ହେବ ?

 

ଡାକ୍ତର ବିସ୍ମୟରେ କହିଲେ–ସତରେ ଘଟଣାଟି ଯେ କିପରି ଘଟିଗଲା !

 

ମାଧବ କହିଲା–ଏହା ଭିତରେ ତ ରହସ୍ୟ ବୋଲି କିଛି ନାହିଁ । ବର୍ଷା ଦେବୀଙ୍କ ଘରେ ଲତାଟି ଝୁଲାଇଦିଆହୋଇଥିଲା କାରଣ ସେ ଏହା ଦେଖି ଭୟରେ ଭାଙ୍ଗିପଡ଼ିବେ । ସେ ଚିତ୍କାର କଲେ । ଆମେ ତାଙ୍କ ପାଖକୁ ଦଉଡ଼ିଗଲୁ । ଆଉ ଏହି ସୁଯୋଗରେ ବୁଢ଼ା ମଣିଷଟିକୁ ଏକୁଟିଆ ପାଇ ଖତମ୍ ।

 

ଫଟିକ୍ କହିଲା–ବେଶ୍, ଗୁଳିଶବ୍ଦ ହେଲାନି କାହିଁକି ?

 

–ଆହା ! ଶୁଭିବ କିପରି ? ତେଣେ ବର୍ଷା ଦେବୀଙ୍କର ଆର୍ତ୍ତନାଦ, ଏଣେ ଆମର ଦଉଡ଼ା ଦଉଡ଼ି । ତେଣେ ସମୁଦ୍ରର ଗର୍ଜନ । ଏ ସବୁ ଭିତରେ ଚପା ପଡ଼ିଗଲା ଗୁଳିର ଶବ୍ଦ ।

ତା’ପରେ ପୁଣି ନୀରବତା ବିରାଜିଲା ।

ବର୍ଷା କହିଲା–ଏପରି ନୀରବ ରହିଗଲେ ଲାଭ କ’ଣ ? ଶୋଇବାକୁ ଗଲେ ଭଲ ହୁଅନ୍ତା ।

ଠିକ୍ କଥା ।

ଚଉଡ଼ା ସିଡ଼ିରେ ଚାରିଜଣ ଲଗାଲାଗି ହୋଇ ଉଠୁଛନ୍ତି । କେହି କାହାରି ଆଗରେ ବା ପଛରେ ଯିବାକୁ ପ୍ରସ୍ତୁତ ନୁହନ୍ତି । ପାରସ୍ପରିକ ସନ୍ଦେହ ।

ଦୋତାଲାର ଚାରୋଟି ଘର କବାଟ ଆଗରେ ଠିଆ ହେଲେ ଚାରିଜଣ । ପ୍ରତ୍ୟେକଙ୍କ ହାତରେ ଗୋଟିଏ ମହମବତୀ । ଯେପରି କାହାର ଅଦୃଶ୍ୟ ସଂକେତ ସଙ୍ଗେ ସଙ୍ଗେ ଦ୍ରୁତଗତିରେ ଯେ ଯାହାର ଘର ଭିତରେ ପଶିଗଲେ ।

ଚାରିଟି କବାଟ ବନ୍ଦ କରିବାର ଶବ୍ଦ ହେଲା ଏକା ସାଙ୍ଗରେ ।

କବାଟ ବନ୍ଦ କରି ମାଧବ ଡ୍ରେସିଂ ଟେବୁଲ୍‍ର ଆଇନା ଆଗରେ ଠିଆ ହେଲା । ଏ ମୁହଁରେ ଭୟର ଛାପ ନ ଥିଲା । ସେ ବିଛଣାରେ ଶୋଇପଡ଼ିଲା । ମହମବତୀ ଜଳୁଛି । ଟେବୁଲ୍‍ର ଡ୍ରୟାରଟି ଟାଣିଦେଲା ।

ରିଭଲଭର୍‍ଟି ରହିଛି ତା ଭିତରେ ।

ବର୍ଷା ଶୋଇଛି । ଆଖିରେ ତା’ର ନିଦ ନ ଥିଲା । ମହମବତୀଟି ଜଳୁଛି ଟେବୁଲ୍‍ ଉପରେ । ଆଜି ଅନ୍ଧକାରକୁ ସେ ଯେପରି ବଡ଼ ଭୟ କରୁଛି । ଏ ଅବସ୍ଥାରେ ପ୍ରେମକୁମାର କଥା ମନେପଡ଼ିଲା । ସେଦିନ ସେଇ ପୋର୍ଟିକୋ ତଳେ ପ୍ରେମକୁମାରର ଗାଢ଼ ଆଲିଙ୍ଗନର ସ୍ପର୍ଶ ଉତ୍ତାପ ଆଜି ବି ସେ ଭୁଲିପାରୁନି । ମହମବତୀର ଶିଖା ଥରିଉଠିଲା । ଥରକୁଥର ଉଠିପଡ଼ିଲା ବିଛଣା ଉପରେ ବର୍ଷା । କ’ଣ କିଏ ଡାକୁଛି ? କବାଟ ଉପରେ କଣ କିଏ ଆଘାତ କରୁଛି ! ନା, ନା, କେହି ନୁହେଁ ତ ! ତଥାପି....

 

ଗୁଇନ୍ଦା ପୁଲିସ ଇନ୍‍ସପେକ୍ଟର ଫଟିକ୍ ଆଖିରେ ନିଦ ନ ଥିଲା । ସେ ଭାବୁଛି ଏହା ପରେ କାହାର ପାଳି ପଡ଼ିବ ? ମୋର ନୁହେଁ ନିଶ୍ଚୟ । ମୁଁ ପୁଲିସ ପଦକ ପାଇଛି । ଗୁଇନ୍ଦା ହିସାବରେ କେତେ ବଡ଼ ନାମ ଅର୍ଜନ କରିଛି । ମୋ ଆଗରେ ପୁଣି ଏଇ କେତୁଟା...

 

ଘଡ଼ିରେ ବାରଟା ବାଜିଲା ।

 

ମହମବତୀଟି ଜଳୁଛି । ଫଟିକ୍ ଶୋଇ ଶୋଇ ଭାବୁଛି । ଫଟିକ୍ ଦିଆସିଲିଟା ଆଣି ତକିଆତଳେ ରଖିଲା । ମହମବତୀ ଲିଭାଇଦେଲା ।

 

ଅନ୍ଧକାର । ଗଭୀର ଅନ୍ଧକାର ।

 

ଅନ୍ଧକାର ଭିତରେ ମନେପଡ଼ିଗଲା ସେହିମାନଙ୍କର ମୁହଁ ଯେଉଁମାନେ ଆଜି ନାହାନ୍ତି: ବିନୋଦିନୀ, ରଘୁନାଥ, ରଘୁନାଥର ସ୍ତ୍ରୀ, ପ୍ରବୀଣକୁମାର, ଜଜ୍‍ସାହେବ, ମଥୁରାନନ୍ଦ ।

 

ତା’ପରେ ସେହି ମୁହଁଟି...ଜେମ୍‍ସ ଆଂଲୋ । ତା’ର ସ୍ତ୍ରୀର ମୁହଁ । ଦୁଃଖ ବେଦନାରେ କ୍ଳାନ୍ତ ମୁହଁଟି । ଜେମ୍‍ସ ଆଂଲୋର ଗୋଟିଏ ଛୋଟ ଝିଅ ଥିଲା । ଆହା, ସେ ଝିଅଟି ପୁଣି ଗଲା କୁଆଡ଼େ ?

 

ଅନ୍ଧକାର ଭିତରେ ହଠାତ୍ ଆବିର୍ଭାବ ହେଲା ସେଇ, ସେଇ ଇସ୍‍କା ପାନ ବିବି । ମୁଖରେ ବିକଟାଳ ହସ । ସେଇ ନିଷ୍ଠୁର କ୍ରୂର ହସ । ଆଗେଇଆସୁଛି ଧୀରେ ଧୀରେ । ଅନ୍ଧକାର ଭିତରେ ତକିଆତଳେ ହାତ ପୂରାଇଲା । ଦିଆସିଲି...ହଁ, ଦିଆସିଲିଟା ପୁଣି ଗଲା କୁଆଡେ଼ ?

 

ବାରଣ୍ଡାରେ ପୁଣି କାହାର ପଦଶବ୍ଦ ! ହଁ ହଁ, ଏଇତ ସେ ଶୁଣିପାରୁଛି । ହଁ, ଶୁଣୁଛି ସେ ତ ଠିକ୍ ଶବ୍ଦଟି । ତା’ପରେ ଧୀରେ ଧୀରେ ପଦଶବ୍ଦଟି ମିଳାଇଯାଉଛି । ପାଞ୍ଚଟି ପ୍ରେତାତ୍ମା କ’ଣ ପୁଣି ଜାଗିଲେଣି ? ସେମାନେ ପୁଣି କ’ଣ ପ୍ରତିଶୋଧ ନେବାକୁ...

 

ନା ସେ ପୁଲିସ ଗୁଇନ୍ଦା । ସେ ବାହାରକୁ ଯିବ । ବ୍ୟାପାରଟି କ’ଣ, ଦେଖିବାକୁ ଚାହେଁ । ହତ୍ୟାକାରୀ କବାଟ ବାହାରେ ତା’ ଅପେକ୍ଷାରେ ହୁଏତ ଠିଆ ହୋଇଛି । ତେବେ ଯିବାଟା ଏକଦମ ବୋକାମି ହେବ ।

 

ଫଟିକ୍‍ର ମନେହେଉଛି ଯେପରି ସେ ଶୁଣିପାରୁଛି ଘରଭିତରେ କାହାର ଚପା ଗୁଞ୍ଜନ । ନରକର ବନ୍ଦୀଶାଳାରୁ ଯେପରି ମୁକ୍ତି ଲାଭ କରିଛନ୍ତି ଅତୃପ୍ତ ଆତ୍ମାର ଦଳ ।

 

ତାଙ୍କର ଆଳାପରେ ରାତ୍ରିର ଆକାଶ ଭରିଯାଇଛି । ନା, ନା, ଏସବୁ ତା’ର ନିଦ୍ରାହୀନ ଅତୃପ୍ତ ମଥାର କଳ୍ପନା ବିକାର ।

 

ନା, ଏଇଟା କଳ୍ପନା ନୁହଁ । ସେ ତ ଶୁଣିପାରୁଛି ପଦଶବ୍ଦ । ଏଇ ତ କଥାବର୍ତ୍ତା ମଧ୍ୟ ଶୁଣାଯାଉଛି । ପୁଣି ପାଦର ଶବ୍ଦ । ଜଣେ ନା ଦି’ଜଣ ? ହୁଏତ ଜଣେ ବା ଦି’ଜଣ ଏକାସାଙ୍ଗରେ ପାଦ ପକାଉଛନ୍ତି । ଶବ୍ଦଟି ପୁଣି ଆଗେଇଆସୁଛି ଧୀରେ ଧୀରେ । ତା’ପରେ ସିଡ଼ିରେ ଓହ୍ଲାଇଯିବାର ଶବ୍ଦ ।

 

ଫଟିକ୍ ମନ ସ୍ଥିର କଲା ।

 

ପକେଟରେ ଦିଆସିଲିଟା ରଖିଲା ।

 

ଟେବୁଲ୍‍ ଲ୍ୟାମ୍ପର ବଲ୍‍ବ ଓ ସେଡ୍‍ଟି ଖୋଲିଦେଲା । ସୁଇଚ୍ ବୋର୍ଡ଼ରୁ ଖୋଲିନେଲା ପ୍ଳଗ୍ । ଓଜନିଆ ଧାତୁର ଲ୍ୟାମ୍ପ୍ ଷ୍ଟାଣ୍ଡଟି ହତିଆରରୂପେ ଚମତ୍କାର । ପାଦରେ ମୋଜା ଥିଲା । ଜୋତା ନ ପିନ୍ଧି ପାଦ ଟିପି ଟିପି ବାରଣ୍ଡାକୁ ବାହାରିଆସିଲା ।

 

ବାହାରେ ପବନ ସ୍ଥିର ।

 

ମେଘ କଟିଯାଇଛି ।

 

ଆକାଶରେ ଚନ୍ଦ୍ରର ଆଲୋକ ।

 

ସେହି ଆଲୋକରେ ଫଟିକ୍ ଦେଖିଲା, ଆରେ, ଏଇଟା ଯେ ଇସ୍‍କା ପାନ ବିବି, ନା ! ଘରୁ ଯେପରି ଛାୟାଟି ବାହାରିଗଲା ହଠାତ୍ ଛିଡ଼ାହେଲା । କି ବୋକାମି କରୁଥିଲା ସେ ! ହୁଏତ ତାକୁ ଫାନ୍ଦରେ ପକାଇବାପାଇଁ ଆତତାୟୀ ଏକ ଅୟୋଜନ କରିଛି ।

 

ଏଇ ତ ସୁଯୋଗ । ଏବେ ସେମାନେ ଚାରିଜଣ ଅଛନ୍ତି । ଦେଖିବାକୁ ହେବ କାହାର ଘର ଖୋଲା । ସନ୍ଦେହ ନାହିଁ ସେ ହତ୍ୟାକାରୀ ।

 

ଡାକ୍ତରଙ୍କ କବାଟରେ ଠକ୍ ଠକ୍ ଅବାଜ କଲା ଫଟିକ୍ । ନା, କୌଣସି ଉତ୍ତର ନାହିଁ । ଗଲା କୁଆଡ଼େ ? ଅଛି ନା ଗଲାଣି ? ତା’ପରେ ମାଧବ କବାଟରେ ଶବ୍ଦ କଲା ।

 

ମାଧବ ଉତ୍ତର ଦେଲା–କିଏସେ ?

 

–ମୁଁ ଫଟିକ୍ । ଡାକ୍ତର ତା’ ଘରେ ନାହିଁ ।

 

–ଆଚ୍ଛା, ମୁଁ ଆସୁଛି, ଅପେକ୍ଷା କର ।

 

ବର୍ଷା ଘର କବାଟରେ ହାତ ମାରିବା ମାତ୍ରକେ ବର୍ଷା ପାଟିକରି ଉଠିଲା–କିଏସେ ?

 

–ମୁଁ ଫଟିକ୍ । ଠିକ୍ ଅଛି ।

 

ଏଣେ ମାଧବ ହାତରେ ମହମବତୀ ଧରି ବାହାରିଆସି କହିଲା–କିହେ ଫଟିକ୍, ଏତେ ରାତିରେ ଘୂରିବୁଲୁଛ କାହିଁକି ?

 

ଫଟିକ୍ ସବୁକଥା କହିଲା । ମାଧବ ରାଗରେ ଫୁଲିଉଠିଲା–ତେବେ ଏସବୁ ମୂଳରେ ଡାକ୍ତର । ଚାଲ ଦେଖିବା ।

 

ସେମାନେ ଡାକ୍ତର ଘର କବାଟରେ ଥରକୁ ଥର ଶବ୍ଦ କରି ଡାକିଲେ–ଡାକ୍ତର, ଡାକ୍ତର ! ଡାକ୍ତର, ଶୁଭୁଛି ତମକୁ ! ଆହେ ଡାକ୍ତର କ’ଣ ନିଦ ଭାଙ୍ଗୁନାହିଁ କି ?

 

–ନା, କୌଣସି ଉତ୍ତର ନାହିଁ ।

 

ମାଧବ କବାଟରେ ଧକ୍କା ଦେଲା । କବାଟ ଖୋଲିଗଲା । ଘରଟି ଶୂନ୍ୟ, କେହି ନାହିଁ ।

 

ମାଧବ ଓ ଫଟିକ୍ ବର୍ଷାର କୋଠରି ଆଗରେ ଠିଆ ହେଲେ ।

 

–ବର୍ଷା ଦେବୀ, ମୁଁ ମାଧବ କହୁଛି ।

 

–ଆପଣଙ୍କର କଣ୍ଠ ଚିହ୍ନିଛି । କ’ଣ ହେଲା ?

 

–ଡାକ୍ତର ନାହାନ୍ତି । ଆମେ ତାଙ୍କୁ ଖୋଜିବାକୁ ଯାଉଛୁଁ । ଯାହାହେଉ ଆପଣ କବାଟ ଖୋଲିବେ ନାହିଁ, ବୁଝିଲେ ?

 

–ହଁ, ବୁଝିଲି ।

 

–ଯଦି ଡାକ୍ତର ଆସି କହନ୍ତି ଯେ ମୁଁ ଏବଂ ଫଟିକ୍ ମରିଯାଇଛୁଁ ତଥାପି କବାଟ ଯେପରି ଖୋଲିବେ ନାହିଁ ।

 

–ବେଶ୍ ।

 

–ମୁଁ ଏବଂ ଫଟିକ୍ ଯଦି ଏକାସାଙ୍ଗରେ ଆପଣଙ୍କୁ ଡାକିବୁଁ ତେବେ ଯାଇ କବାଟ ଖୋଲିବେ ।

 

–ଆଚ୍ଛା ।

 

ମାଧବ ତା’ପରେ କହିଲା–ଫଟିକ୍, ଚାଲ ତେବେ ଡାକ୍ତର ସନ୍ଧାନରେ ଯିବା ।

 

ସିଡ଼ିରେ ଓହ୍ଲାଇ ଯାଉଁ ଯାଉଁ ଫଟିକ୍ କହିଲା–ମୁଁ ଗୋଟାଏ କଥା ଭାବୁଥିଲି ।

 

–କ’ଣ ?

 

–ଆମକୁ ସାବଧାନ ହେବାକୁ ପଡ଼ିବ । ରିଭଲଭର୍‍ଟି ବୋଧହୁଏ ଡାକ୍ତର ପାଖରେ ଅଛି-

 

–ମିଛ କଥା, ସେଇଟା ମୋ ପାଖରେ ଅଛି । ପକେଟରୁ ରିଭଲଭର୍‍ଟି ବାହାରକରି ଦେଖାଇଲା । ରାତିରେ ଶୋଇବାବେଳେ ଦେଖେଁ ଯେ ଏଇଟା ଡ୍ରୟାରରେ ଥିଲା ।

 

ଥମକି ଠିଆହେଲା ଫଟିକ୍ ।

 

ମାଧବ ତା’ ମନର କଥାଟି ବୁଝିପାରି କହିଲା–ଆରେ ବୁଦ୍ଧୁ, ମୁଁ ତୁମକୁ ଗୁଳି କରୁନାହିଁ । ସାଙ୍ଗରେ ଯିବ ତ ଆସ, ନ ହେଲେ କବାଟ ବନ୍ଦ କରି ଘରେ ରୁହ । ମୁଁ ଏକୁଟିଆ ଚାଲିଲି ।

 

ଫଟିକ୍ ମାଧବ ସାଙ୍ଗରେ ଯାଉଁ ଯାଉଁ କହିଲା–ନା, ନା, ମୁଁ ରିଭଲଭର୍‍କୁ ଭୟ କରେନା-। ଆଗରେ ଆସିଥିବା କୌଣସି ବିପଦକୁ, କୌଣସି ଭୟକୁ ମୁଁ ଭୟକରେନା । ମୋର ଭୟ ରହସ୍ୟକୁ, ଗୁପ୍ତ ଘାତକକୁ, ଏଇ ଧରଣର ଭୌତିକ କାଣ୍ଡକୁ, ବୁଝିଲ !

 

ଏଣେ ବର୍ଷା କୋଠରି ଭିତରେ ଏକୁଟିଆ ଶୋଇପାରିଲା ନାହିଁ । ମାଧବ ଓ ଫଟିକ୍ ଆସିବାକୁ ଅପେକ୍ଷାକରିବାକୁ ଲାଗିଲା । ଆଲୋକରେ କବାଟ ଓ କିଳିଣୀଟା ପରୀକ୍ଷା କରିନେଲା । ନା, ଏହି କବାଟ ଭାଙ୍ଗି ପଶିବା ତାଙ୍କ ପକ୍ଷରେ ଅସମ୍ଭବ । ଡାକ୍ତର ଦେହଜୋରରେ କବାଟ ଭାଙ୍ଗିପାରିବେନି । ତେବେ ବୁଦ୍ଧି ତ ଅଛି ତାଙ୍କର !!

 

ଆଚ୍ଛା, ବୁଦ୍ଧିରେ କ’ଣ କବାଟ ଖୋଲିପାରିବେ ଡାକ୍ତର ? ମାଧବ ଗୋଟିଏ ଉପାୟ କହିଗଲା । ହୁଏତ ଡାକ୍ତର ଆସି କହିବେ ଯେ ମାଧବ ଓ ଫଟିକ୍‍ର ମୃତ୍ୟୁ ଘଟିଛି । ତା’ଛଡ଼ା ହୁଏତ କହିବେ ଗୁରୁତର ଆହତ । ଯେତେ କାତରତା ପ୍ରକାଶ କଲେ ବି ବର୍ଷା ସେଥିରେ ଭୁଲିଯିବ ନାହିଁ । ସେ କଦାପି କବାଟ ଖୋଲିବ ନାହିଁ ।

 

ତେବେ ପେଟ୍ରୋଲ ଢାଳି ଯଦି କବାଟରେ ନିଆଁ ଲଗାଇଦିଅନ୍ତି, ତା’ହେଲେ ? ତା’ହେଲେ ସେ ଝରକାରେ ତଳକୁ ଡିଆଁ ମାରିଦେବ । ଯାହାହେଉ ସେ ମରିବ ନାହିଁ ।

 

ଝରକାରେ ଠିଆହେଲା ବର୍ଷା । ମୁହଁ ଆଖିରେ ଲାଗିଲା ଥଣ୍ଡା ପବନର ସ୍ପର୍ଶ । ବାହାରକୁ ଅନାଇଲା ବର୍ଷା । ନା, ଭୋର ହେବାକୁ ଆଉ ଡେରି ନାହିଁ ।

 

କବାଟରେ ଠକ୍ ଠକ୍ ଶବ୍ଦ ।

 

–କିଏସେ ?

 

–ମୁଁ ଫଟିକ୍ ।

 

–ମୁଁ ମାଧବ ।

 

ବର୍ଷା କବାଟ ଖୋଲିଦେଲା । ବାହାରେ ଦି’ଜଣ: ଆଣ୍ଠୁ ପର୍ଯ୍ୟନ୍ତ ପାଣିରେ ଓଦା ।

 

ବର୍ଷା କହିଲା–ବ୍ୟାପାର କ’ଣ ?

 

ଫଟିକ୍ କହିଲା–ଡାକ୍ତର ଉଭେଇଯାଇଛି ।

 

–କ’ଣ ଯେ ବାଜେକାଥା କହନ୍ତି ଆପଣ ?

 

–ସତ କହୁଛି, ସମଗ୍ର ଦ୍ଵୀପଟି ଆମେ ଟିକିନିଖି କରି ଖୋଜିଲୁଁ ଚନ୍ଦ୍ର ଆଲୋକରେ, ଭୋର୍‍ ଆଲୋକରେ । ଡାକ୍ତରକୁ ଦେଖିବାକୁ ମିଳିଲା ନାହିଁ ।

 

–ଏପରି ତ ହୋଇପାରେ ଯେ ଆପଣ ତାକୁ ବାହାରେ ଖୋଜିଲାବେଳେ ସେ ଘରେ ହାଜିର ।

 

–ନା, ଆମେ ଘରଟା ବି ଖୋଜି ଦେଖିଛୁଁ ।

 

ମାଧବ ଗମ୍ଭୀର ହୋଇ କହିଲା–ବର୍ଷା ଦେବୀ, ଆମେ ଗୋଟାଏ ଜିନଷ......ଫଟୋ ଷ୍ଟାଣ୍ଡ ଡ୍ରଇଂ ରୁମରେ ଦେଖିଆସିଲୁଁ ।

 

–କ’ଣ କ’ଣ ଦେଖିଲେ କହନ୍ତୁ ତ ?

 

ସେଇକଥା ଲେଖା ଅଛି–ଇସ୍‍କା ପାନ ବିବି, ଆମେ ତିନିଜଣ ମେମ୍‍ସାହେବ ବିବି ।

 

ବର୍ଷା କାନ ଦିଓଟି ଚାପି ଚିତ୍କାର କଲା–ପୁଣି, ପୁଣି ସେଇ ଇସ୍‍କା ପାନ ବିବି ।

 

ଦ୍ଵୀପ ଉପରେ ସୁନେଲି ଖରା ବିଞ୍ଛୁଡ଼ି ହୋଇ ପଡିଛି । ଝଡ଼ ଥମିଛି । ମେଘ କଟିଯାଇଛି-। ପାଗ ବଦଳିବା ସଙ୍ଗେ ମନଟା ମଧ୍ୟ ବେଶ୍ ଭଲ ଅଛି ।

 

ସେମାନେ ତିନିଜଣ ସମୁଦ୍ରକୂଳରେ ବସିଛନ୍ତି ।

 

ଫଟିକ୍, ମାଧବ ଓ ବର୍ଷା ।

 

ମନେହେଉଛି ସେମାନେ ଯେପରି ଏକ ଦୁଃସ୍ୱପ୍ନରୁ ମୁଣ୍ଡ ଟେକିଛନ୍ତି । ଆଗରେ ବିପଦ । ସୂର୍ଯ୍ୟର ଆଲୋକ । ଅନ୍ତର ଭିତରର ଯେଉଁ ଭୟ ତାହା ଯେପରି ଆଜି ନାହିଁ ।

 

ମାଧବ କହିଲା–ଦେଖ, କୌଣସି ପ୍ରକାର ସଂକେତ ପଠାଇବା ଦରକାର । ନିଆଁ ଜାଳି ପଠାଇପାରିଲେ କିପରି ହୁଅନ୍ତା ?

 

ବର୍ଷା କହିଲା–ତୀରରୁ କେହି ଦେଖିଲେ ପଠାଇପାରିବେ ନିଶ୍ଚୟ କିଛି ସାହାଯ୍ୟ ।

 

ମାଧବ କହିଲା–ଝଡ଼ ସିନା ଥମିଛି; କିନ୍ତୁ ତରଙ୍ଗଗୁଡ଼ିକର ଯେପରି ପ୍ରବଳ ବେଗ, ଡଙ୍ଗା ଆସିବା ମୁସ୍କିଲ । ସମୁଦ୍ର ଶାନ୍ତ ହେବାକୁ ଅପେକ୍ଷା କରିବାକୁ ପଡ଼ିବ । ଆସନ୍ତା କାଲି ପର୍ଯ୍ୟନ୍ତ ବୋଧହୁଏ ଅପେକ୍ଷା କରିବାକୁ ପଡ଼ିବ ।

 

ବର୍ଷା ଡରିଗଲା । ଆଉରି ଗୋଟାଏ ରାତି ଏଠାରେ ପୁଣି ଅଟକିଯିବାକୁ ପଡ଼ିବ !

 

କରୁଣ ହସ ହସି ମାଧବ କହିଲା–ଆଉ ଉପାୟ କ’ଣ, କୁହ ? ଭଲରେ ଆଉ ଚବିଶଘଣ୍ଟା କଟିଲେ ଯାଇ ଆମେ ଉଦ୍ଧାର ପାଇପାରିବା ।

 

ଫଟିକ୍ କହିଲା–ଡାକ୍ତର ଗଲା କୁଆଡ଼େ ?

 

ମାଧବ କହିଲା–ସେ ମଧ୍ୟ ମୁକ୍ତି ପାଇଛନ୍ତି, ବନ୍ଧୁ !

 

–ପ୍ରମାଣ ?

 

–ଇସ୍‍କା ପାନ ବିବି ।

 

ବର୍ଷା କହିଲା–ତାଙ୍କର ମୃତଦେହ ?

 

–ସେଇ ତ ପ୍ରଶ୍ନ । ଡାକ୍ତରକୁ ହତ୍ୟା କରି କେହି ସମୁଦ୍ରରେ ପକାଇ ଦେଇପାରିଥାଏ ।

 

ମାଧବ କହିଲା–କିନ୍ତୁ କିଏ ? ତମେ ନା ମୁଁ ? ତମେ ତ କାହାର ପଦଶବ୍ଦ ଶୁଣି ଫଟିକ୍ ସାହେବ, ମୋତେ ଡାକିଲ, ଆମେ ତ ବୁଲୁଛୁଁ ।

 

ଫଟିକ୍ କହିଲା–ସେକଥା ସତ; କିନ୍ତୁ ମୁଁ ଗୋଟାଏ କଥା ଜାଣିଛି ।

 

–ବେଶ୍, ଅନୁଗ୍ରହ କରି କହନ୍ତୁ ଫଟିକ୍ ସାହେବ !

 

–ରିଭଲଭର୍‍ଟି ତମ ପାଖରେ ଥିଲା ।

 

–ଆରେ ବୁଦ୍ଧୁ, ତମେ ତ ମୋତେ ସର୍ଚ୍ଚ କରିଛ ?

 

–କୁଆଡ଼େ ରଖିଥିଲ ନିଶ୍ଚୟ ।

 

–କହିଲି ପରା କାଲି ରାତିରେ ସେଇଟା ମୁଁ ଫେରିପାଇଛି । ବଡ଼ ଆଶ୍ଚର୍ଯ୍ୟ ବ୍ୟାପାର ।

 

–ମତେ ବାଜେ କଥା କହନା । ରିଭଲଭର୍‍ଟି ଚୋରିଗଲା, ପୁଣି ତମ ପାଖକୁ ଆସିଲା କିପରି ? ତମେ କ’ଣ ସତରେ ଜାଣନାହିଁ ?

 

–ନା ।

 

–ଭଲ କଥା । କିନ୍ତୁ ସେ ଅସ୍ତ୍ରଟି ବର୍ତ୍ତମାନ ତମ ପାଖରେ ଅଛି । ମୁଁ ଏବଂ ବର୍ଷା ଦେବୀ ବର୍ତ୍ତମାନ ତମର କରତଳଗତ । ତମେ ଯଦି ଏହି ଅସ୍ତ୍ରଟି ସିନ୍ଦୁକ ଭିତରେ ରଖିଦେବ ତେବେ ଭଲ ହେବ ।

 

–ଅସମ୍ଭବ

 

–ଗୋଟିଏ ମାତ୍ର ସିଦ୍ଧାନ୍ତ ସମ୍ଭବ ।

 

–ତମେ ଭାବୁଛ ମୁଁ ରାଜାବାହାଦୁର, ଏଇ ତ ? ତା’ ଯଦି ହୋଇଥାନ୍ତା କାଲି ରାତିରେ ତମକୁ ତ ଖତମ କରିଦେଇଥାନ୍ତି । କ’ଣ ମୋର ସୁଯୋଗ ନ ଥିଲା ?

 

–କାହିଁକି ନ କଲ ତମେ ଜାଣିଛ ।

 

ବର୍ଷା କହିଲା–ମିଛରେ ଯୁକ୍ତିତର୍କ କରି ଲାଭ କ’ଣ ! ଆମ ମୁଣ୍ଡ ଉପରେ ବିପଦ । ମୋର ମନେହେଉଛି ଡାକ୍ତର ମରିନାହାନ୍ତି, କେଉଁଠି ଲୁଚି ରହିଛନ୍ତି ।

ମାଧବ କହିଲା–ଲୁଚିବାର ସ୍ଥାନ କାହିଁ ? ଆମେ ଯେ ସାରା ଦ୍ୱୀପଟା ତନ୍ନ ତନ୍ନ କରି ଖୋଜିଛୁଁ ।

–ରିଭଲଭର୍‍ଟି ଖୋଜି କ’ଣ ପାଇଥିଲେ ?

–ଆହା ବର୍ଷା ଦେବୀ ଗୋଟାଏ ରିଭଲଭର୍‍ ଏବଂ ଗୋଟାଏ ମଣିଷର ଆକାରଗତ ପାର୍ଥକ୍ୟ ତ ରହିଛି !

–ଯାହା କହନ୍ତୁ, ମୋର ଧାରଣା, ଡାକ୍ତର ଲୁଚିରହିଛନ୍ତି ।

ଫଟିକ୍ ଘଡ଼ି ଦେଖି କହିଲା–ଦିନ ଦି’ଟା ହେଲାଣି । ଖାଇବା କଥା କ’ଣ ହେବ ?

ବର୍ଷା କହିଲା–ମୁଁ ସେ ଘରକୁ ଯିବନି ।

–କିଛି ଖାଇବା ତ ପୁଣି ଦରକାର ?

–ଟିଣଖାଦ୍ୟ । ସେକଥା କହନ୍ତୁ ନାହିଁ, ଶୁଣିବାମାତ୍ରକେ ମୋତେ ବାନ୍ତି ଲାଗୁଛି ।

–ମାଧବ, ତମେ କ’ଣ କହୁଛ ?

–ମୋତେ ଭୋକ ଲାଗୁନି, ମୁଁ ଏଇଠି ରହିଲି !

ବର୍ଷା କହିଲା–ଆପଣ ନିଶ୍ଚିନ୍ତ ହୋଇ ଯାଇପାରନ୍ତି । ଆପଣଙ୍କର ଅନୁପସ୍ଥିତିର ସୁଯୋଗରେ ମାଧବ ମୋତେ ଗୁଳି କରିବେ ନାହିଁ ବୋଲି ମୋର ଧାରଣା ।

ଫଟିକ୍ କହିଲା–ମୋ କଥା ହେଲା, ଆମେ ଏକା ସାଙ୍ଗରେ ସର୍ବଦା ରହିବା, ଆମ ଭିତରେ ଇମିତି ରଫାନାମା ହୋଇଛି ତ !

ମାଧବ କହିଲା–ତମେ ଯଦି ଏକୁଟିଆ ମୃତ୍ୟୁପ୍ରାସାଦକୁ ଯିବାକୁ ଇଚ୍ଛା କରୁଛ, ବେଶ୍ ଚାଲ, ମୁଁ ତମ ସହିତ ଯିବି ।

–ନା, ତମେ ଏଇଠି ରହ ।

–ଫଟିକ୍, ତମେ ମୋତେ ଅବିଶ୍ଵାସ କରୁଛ, ନା

–ଏହି ମୁହୂର୍ତ୍ତରେ କ’ଣ ତମ ଦି’ଜଣଙ୍କୁ ମୁଁ ଖୁନ୍ କରିପାରିବି ନାହିଁ ?

–ପାରିବ; କିନ୍ତୁ କରିବି ନାହିଁ । ଜଣକୁ ଜଣକୁ ମାରିବ ଏଇ ତ ଯୋଜନା ତମର ।

–ଦେଖୁଛି, ତମେ ସବୁ ଜାଣିଛ ।

–ଅବଶ୍ୟ ଏକୁଟିଆ ଯିବା ବିପଦପୂର୍ଣ୍ଣ ।

–ଭାବୁଛ କି, ମୋ ରିଭଲଭର୍‍ଟି ତମକୁ ଦେବି ?

–ନା, ଦରକାର ହେବନି । ଫଟିକ୍ ଘର ଆଡ଼କୁ ପାଦ ବଢ଼ାଇଲା ।

ବର୍ଷା କହିଲା–ସେ କିନ୍ତୁ ଏପରି ବିପଦରେ ।

ମାଧବ କହିଲା–ଡାକ୍ତର ପାଖରେ ଅସ୍ତ୍ର ନାହିଁ । ଫଟିକ୍ ଦେହରେ ଖୁବ୍ ବଳ ଅଛି । ସେ ଖୁବ୍ ହୁସିଆର ଗୁଇନ୍ଦା ପୁଲିସ ଅଫିସର । ମୁଁ ଜାଣେ, ଡାକ୍ତର ଏ ପ୍ରାସାଦରେ ନାହିଁ ।

ବର୍ଷା କହିଲା–ଏହାର ସମାଧାନ କ’ଣ ?

–ସମାଧାନ, ଫଟିକ୍ ?

–ଫଟିକ୍ ଗତକାଲି ରାତିରେ ଯାହା କହିଲା, ଭାବି ଦେଖନ୍ତୁ ତ ! ତା’ର କଥା ଯଦି ସତ ହୁଏ । ତା’ହେଲେ ନିଶ୍ଚୟ ସ୍ଵୀକାର କରିବେ ଯେ, ଡାକ୍ତରଙ୍କ ଅନ୍ତର୍ଦ୍ଧାନ ସହିତ ମୁଁ ଜଡ଼ିତ ନୁହଁ । ତା’କଥାରେ ବିଚାରକରି ଦେଖିଲେ ମୁଁ ସନ୍ଦେହମୁକ୍ତ ବୋଲି ଜାଣି ମଧ୍ୟ ସନ୍ଦେହ ଏଡ଼ାଇଯିବାକୁ ଚାହେନା । ସେ ପଦଶବ୍ଦ ଶୁଣିଛି, ଗୋଟିଏ ଲୋକକୁ ଦେଖିଛି, ଏବିଷୟରେ ପ୍ରମାଣ କ’ଣ ? ତା’କଥା ତ ମିଛ ମଧ୍ୟ ହୋଇପାରେ । ଆମକୁ ଡାକିବା ପୂର୍ବରୁ ସେ ହୁଏତ ଡାକ୍ତରଙ୍କୁ ଖତମ୍ କରିଦେଇପାରିଥାଏ ।

–କିପରି ?

–ସେ ଯାହାହେଉ, ମୁଁ ତ କହିପାରିବିନି । ତେବେ ଫଟିକ୍ ସଂପର୍କରେ ସାବଧାନ ହେବା ଆବଶ୍ୟକ ।

–ସେ ଯଦି ଆମକୁ ଆନ୍ତ୍ରମଣ କରେ, ତେବେ...ରିଭଲଭର୍‍ ଦେଖାଇ ମାଧବ କହିଲା–ଯେକୌଣସି ଅବସ୍ଥାର ସମ୍ମୁଖୀନ ହେବା ପାଇଁ ମୁଁ ପ୍ରସ୍ତୁତ ।

ବର୍ଷା ଭୀଷଣ ରାଗିଗଲା । ମାଧବ ତାକୁ ଲକ୍ଷ୍ୟ କରି କହିଲା–ମୋତେ ବିଶ୍ଵାସ କରନ୍ତୁ, ବର୍ଷା ଦେବୀ ! ମୁଁ ଆପଣଙ୍କର କୌଣସି ଅନିଷ୍ଟ କରିବି ନାହିଁ ।

–ଆଛା, ଆପଣଙ୍କର ମନେହୁଏ ନା ଯେ ଆମକୁ କିଏ ଅଲକ୍ଷରେ ଲକ୍ଷ୍ୟ ରଖିଛି ?

–ଏଇଟା ଆମ କ୍ଳାନ୍ତ ସ୍ନାୟୁ-ଦୁର୍ବଳତା ।

–ଆଛା, ଏସବୁ ମୂଳରେ ଯଦି ଥାଏ ଏକ ଆତ୍ମା...ଅଲୌକିକ, ବୁଦ୍ଧିରେ ଯାହାର ବ୍ୟାଖ୍ୟା ଚଳେନ, ଯାହା ଘଟୁଛି ଏସବୁ ମଣିଷର କାମ ନୁଁହେ, ପୂରାପୂରି ଭୌତିକ, ମାନେ ଅଲୌକିକ...

ମାଧବ ହସି କହିଲା–ବର୍ଷା ଦେବୀ, ବିବେକ ବଡ଼ ଆଶ୍ଚର୍ଯ୍ୟ ପଦାର୍ଥ । ଆଛା, ସେହି ଶିଶୁ ବୁବୁନ୍‍ର ମୃତ୍ୟୁ ପାଇଁ ଆପଣ ଦାୟୀ ଥିଲେ । ନିଶ୍ଚୟ କୌଣସି ହୃଦୟଘଟିତ ବିଷୟ ସହିତ ବ୍ୟାପାରଟି ଜଡ଼ିତ । ନୁହେଁ କି ?

ବର୍ଷାର ମନେହେଲା ସେ ଭୀଷଣ କ୍ଳାନ୍ତ । ତା’ପରେ ଅଜଣାରେ ତା ମୁହଁରୁ ବାହାରିପଡ଼ିଲା–ହଁ, ହଁ, କଥାଟା ସତ ।

ଗୋଟାଏ ଆର୍ତ୍ତନାଦ ଶୁଭିଲା । ମାଧବ ଉଠି କହିଲା–ପ୍ରାସାଦ ଆଡ଼ୁ ଏ ଶବ୍ଦଟି ଆସିଲା ତ ?

–ହଁ, ସେଇଆଡ଼େ ମନେହେଲା ।

–ଚାଲନ୍ତୁ ଯିବା ।

ବର୍ଷା ମାଧବର ହାତ ଧରି କହିଲା–ନା, ନା ।

ମାଧବ କହିଲା–ନା, ନା, ମୁଁ ଯିବି । ଦୁହେଁ ଶେଷରେ ପ୍ରାସାଦ ଅଭିମୁଖେ ବାହାରିଲେ । ସେମାନେ ଘର ଭିତରେ ପଶିଲେ । ପୂର୍ବଦିଗ ବାରଣ୍ଡାକୁ ଯାଇ ସେମାନେ ଦେଖିଲେ ଯେ ଫଟିକ୍ ମାଟି ଉପରେ ହାମୁଡ଼ି ପଡ଼ିଚି । ଦୁଇଟା ହାତ ଦୁଇପାଖରେ । ମୁଣ୍ଡଟା ଯେମିତି ଚେପ୍‍ଟା ହୋଇଯାଇଛି ।

ବର୍ଷା ଅଟକିଗଲା ।

ମାଧବ କହିଉଠିଲା–ସନ୍ଦେହ ନାହିଁ ଏ ସେହି ପାଗଳ ଡାକ୍ତରର କାଣ୍ଡ । ମୁଁ ଯାଉଛି ଖୋଜିବାକୁ ।

ହଠାତ୍ ବର୍ଷା ମାଧବକୁ କୁଣ୍ଢାଇ ଧରି କହିଲା–ପାଗଳାମି କରନା । ଏହାପରେ ଆମ ଉପରେ ତା’ର ପାଳି । ଦେଖୁନ ଫଟିକ୍ ଉପରେ ସେଇ...ସେଇ ଇସ୍‍କା ପାନ ବିବିର କାର୍ଡ଼ । ଖୁନୀ ଚାହେଁ ଯେ ଆମେ ତାକୁ ଖୋଜିବା ଏବଂ ଏହି ସୁଯୋଗରେ ସେ ଆମକୁ ଖତମ କରିବ ।

 

ମାଧବ କହିଲା–ଠିକ୍ କହୁଛ । ତେବେ ଚାଲ ସମୁଦ୍ର କୂଳକୁ । ସେମାନେ ପୁଣି ଯାଇ ବସିଲେ ସମୁଦ୍ର କୂଳରେ । ବ୍ୟବଧାନ ନରଖି ଦି’ଜଣ ଲଗାଲଗି ହୋଇ ବସିଲେ । ମାଧବ କହିଲା–ଏଇଟା ନିଶ୍ଚୟ ଡାକ୍ତରର ବ୍ୟାପାର । କାଲି କେତେ ତାକୁ ଖୋଜିଛୁଁ !

 

–ମୋର ମନେହୁଏ ସେଇ ଘରେ ଡାକ୍ତର ଲୁଚିରହିଚି । ଘରଟା ତ ପୁରୁଣା । ହୁଏତ କେଉଁ ଭିତରେ ଲୁଚି ରହିଥିବ ।

 

–ତେବେ ଖୋଜିଲେ କିପରି ହୁଅନ୍ତା ?

 

ବର୍ଷା କହିଲା–ଫଟିକ୍ ଗୁଇନ୍ଦା ପୁଲିସ ଅଫିସର । ସେ କ’ଣ ସତର୍କତା ଅବଲମ୍ବନ କରିନାହିଁ ! ତମେ ଭୁଲିଯାଅ ନା ଡାକ୍ତରଟା ପୂରାପୂରି ପାଗଳ । ବୁଦ୍ଧିମାନ ସୟିତାନ ପାଲଟିଛି ତେଣୁ ।

 

ମାଧବ ଚୁପ୍ ହୋଇ ରହିଲା ।

 

–ରାତିରେ କଣ କରାଯିବ ? ପଚାରିଲା ମାଧବ ।

 

–ଭାବିଲେ କଣ ହେବ ! ମୋତେ ବଡ଼ ଭୟ ଲାଗୁଛି ।

 

–ଆଜିର ପାଗଟା ଭଲ । ରାତିରେ ଚନ୍ଦ୍ରର ଆଲୋକ । ଆମେ ରାତିସାରା ଅନାଇ ରହିବା । ସେ ଘରେ ଆଉ ନୁହଁ । ବାହାରେ ଗୋଟାଏ ଜାଗା ଖୋଜିନେବା ।

 

ବର୍ଷା କହିଲା–ବେଶ୍, ତା’ହେଲେ ଚାଲ ଟିକିଏ ବୁଲିବା ।

 

ସେମାନେ ଦି’ଜଣ ହାତ ଧରାଧରି କରି ଉଠିପଡ଼ିଲେ । ସେମାନେ ବୁଲିଲେ ବହୁତ ସମୟ ।

 

–ସମୁଦ୍ରରେ ଗାଧୋଇବାକୁ ଖୁବ୍ ଭଲ ଲାଗେ । କଣ ଭାବୁଛ ଏତେ...କଣ ?

 

ମାଧବ ଯେପରି ଚିନ୍ତାରୁ ଉଠି କହିଲା–ବର୍ଷା, ବର୍ଷା, ଏଇଟା କଣ କୁହ ତ ? ସେଇ ସମୁଦ୍ରକୂଳରେ ...ଦେଖିପାରୁଛ ?

 

–ବୋଧହୁଏ ସାମୁଦ୍ରିକ ଲତା ।

 

–ଚାଲ ଟିକିଏ ଆଗେଇଯିବା, ଚାଲ ତ ।

 

–ମୋତେ କିନ୍ତୁ କିଛି ଅସ୍ୱାଭାବିକ ବୋଲି ମନେ ହୁଏନା । ତେବେ...

 

ଝୁଙ୍କିପଡ଼ିଲା ମାଧବ–ନା, ନା, ଏ ତ ଲତା ନୁହେଁ, ଏ ଯେ...

 

ବର୍ଷା ଚମକିଉଠିଲା–ଏଇ ତ ସେଇ କାର୍ଡ଼ଟି ! ଦେଖୁଛ ମାଧବ, ଦେଖୁଛ, ଇସ୍‍କା ପାନ ବିବି !

 

–ପୋଷାକ ନୁହଁ । ଜଳମଗ୍ନ ଗୋଟିଏ ବ୍ୟକ୍ତିର ମୃତଦେହ । ଜୁଆରରେ ଏଠାରେ ଲାଗିଛି ।

 

ମୃତ ଦେହଟିର କୌଣସି ଅଂଶ ବିକୃତ ହୋଇନାହିଁ । ବର୍ଷା ଝୁଙ୍କି ପଡ଼ିଲା । ଏ ତେବେ କିଏ ? କିଏ ?

 

ଡାକ୍ତର ଦୁର୍ଗାମାଧବ !!

 

ତା’ପରେ ସେମାନେ ଆଖି ଫେରାଇନେଲେ ଡାକ୍ତରର ମୃତ ଦେହରୁ । ପରସ୍ପରକୁ ଅନାଇଲେ ।

 

ବରିକୁଦ ନିର୍ଜନ ଦ୍ୱୀପରେ ରହିଲେ ଗୋଟିଏ ପୁରୁଷ ଓ ଗୋଟିଏ ନାରୀ–ଦୁଇଜଣ !

 

ବର୍ଷା କହିଲା–ଏ ଦ୍ଵୀପରେ ଆମ ଦି’ଜଣଙ୍କ ଛଡ଼ା ଆଉ କେହି ନାହିଁ ।

 

ମାଧବ କହିଲା–ଠିକ୍ ଆମେ ଦି’ଜଣ ।

 

ବର୍ଷା ମାଧବ ଆଡ଼କୁ ଅନାଇଲା । ତା ମନରେ ପ୍ରବଳ ତରଙ୍ଗ, ଏଇ ଖୁନୀଟାକୁ ବିଶ୍ୱାସ କରୁଛି ସେ ! ଏଇଟା ଯେ ଚିତାବାଘ...ଭୟଙ୍କର । ସେ ମନେ ମନେ ଯେପରି କଣ ଠିକ୍ କରିପକାଇଲା ।

 

ସେ ମାଧବ ଆଡ଼କୁ ଆଗେଇଯାଇ କହିଲା–ଶୁଣ, ଶୁଣ ।

 

ଏ କି ରୂପାନ୍ତର ! ମୋହିନୀ ରୂପ ! ସେ ମାଧବର ବୁକୁ ଉପରେ ଲୋଟିପଡ଼ିଲା । ମାଧବର ହୃଦୟରେ ମଧୁର ସ୍ପର୍ଶ ଲାଗିଲା । ଆଚ୍ଛା, ବିଚରା ଡାକ୍ତର ପାଇଁ ତମର କଣ ଦୟା ହୁଏନା ?

 

–କଣ ଆଉ କରାଯିବ ?

 

–ଚାଲ ନା, ଦି’ଜଣ ମିଳି ତା’ ଦେହଟା ଘରେ ରଖିଦେବା ।

 

ବର୍ଷା କହିଲା–ନା, ନା ।

 

–ପାଣିରୁ ଉଠାଇ ପଥର ଉପରେ ରଖାଯାଉ ।

 

–ଆପତ୍ତି ନାହିଁ ।

 

ବର୍ଷା ମାଧବକୁ ସାହାଯ୍ୟ କଲା । ଡାକ୍ତରର ଶବଟା ବଡ଼ କଷ୍ଟରେ ଉପରକୁ ଅଣାଗଲା-। ଅବଶେଷରେ ମାଧବ ଡାକ୍ତରର ଦେହଟା ରଖିଲା ଉଚ୍ଚ ଜାଗାରେ । ପ୍ରକୃତିର ନିଜ ହାତରେ ତିଆରି ବିଛଣାରେ ଶୋଇରହିଲେ କ୍ଳାନ୍ତ ଡାକ୍ତର ଦୁର୍ଗାମାଧବ ।

 

ମାଧବ କ୍ଳାନ୍ତ । କପାଳରେ ବିନ୍ଦୁ ବିନ୍ଦୁ ଝାଳ । ମୁହଁଟା ପୋଛିନେବା ଦରକାର । ରୁମାଲ ପାଇଁ ମାଧବ ପକେଟରେ ହାତ ମାରିଲା । ବାହାରିଆସିଲା ହାତରେ ଇସ୍‍କା ପାନ ବିବି ।

 

ସର୍ବନାଶ ! ରିଭଲଭର୍‍ଟି ଗଲା କୁଆଡ଼େ ?

 

ଟିକିଏ ଦୂରରେ ଠିଆ ହୋଇଛି ବର୍ଷା ।

 

ହାତରେ ଉଦ୍ୟତ ରିଭଲଭର୍‍ !

 

ମୋହିନୀ ପାଲଟିଛି ନାଗୁଣୀ ।

 

ମାଧବ କହିଉଠିଲା–ଓ ! ଏଇଥର ତମର ଉଦ୍ଦେଶ୍ୟ ବୁଝାଗଲା ।

 

ସ୍ଥିର ଭାବରେ ଠିଆ ହୋଇଛି ବର୍ଷା ।

 

–ସୁନାଝିଅଟି ପରି ରିଭଲଭର୍‍ଟି ଫେରାଇଦିଅ ।

 

ଖିଲି ଖିଲି ହସିଉଠିଲା ବର୍ଷା । ସେ ହସରେ ଥରିଉଠିଲା ବରିକୁଦ ଦ୍ଵୀପର ଆକାଶ–ବର୍ଷା ପାଗଳାମି କରେନା । କଥା ଶୁଣ ।

 

ମାଧବର ଦେହରେ ଗମ୍ ଗମ୍ ଝାଳ । ମୁଣ୍ଡରୁ ଥପ୍ ଥପ୍ ସ୍ୱେଦବିନ୍ଦୁ ଝରିପଡ଼ୁଛି । ଓଠ ଦି’ଟା ଶୁଖିଯାଇଛି । ନିଶ୍ଵାସ ନେବାକୁ ଯେପରି ସେ କଷ୍ଟ ଅନୁଭବ କରୁଛି । ଏହି ପାଗଳିନୀଟାକୁ କିପରି ବୁଝାଇବ ଯେ ସେ ନିର୍ଦ୍ଦୋଷ...ନିରପରାଧ !

 

ମାଧବ ଦେଖିଲା, ନା ଅନୁନୟ ବିନୟରେ ଏହାକୁ ଜବତ୍ କରିବା କଷ୍ଟ । ତେଣୁ ବର୍ଷା ଯେତେବେଳେ ଟିକିଏ ଅନ୍ୟମନସ୍କ ହେଲା, ସେ ତା ଉପରେ ଝାମ୍ପିପଡ଼ିଲା...

 

–ଦିଅ ରିଭଲଭର୍‍ ।

 

–ନିଅ ।

 

ଟ୍ରିଗାର ଟିପିଦେଲା ବର୍ଷା । ମାଟି ଉପରେ ଲୋଟିପଡ଼ିଲା ନିରପରାଧ ମାଧବର ମଲାଦେହ ।

 

ବର୍ଷା ରିଭଲଭର୍‍ଟି ଅଣ୍ଟାରେ ଗୁଞ୍ଜି ବୁକୁଭରି ନିଃଶ୍ୱାସ ନେଲା । ଏହି ବରିକୁଦ ଦ୍ଵୀପରେ....ଏହି ପ୍ରାସାଦରେ....ଏହି ଇଲାକାରେ ସେ ଏକା–ଏକୁଟିଆ । ଆଉ ନଅଜଣ ମୃତ । ସମୁଦ୍ରଧାରରେ ଚୁପ୍‍କରି ବସିରହିଲା ଅନେକ ସମୟ ।

 

ସୂର୍ଯ୍ୟ ଅସ୍ତ ହେଲା ।

 

ଠିଆ ହେଲା ବର୍ଷା । ଘରକୁ ଫେରିଯିବ ସେ । ସେହି ପ୍ରାସାଦକୁ ଫେରିଯିବ । ଆଉ ଭୟର କାରଣ ନାହିଁ । ଘରେ ଆଉ କଣ ଭୟ ଅଛି ?

 

ବର୍ଷା ଅନୁଭବ କଲା ଭୀଷଣ କ୍ଳାନ୍ତି । ଭୋକ ଲାଗୁଛି ଖୁବ୍ । ଭୋକ କଥା ସେ ଭୁଲିଯାଇଥିଲା । ହୁଏତ ଆଗାମୀ କାଲି ଆସିବ ବୋଟ୍ । ଆଉ ଦୁଇଦିନ ଡେରି ହେଉ । ଯେବେ ଆସୁ, ଭୟର କାରଣ ନାହିଁ । ବର୍ଷା ଏକା–ନିର୍ଭୟ ।

 

ଘର ଆଡ଼କୁ ପାଦ ବଢ଼ାଇଲା ବର୍ଷା । ସୂର୍ଯ୍ୟ ଅସ୍ତ । ଆକାଶର ରଙ୍ଗ ଲାଲ । ସୁନ୍ଦର ଶାନ୍ତ ।

 

ଏକତାଲାର ବାରଣ୍ଡାରେ ଉଠିଲା ବର୍ଷା । ନା, ସେ ଫଟୋଷ୍ଟାଣ୍ଡ ଆଡ଼କୁ ଅନାଇଲା ନାହିଁ । ତା’ପରେ ଇସ୍‌କା ପାନ ବିବି ଆଡ଼କୁ ଆଗେଇଗଲା ।

 

ଯତ୍ନ କରି ମୁହଁପାଖକୁ ଉଠାଇଲା । ଗାଲରେ ସ୍ପର୍ଶ ଦେଲା । ତା’ପରେ ବୁକୁରେ ଚାପି ଧରିଲା । ଓଃ, କି କ୍ଳାନ୍ତି ! ପାଦ ଯେ ଆଉ ଉଠୁନାହିଁ ।

 

ପରେ ସେ ଉଠିଲା ଧୀରେ । ସେଇ ଲେଖାଟି ତା’ର ମନେପଡ଼ୁଛି । ଇସ୍‌କା ପାନ ବିବି, ଆମେ ନା, ନା, ଜଣେ ରହିଲା ସେ ମେମ୍‍ ନା ସାହେବ ନା ବିବି ?

 

ଏଥର ସେ ପ୍ରେମକୁମାରକୁ ବାହାହେବ । ଆଃ, ପ୍ରେମକୁମାରର କି ସ୍ପର୍ଶ, କି ତୃପ୍ତି !

 

ତା’ପରେ ମନେପଡ଼ିଲା ସଦ୍ୟ ହତ୍ୟାର ଘଟଣା । ସେ ମାଧବକୁ ଖୁନ୍ କରିଛି । ଏଇ ରିଭଲଭଲରରେ ତା’ର ମୁଣ୍ଡଟି ଛତୁ କରିଦେଇଛି ।

 

କିନ୍ତୁ କାହିଁକି କାହିଁକି କାହିଁକି ?

 

ସେ ତ ବର୍ଷା ପ୍ରତି ଖରାପ ଆଚରଣ କରିନି । ତେବେ ?

 

ବର୍ଷା ଘର ଭିତରେ ପଶି ଦେଖେ, ଘର ସିଲିଂରୁ ଗୋଟିଏ ଦଉଡ଼ି ଝୁଲୁଛି । ଦଉଡ଼ି ମୁଣ୍ଡରେ ଗୋଟାଏ ଫାଶ । ଆଉ ତା ତଳରେ ଗୋଟାଏ ଚେୟାର !

 

ବର୍ଷା କ୍ଳାନ୍ତ ।

 

ଆଗେଇଗଲା, ଚେୟାର ଉପରେ ଠିଆହେଲା । ତା’ପରେ ଫାଶଟି ପିନ୍ଧାଇଦେଲା ତା ବେକରେ କିଏ ?

 

ହଠାତ୍ ବର୍ଷାର ଖିଆଲ ହେଲା । ଅଣ୍ଟାରୁ ରିଭଲଭର୍‍ଟି ବାହାର କରି ଏକ ଅଦୃଶ୍ୟ ଛାୟାକୁ ଲକ୍ଷ୍ୟ କରି ବାର ବାର ଫୁଟାଇଲା ।

 

କିଏ ଯେପରି ତା ପାଦତଳର ଚେୟାରଟି ଖସାଇନେଉଛି । ଝୁଲିପଡ଼ିଲା ବର୍ଷାର ମୃତ ଦେହ ।

 

ଏ ଖବରଟି ଯେତେବେଳେ କଲିକତା ଓ ଦିଲ୍ଲୀ ପୁଲିସ ହେଡ୍‍କ୍ୱାଟର୍ସରେ ପହୁଞ୍ଚେ ସେମାନେ ଆସି ତନ୍ନ ତନ୍ନ କରି ଲକ୍ଷ୍ୟ କଲେ । ତା’ପରେ ଜଣାପଡ଼ିଲା ଯେ ପ୍ରକୃତରେ ବରିକୁଦର ରାଜାବାହାଦୁର ଏ ହତ୍ୟାକାଣ୍ଡ ଘଟିବାର ଛ ମାସ ଆଗରୁ ଏ ଦ୍ଵୀପଟିକୁ ବିକ୍ରୟ କରିଦେଇଛନ୍ତି ।

 

ସ୍ଵତନ୍ତ୍ର ଗୋଇନ୍ଦା ପୁଲିସ ଅଫିସରମାନେ ଆସି ପ୍ରତିଟି ଜିନିଷ ପରୀକ୍ଷା କରିବାକୁ ଲାଗିଲେ । କିଏ କାହାକୁ ହତ୍ୟା କରିଛି ଏବଂ କାହାକୁ କିପରି ଭାବରେ ହତ୍ୟା କରାହୋଇଛି କୌଣସି ପ୍ରଶ୍ନର ସମାଧାନ ହୋଇପାରିଲା ନାହିଁ । ଖବର ନିଆଗଲା ଯେ ଝଡ଼ ଥମିଲା ପରେ ବୋଟ୍‍ଟି ଆସି ଏ ସବୁ ଦେଖି ପୁଲିସ କର୍ତ୍ତୃପକ୍ଷଙ୍କୁ ଜଣାଇଛି ।

 

ପୁଲିସ ଗୋଇନ୍ଦା ସଂସ୍ଥା ଏହି ପ୍ରକାର ସାବ୍ୟସ୍ତ କରନ୍ତି–

 

କୌଣସି ଏକ ଲୋକ ଦ୍ଵୀପରେ ସର୍ବଦା ଥିଲା । ଏହି ଦଶଜଣଙ୍କ ମୃତ ପାଇଁ ସେ ଦାୟୀ-। ଦଶଜଣଙ୍କୁ ମାରିସାରିବା ପରେ ମଧ୍ୟ ସେ ଥିଲା ଦ୍ୱୀପରେ । ତା’ପରେ ତା’ର କୌଣସି ଖବର ନାହିଁ । ମୃତ୍ୟୁ ବ୍ୟକ୍ତିମାନଙ୍କର ଡାଏରୀ ପରୀକ୍ଷା କରାଗଲା । ବର୍ଷା ଓ ବିନୋଦିନୀ ତାଙ୍କ ଡାଏରୀରେ ଇସ୍‍କା ପାନ ବିବି ବୋଲି ଏକ ଶବ୍ଦ ବ୍ୟବହାର କରିଛନ୍ତି । ଏଇଟି ପୁଣି କ’ଣ ? ଉଦ୍ଧାରକାରୀ ଦଳ ବରିକୁଦ ଦ୍ଵୀପରେ ପହୁଞ୍ଚିବା ପୂର୍ବରୁ କେହି କୁଆଡ଼େ ଯାଇପାରିନାହାନ୍ତି ।

 

ସରକାରଙ୍କୁ ରିପୋର୍ଟ ଗଲା ଯେ–ବରିକୁଦ ଦ୍ଵୀପରେ ଯେଉଁ ହତ୍ୟାକାଣ୍ଡ ଘଟିଛି, ଏହା ଫଳରେ ଦଶଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ସେମାନଙ୍କର ଇତିବୃତ୍ତରୁ ଜଣାପଡ଼େ ଯେ ସମସ୍ତେ ସମ୍ମାନସ୍ଥାନୀୟ ବ୍ୟକ୍ତି, ଭଦ୍ରବ୍ୟକ୍ତି ।

 

ଏହି ହତ୍ୟାକାଣ୍ଡ କିଏ ଘଟାଇଛି ତାହା ଗୁଇନ୍ଦା ବିଭାଗ ଦେଖାଇବାରେ ଅସମର୍ଥ । ହତ୍ୟାକାରୀର କୌଣସି ପ୍ରକାର ଚିହ୍ନ ପ୍ରକାଶ ପାଇନି । ତେବେ ହତ୍ୟାକାରୀ କିଏ ? ଖୁନୀ କିଏ ? ଆତତାୟୀ କିଏ ?

 

ଶେଷ କଥା

 

ନୋଳିଆମାନେ ଗଭୀର ସମୁଦ୍ରରେ ମାଛ ଧରନ୍ତି । ସେମାନେ ମାଛ ମାରିବାକୁ ଯାଆନ୍ତି, ଫେରନ୍ତି ରାତିରେ । ତାଙ୍କ ସାଙ୍ଗରେ ପକ୍ଷୀ ଶିକାର କରିବାକୁ ଅନେକ ଶିକାରୀ ମଧ୍ୟ ଯାଆନ୍ତି । ଚିଲିକାବକ୍ଷରେ କେତେ ସୁନ୍ଦର ପକ୍ଷୀ ! କି ସୁନ୍ଦର ଶୋଭା !

 

ଦଳେ ଶିକାରୀ ପକ୍ଷୀ ମାରିବାକୁ ଯାଇଥିଲେ । ଡଙ୍ଗାଟି ଚାଲିଥାଏ ଧୀର ମନ୍ଥର ଗତିରେ । ସେ ଭିତରେ ଜଣେ ଥା’ନ୍ତି ବୟସ୍କ ବ୍ୟକ୍ତି । ସେ ତାଙ୍କର ଯୁବକ ବନ୍ଧୁକୁ ହାତ ଠାରି ଦେଖାଇ କହିଲେ–ଏଇ ଯେଉଁ ଦୂରରେ ଦେଖୁଛ, ସେଇଟା କି ଦ୍ଵୀପ, ଜାଣିଛ ?

 

ନୋଳିଆ ଚୁପ୍ ଚୁପ୍ କରି କହିଲା–ବାବୁ ଚୁପ୍‍ଚାପ୍, ମା କାଳିଜାଈ, କାଳିଜାଈ ! ସେ ବରିକୁଦ ଦ୍ଵୀପ କଥା କୁହନା । ସେଠାରେ ମା କାଳିଜାଈ, ଇସ୍‍କା ପାନ ବିବି ! ଏଇ ବିବି ନେଇ ଯେତକ କାଣ୍ଡ ଆଜ୍ଞା ! ବହୁଦିନ ତଳର କଥା ।

 

ବୃଦ୍ଧଟି ଯୁବକକୁ ହସି ହସି କହିଲେ–ବନ୍ଧୁ, ଶୁଣୁଛ ନୋଳିଆ କଥା ! ଏହା ଅଯଥା ଭାବବୋଧ । ଏ ଦ୍ଵୀପରେ ଆଜକୁ ବହୁବର୍ଷ ପୁର୍ବେ ଯେଉଁ ଘଟଣା ଘଟିଥିଲା ତା’ର ଏକ ବିବରଣୀ ଏବେ ସରକାରଙ୍କ ହାତକୁ ଆସିଛି । ଏକ ଆଲୁମିନିୟମ ବୋତଲରେ ଏଇଟି ସମୁଦ୍ରରେ ଭାସୁଥିଲା-। ଏଇ ତ ତା’ର ଗୋଟାଏ ନକଲ ମଧ୍ୟ ମୋ ପାଖରେ ଅଛି । ମୋର ତଦନ୍ତ ସରିଯାଇଛି । ତମେ ପଢ଼ । ଏଇଟି ମିଳିଛି ଗୋଟିଏ ନୋଳିଆ ପାଖରୁ । ସେ ଝଡ଼ରେ ସମୁଦ୍ରରେ ପାଇ ପୁଲିସ ଜିମା କରିଥିଲା ।

 

ଯୁବକ ପଢ଼ିଲେ ପ୍ରତିଲିପିଟି :

 

ପିଲାବେଳୁ ମୁଁ ଅନ୍ତରରେ ବିପରୀତ ଦ୍ଵନ୍ଦ୍ୱ ଅନୁଭବ କରୁଛି । ମୁଁ ମୋର ବକ୍ତବ୍ୟ ସମୁଦ୍ରଗର୍ଭରେ ଭସାଇ ଦେଇଗଲି । ଗୋଟାଏ ବୋତଲ ଭିତରେ ଏହି ବକ୍ତବ୍ୟ ବନ୍ଦ କରି ଜଉମୁଦ ଦେଇ ପାଣିରେ...ସମୁଦ୍ରରେ ଭସାଇଦେଲି । ଦିନେ ହୁଏତ ଏହା ଲୋକଲୋଚନରେ ଆସିବ । ମୁଁ କିନ୍ତୁ ନ ଥିବି ।

 

ପିଲାବେଳେ ମୁଁ ଛୋଟ ଛୋଟ ଜୀବଜନ୍ତୁଙ୍କୁ କଷ୍ଟ ଦେବାକୁ ଭଲ ପାଉଥିଲି । ବଡ଼ ହେବାପରେ ହତ୍ୟା କରିବାର ପ୍ରବଳ ବେଗ ଅନୁଭବ କଲେ ମଧ୍ୟ ନିରପରାଧ ପ୍ରତି ଥିଲା ମୋର ଗଭୀର ସହାନୁଭୂତି ।

 

ମୁଁ ନିରପରାଧକୁ ରକ୍ଷା କରିଛି ଏବଂ ନିୟମଲଙ୍ଘନକାରୀକୁ ଶାସ୍ତି ଦେଇଛି ।

 

ବିପରୀତ ଏବଂ ପରସ୍ପରବିରୋଧୀ ବୃତ୍ତିଗୁଡ଼ିକ ମୋ ମନରେ ସର୍ବଦା ଦ୍ଵନ୍ଦ୍ୱ ସୃଷ୍ଟି କରେ-। ମୋତେ ସବୁଦିନ ଗୋଟାଏ ହତ୍ୟାଲୀଳା କରିବାକୁ ପ୍ରଲୁବ୍ଧ କରେ ।

 

ମୁଁ ଭାବିଛି, ମୁଁ ଏପରି ଏକ ହତ୍ୟାଲୀଳା କରିବି, ସେ ନାଟକର ମୁଁ ହେବି ରଚୟିତା, ପରିଚାଳକ ଓ କର୍ମକର୍ତ୍ତା ।

 

ମୁଁ ଇଜ୍‍ଲାସରୁ ରିଟାୟାର୍ଡ଼ ହେଲି । ମୋତେ ପ୍ରଚୁର ଅବସର ମିଳିଲା । ମୁଁ ତ ବିବାହ କରି ନ ଥିଲି ତେଣୁ ମୋର ପ୍ରୟୋଜନ କମ୍ ଥିଲା । ଦେହଟା ବି ଭଲ ନ ଥିଲା । ମୁଁ ଅନୁଭବ କରୁଥିଲି ଯେ ମୋର ଆୟୁ ଶୀଘ୍ର କମିଯାଉଛି ।

 

ଶେଷରେ ଦିନେ ସୁଯୋଗ ଆସିଲା ।

 

ମୋର ମନର ପୁରାତନ ଦ୍ଵନ୍ଦ୍ୱ ସଜାଗ ହୋଇଉଠିଲା । ଆଇନ ଯେଉଁ ଅପରାଧର ସ୍ପର୍ଶ ପାଏନା, ଅର୍ଥାତ୍ ଅନେକ ଅପରାଧୀ ଅଛନ୍ତି ଯେଉଁମାନଙ୍କୁ ଆଇନ କାବୁ କରି ପାରେନା ଏହିପରି ଜଣଜଣଙ୍କର ଖବର ନେଲି । ଦଶଜଣଙ୍କର ଘଟଣା । ଏମାନେ ଅପରାଧୀ କିନ୍ତୁ ଆଇନ ଆଖିରେ ଏମାନେ ନିର୍ଦ୍ଦୋଷ–ସମାଜର ବେଶ୍ ସୁସ୍ଥ ବ୍ୟକ୍ତି ।

ମୋର ଦଶମ ଅପରାଧୀ ହେଲା ମରିସ୍ । ସେ ଚୋରା କାରବାର, ଚୋରା ମାଲ ବିକ୍ରି କରେ ଏବଂ ଆହୁରି ଅନେକ ନିଷିଦ୍ଧ କାରବାର କରେ ।

ମୁଁ ଏହି ମରିସ୍‍ଦ୍ଵାରା ଓଡ଼ିଶାର ଚିଲିକା କୂଳରେ ସମୁଦ୍ର ଭିତରେ ବରିକୁଦ ଦ୍ଵୀପ କିଣିପକାଇଲି । ଯେଉଁମାନେ ଏହି ଦ୍ଵୀପକୁ ଆସିଥିଲେ ସେମାନେ ରାଜାବାହାଦୁରକୁ ଜାଣି ନ ଥିଲେ ମଧ୍ୟ ପଦମର୍ଯ୍ୟାଦା ପାଇଁ ଆସିଥିଲେ । ସତକଥା କହିଲେ, ଅଳ୍ପ ସମୟ ପୂର୍ବେ ରାଜାବାହାଦୁରଙ୍କ ମୃତ୍ୟୁ ଘଟିଥିଲା ଏବଂ ସ୍ୱୟଂ ମହାରାଣୀ ଏ ନଅର ଛାଡ଼ି ଚାଲିଯାଇଥିଲେ ।

ବରିକୁଦ ଦ୍ଵୀପକୁ ଯିବା ପୂର୍ବରୁ ମରିସ୍‍କୁ ମୁଁ ନିଦ କାପ୍‍ସୁଲ ଦେଇଥିଲି । ବୋଧହୁଏ ସେ ନିଦରୁ ଆଉ ସେ ଉଠିନାହିଁ । ଆପରାଧର ଗୁରୁତ୍ଵ ଅନୁସାରେ ସେମାନଙ୍କର ମୃତ୍ୟୁ ଘଟିଥିଲା ।

ପ୍ରଥମେ ପ୍ରବୀଣକୁମାର ଓ ରଘୁନାଥର ସ୍ତ୍ରୀ ମାଳତୀର ମୃତ୍ୟୁ ହେଲା । ଏମାନଙ୍କର ମୃତ୍ୟୁ ହେଲା ଯନ୍ତ୍ରଣାଘାତ ।

ଗ୍ରାମୋଫୋନ୍ ରେକର୍ଡ଼ ଚାଲିଥିଲାବେଳେ ପ୍ରବୀଣକୁମାରର ପାତ୍ରରେ ଦେଇଥିଲି ପୋଟାସିୟମ୍ ସାଇନାଇଡ୍‍ । ରଘୁନାଥ ସ୍ତ୍ରୀ ମାଳତୀର ବ୍ରାଣ୍ଡିରେ ମିଶାଇଥିଲି ନିଦର ଔଷଧ ।

ନେତା ମଥୁରାନନ୍ଦକୁ ହତ୍ୟା କରିବାରେ ମୁଁ ଦୁଃଖ ଅନୁଭବ କରିନି । କାରଣ ଏହି ନେତାଗୁଡ଼ିକ ହିଁ ଆମ ଦେଶର ଶୟତାନ, ପାଜି, ଦୁଃଖର କାରଣ । ସମୟ ପଡ଼ିଲେ ଏମାନେ ଆଇନକୁ କବଳିତ କରନ୍ତି ଆଉ ଦୁଷ୍ଟ ଲୋକକୁ ପ୍ରଶ୍ରୟ ଦିଅନ୍ତି । ମୁଁ ମଥୁରାନନ୍ଦ ପଛରେ ଠିଆ ହୋଇ ସାମାନ୍ୟ ଆଘାତ ଦେଲି, ବେଶ୍ ସେତିକିରେ ଶେଷ ।

ରଘୁନାଥ ବିଦାୟ ନେଲା ।

ତାକୁ ଯେତେବେଳେ ଖୋଜା ଚାଲିଛି ମୁଁ ରିଭଲଭର୍‍ଟି ଡ୍ରୟାରରୁ ନେଇ ପଳାଇଥିଲି, ଆଉ ଶ୍ରୀମତୀ ବିନୋଦିନୀର କଫିରେ ମିଶାଇଦେଇଥିଲି ନିଦ ଔଷଧ । ନିଦରେ ଅଚେତନ ହେବା ପୂର୍ବରୁ ତାକୁ ଦେଲି ଏକ କଡ଼ା ସାଇନାଏଡ୍‍ ସଲିଉସନର ଇଞ୍ଜେକ୍‍ସନ୍ ।

ଆମ ଦଳ ଭିତରେ ସବୁଠାରୁ ବେଶି ମର୍ଯ୍ୟାଦା ଥିଲା ଡାକ୍ତରର, ମୋତେ ବାଦ୍ ଦେଲେ-। ତା’ସହିତ ଘନିଷ୍ଠତା ହେଲା । ସେ ମାଧବକୁ ସନ୍ଦେହ କରୁଥଲା ।

ତାକୁ ମୁଁ ଗୋଟିଏ ପ୍ରସ୍ତାବ ଦେଲି–ଖୁନୀକୁ ଧରିବାର ଏକ ଫନ୍ଦି ଦରକାର । ଛଳନାରେ ମୋର ମୃତ୍ୟୁ ହେଲା ବୋଲି କହିଦେଲେ ସମସ୍ତଙ୍କ ଅଲକ୍ଷ୍ୟରେ ସମସ୍ତଙ୍କ ଉପରେ ଲକ୍ଷ୍ୟ କରିବାର ସୁଯୋଗ ପାଇବି । ଡାକ୍ତର ସନ୍ଦେହ ନ କରି ମୋର ପ୍ରସ୍ତାବରେ ରାଜି ହୋଇଗଲା । ସେ ମୋତେ ସମର୍ଥନ କଲା । ସେଦିନ ସଞ୍ଜରେ ବିଜୁଳି ଜଳିଲା ନାହିଁ ।

ବର୍ଷା ଉପରେ ମୁଁ ଆକ୍ରମଣ କରିବାକୁ ବସିଥାନ୍ତି, କିନ୍ତୁ ବର୍ଷା ଭୟରେ ଆତଙ୍କିତ ହେଲା-। ଏହି ଅବସରରେ ମୋତେ ମୋ ଘରେ ମୃତ ଅବସ୍ଥାରେ ସମସ୍ତେ ଦେଖିଲେ । ଡାକ୍ତର ଘୋଷଣା କଲା, କିନ୍ତୁ ମୁଁ ମରି ନ ଥିଲି ।

ରାତିରେ ଡାକ୍ତରକୁ ଚୁପ୍‍କରି ସମୁଦ୍ର ପାଖକୁ ଡାକିନେଲ । ସେ ସନ୍ଦେହ କରି ନ ଥିଲା । ସମୁଦ୍ର କୂଳରେ ଏକ ଉଚ୍ଚ ଜାଗାରେ ତା’ର ଅନ୍ୟମନସ୍କତାର ସୁଯୋଗରେ ମୁଁ ଜୋରରେ ଗୋଟାଏ ଧକ୍କା ମାରିଲି । ଅନନ୍ତ ଅସୀମ ଉତ୍ତଳ ତରଙ୍ଗ କୋଳରେ ଦୁର୍ଗାମାଧବ ।

 

ଘରକୁ ଫେରି, ଡାକ୍ତର ଘରେ ଟିକିଏ ଶବ୍ଦ କରି ଚାଲିଗଲି । ଫଟିକ୍ ଭାବିଲା ଡାକ୍ତର ବାହାରିଗଲେ । ସେ ଓ ମାଧବ ବାହାରିଗଲେ । ମୁଁ ପଡ଼ିରହିଲି ମୋ ଘରେ ମୃତ ଭୂମିକାରେ । ଏହା ପୂର୍ବେ ମାଧବର ଡ୍ରୟାରରେ ରଖିଦେଇଆସିଥିଲି ରିଭଲଭର୍‍ ।

 

ଫଟିକ୍ ପ୍ରାସାଦକୁ ଆସିଲାବେଳେ ତା’ ମୁଣ୍ଡକୁ ଲକ୍ଷ୍ୟ କରି ପାଖରେ ଏକ ଶ୍ୱେତ ପଥରଖଣ୍ଡ ପକାଇଲି । ବାସ୍, ସେତିକିରେ ତା’ର ଶେଷ ହୋଇଗଲା ।

 

ମୋ ଆଖି ଆଗରେ ବର୍ଷା ମାଧବକୁ ଗୁଳି କଲା । ସାହସ ଓ ଶକ୍ତିରେ ମାଧବର ଉପଯୁକ୍ତ ସଙ୍ଗିନୀ ଥିଲା ବର୍ଷା । ପରିସ୍ଥିତି ଏପରି ହେଲା ଯେଉଁଥିରେ ଭୁଲ ବୁଝାମଣା ହେଲା ।

 

ଶେଷଟା ଆହୁରି ସୁନ୍ଦର । ଅପରାଧ–ଚୈତନ୍ୟ ବର୍ଷାର ମାନସିକ ଧୈର୍ଯ୍ୟ ଭାଙ୍ଗିଯାଇଛି-। ଚାରିଆଡ଼େ ମୃତ୍ୟୁର ସ୍ତବ୍ଧତା । ଆତ୍ମହତ୍ୟାର ନୀରବ କିନ୍ତୁ ତୀବ୍ର ପ୍ରରୋଚନା । ଏହି ପ୍ରରୋଚନା ଉପେକ୍ଷା କରିବା ପରି ମାନସିକ ବଳ ବର୍ଷାର ନ ଥିଲା । ସେ ମୃତ୍ୟୁଫାନ୍ଦରେ ଧରାପଡ଼ିଗଲା । ମୁଁ ତା’ର ପାଦତଳର ଚୌକିଟି ଘୁଞ୍ଚାଇ–ଦେଇଥିଲି ।

 

ତା’ପରେ ବର୍ଷା ହଠାତ୍ ପାଗଳିନୀ ପରି ରିଭଲଭର୍‍ଟିରେ ଗୁଳି ଚଳାଇଲା । ଏତେ ସତର୍କତା ସତ୍ତ୍ୱେ ମୁଁ ଆହତ ହେଲି । ଗୋଟାଏ ଗୁଳି ମୋର ଛାତି ତଳରେ ଅତିକ୍ରମ କରିଯାଇଛି ।

 

ମୁଁ ଜାଣେ, ମୋର ମୃତ୍ୟୁ ଅତିଶୀଘ୍ର ପାଖେଇଆସୁଛି । ତେଣୁ ମୁଁ ଚଟାପଟ କାମ ସାରିଦେବାକୁ ଚାହେଁ । ମୁଁ ରିଭଲଭର୍‍ଟି ମୋ ଘରେ ରଖିଛି । ଯେ ଆସି ଦେଖି କହିବ । କ’ଣ କହିବ ? ଆତ୍ମହତ୍ୟା ନା ଆତତାୟୀ ହାତରେ ମୃତ୍ୟୁ ?

 

ପୁଲିସ ଗୁଇନ୍ଦା କ’ଣ ବରିକୁଦ ଦ୍ଵୀପର ଏ ରହସ୍ୟ ଉଦ୍‍ଘାଟନ କରିପାରିବ ?

 

ସମୁଦ୍ର ଶାନ୍ତ ହେଲେ ସେମାନେ ଆସିବେ । ପୁଲିସ, ବନ୍ଧୁବାନ୍ଧବ, ଉଦ୍ଧାରକାରୀମାନେ ଜାଣିବାକୁ ଚାହିଁବେ ହତ୍ୟାକାରୀ କିଏ ? ମୁଁ ଜାଣେ ଏ ରହସ୍ୟର ସମାଧାନ କରିପାରିବେ ନାହିଁ ।

 

ଯେଉଁ ଇସ୍‍କା ପାନ ବିବି ନେଇ ମୁଁ ଏତେବଡ଼ ଖେଳ ଖେଳିଗଲି, ତା’ର ରହସ୍ୟ କ’ଣ-? ସେକଥା କ’ଣ କିଏ କହିପାରିବ ! ଏ ଯେ ନିୟତିର ବିଡ଼ମ୍ବନା ।

 

ଇସ୍‍କା ପାନ ବିବି ହାତରେ ଶେଷରେ ମୋତେ ମରିବାକୁ ପଡ଼ିଲା ।

 

(ସ୍ୱାକ୍ଷର) ମଧୁସୂଦନ ଶଙ୍କର ମହାଜନ

Image